ନୂଆଦିଲ୍ଲୀ,୭।୮: ଭାରତର ସୁପର ସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସର ନାଁ କେବଳ ଶକ୍ତିର ପ୍ରତୀକ ଭାବରେ ନୁହେଁ, ବଂର ଏକ ଅନ୍ତର୍ଜାତୀୟ ରଣନୈତିକ ସମ୍ବଳ ପାଲଟିଛି ଶକ୍ତିର ପ୍ରତୀକ। ‘ଅପରେସନ୍ ସିନ୍ଦୂର’ରେ ଏହି ମିସାଇଲର ସଫଳତା ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଥିଲା। ଏହି ଅପରେସନ୍ ପରେ ଭାରତୀୟ ସେନା ପାକିସ୍ତାନର ବହୁ ଆଡ୍ଡାକୁ ଟାର୍ଗେଟ କରି ଚୀନ୍ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ବିଫଳ କରିଥିଲା। ଫିଲିପାଇନ୍ସର ରାଷ୍ଟ୍ରପତି ବୋଙ୍ଗଭୋଙ୍ଗ ମାର୍କୋସ ଜୁନିଅର ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରକୁ ଖୁବ୍ ପ୍ରଶଂସା କରିଛନ୍ତି। ଦ୍ବିତୀୟ ଥର କିଣିବାର ଇଛା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ, ଫିଲିପାଇନ୍ସ ଭାରତରୁ ୯ଟି ଅତିରିକ୍ତ ବ୍ରହ୍ମୋସ ବ୍ୟାଟେରୀ କିଣିବାର ପ୍ଲାନିଂ କରୁଛି। ଏହା ପୂର୍ବରୁ ଫିଲିପାଇନ୍ସ ଜାନୁଆରୀ ୨୦୨୨ରେ ଭାରତରୁ ପ୍ରାୟ ୩୭୫ ମିଲିୟନ ଡଲାର ଦାମ୍ରେ ତିନୋଟି ବହ୍ମୋସ ବ୍ୟାଟେରୀ କିଣିବାର ଡିଲ୍ କରିଥିଲା। ସେ ସବୁର ଡେଲିଭରି ପରେ ଫିଲିପାଇନ୍ସ ମରିନ କର୍ପସ ‘ବ୍ରହ୍ମୋସ’ ମରିନ୍ କର୍ପସ ବ୍ରହ୍ମୋସର କ୍ଷମତା ଉପରେ ନିଜର ଭରସା ପ୍ରକାଶ କରିଥିଲା।
ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଗସ୍ତ ଏଭଳି ସମୟରେ ହୋଇଛି, ଯେତେବେଳେ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଆକ୍ରମଣାତ୍ମକ ମନୋଭାବ ଫିଲିପାଇନ୍ସ ସମେତ ସମଗ୍ର ଅଞ୍ଚଳ ପାଇଁ ଚିନ୍ତାର ବିଷୟ ହୋଇ ରହିଛି। ସାମୁଦ୍ରିକ ସୀମାରେ ଚୀନ୍ ଦ୍ୱାରା କରାଯାଉଥିବା ଏକପାଖିଆ ପରିବର୍ତ୍ତନ ଫିଲିପାଇନ୍ସକୁ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ରଣନୀତିକ ଭାବରେ ବାଧ୍ୟ କରୁଛି। ରାଷ୍ଟ୍ରପତି ମାର୍କୋସ୍ କହିଛନ୍ତି, ଆମେ କାହା ବିରୁଦ୍ଧରେ ନୁହେଁ, ଆମେ ଆମର ଅଞ୍ଚଳକୁ ରକ୍ଷା କରିବାକୁ ପ୍ରସ୍ତୁତ ଅଛୁ।" ଏହି ବିବୃତ୍ତି ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଫିଲିପାଇନ୍ସ ଯୁଦ୍ଧ ଚାହୁଁନାହିଁ, କିନ୍ତୁ ଆଞ୍ଚଳିକ ସୁରକ୍ଷା ବିପଦରେ ପଡ଼ିଲେ ଚୁପ୍ ବସିବ ନାହିଁ। ଭାରତ ବ୍ରହ୍ମୋସ ଭଳି ଘାତକ ଅସ୍ତ୍ରଶସ୍ତ୍ରର ସହ-ନିର୍ମାତା, ତେଣୁ ଏହା ଫିଲିପାଇନ୍ସ ପାଇଁ ଏକ ନିର୍ଭରଯୋଗ୍ୟ ରଣନୈତିକ ଅଂଶୀଦାର ଭାବରେ ଉଭା ହୋଇଛି। ଭାରତ-ଫିଲିପାଇନ୍ସ ସମ୍ପର୍କ କେବଳ ସାମରିକ ସହଯୋଗ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଅର୍ଥନୈତିକ ଏବଂ ବୈଷୟିକ କ୍ଷେତ୍ରକୁ ମଧ୍ୟ ବିସ୍ତାରିତ ହେବ।
ରାଷ୍ଟ୍ରପତି ମାର୍କୋସଙ୍କ ଏହି ଗସ୍ତ କେବଳ ଔପଚାରିକ ନୁହେଁ, ଏହାର ମୂଳ ରାଜନୈତିକ ହିତ ମଧ୍ୟ ରହିଛି। ସେ ସ୍ପଷ୍ଟ କରିଛନ୍ତି ଯେ,ଏହା ମୋର ଡ୍ୟୁଟି। ମୁଁ ନିଜ ଦେଶର ରକ୍ଷା କରିବି। ଏହି ବାକ୍ୟ ସ୍ପଷ୍ଟ କରୁଛି ଯେ, ବ୍ରହ୍ମୋସ ମିସାଇଲ କିଣିବାର ନିଷ୍ପତ୍ତି କେବଳ ସାମରିକ ଟେକ୍ନୋଲୋଜି ପର୍ଯ୍ୟନ୍ତ ସୀମିତ ନାହିଁ। ବଂର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଫିଲିପାଇନ୍ସର ରଣନୈତିକ ପ୍ରତିକ୍ରିୟା। ମାର୍କେ ଭାରତର ପ୍ରତିରକ୍ଷା ଅଧିକାରୀଙ୍କୁ ‘ଅପରେସନ୍ ସିନ୍ଦୂର’ର ପୁରା ପକ୍ରିୟାକୁ ବୁଝିବାର ଇଛା ପ୍ରକାଶ କରିଛନ୍ତି। ସେ ଜାଣିବାକୁ ଚାହିଁଛନ୍ତି କିଭଳି ଭାରତୀୟ ସେନା ଏହି ମିସାଇଲକୁ ମୁତୟନ କରିଥିଲା। ଏହାର ସଞ୍ଚାଳନ କେଉଁ ରଣନୀତି ଅନୁସାରେ କରାଯାଇଥିଲା। ଫିଲିପାଇନ୍ସର ସାମରିକ ନୀତି ଏବେ ବିକଶିତ ସହଭାଗୀଙ୍କ ସହ ମିଶି ନିଜର କ୍ଷମତା ବଢାଇବାକୁ ଚେଷ୍ଟା କରୁଛି।