କେନ୍ଦୁଝର ସଦର,୧୧/୧ : କୁହୁଡି ହେଲା କାଳ।   ଜଣେ ଫାର୍ମାସିଷ୍ଟ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ତାଙ୍କର  ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶୁଆକାଟି ଆମ୍ବୁଲାନ୍ସ ଫାର୍ମାସିଷ୍ଟ ରାଜେଶ କୁମାର ଦ୍ୱିବେଦୀ ।

ଶୁଆକାଟି ଆମ୍ବୁଲାନ୍ସ ଫାର୍ମାସିଷ୍ଟ ରାଜେଶ କୁମାର ଦ୍ୱିବେଦୀ(୫୭) ନିଜ କର୍ମକ୍ଷେତ୍ରକୁ ଯାଉଥିଲେ।  ଜୁଡିଆ ଫାୟାର ଷ୍ଟେସନ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ।  ଦୁର୍ଘଟଣା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସ୍ଥାନୀୟ ଢେଙ୍କାପୁର ଶାସନରେ ତାଙ୍କ ଘର।  

କେନ୍ଦୁଝର ଜିଲ୍ଲା ବ୍ୟାପି ଆଜି ପ୍ରବଳ କୁହୁଡ଼ି ଯୋଗୁଁ  ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ଅଧ ରାତିରୁ କୁହୁଡ଼ି ଆରମ୍ଭ ହୋଇ ସକାଳ ନଅଟା ପର୍ଯ୍ୟନ୍ତ କୁହୁଡି ରହିଥିଲା। ୨୦ ଏଵଂ  ୪୯  ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ସହ କୁହୁଡି ସମୟରେ ପ୍ରାୟ ଗାଡ଼ି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କୁହୁଡ଼ି ଘନତା ଏତେ ଥିଲା ଯେ ମାତ୍ର ୧୫-୨୦ ଫୁଟ ଦୂରକୁ ଦିଶୁନଥିଲା । ସକାଳ  ଯେତେ ଯେତେ ହେଉଥିଲା ସେତେ କୁହୁଡ଼ି କ୍ରମେ ବଢି ବର୍ଷା ହେବା ପରିସ୍ଥିତି ସୃଷ୍ଟି କରିଥିଲା। ପିଲାମାନେ ସ୍କୁଲ ଯିବାକୁ ଅସୁବିଧା ସମ୍ମୁଖୀନ ହୋଇଥିବା ବେଳେ ବସଷ୍ଟାଣ୍ଡରେ ଅନେକ ଯାତ୍ରୀ ବସି ରହିଥିଲେ।  କୁହୁଡି ଯୋଗୁ ସକାଳୁଆ ପରିବା ବ୍ୟବସାୟୀ  କିମ୍ୱା ଅନ୍ୟାନ୍ୟ କାମ ଧନ୍ଦା ମଧ୍ୟ ବାଧା ସୃଷ୍ଟି ହୋଇଛି।