ପୁରୀ, ୧୬/୦୬: ଅସୁସ୍ଥ ଠାକୁରେ ବଡ଼ଦେଉଳ ଅଣସର ପିଣ୍ଡିରେ ବିଜେ ।  ସେଠାରେ ଚାଲିଛି ଶ୍ରୀବିଗ୍ରହଙ୍କ ଗୁପ୍ତ  ପୂଜା । ମହାପ୍ରଭୁଙ୍କ ୧୫ ଦିନର ଅନନ୍ୟ ମାନବୀୟ ଲୀଳା । ସୋମବାର ଠାକୁରଙ୍କ  ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ  ହେବ । ବଡ଼ଓଡ଼ିଆ ମଠରୁ ଫୁଲୁରୀ ତେଲ ଆସିବାର ଶ୍ରୀମନ୍ଦିର ପରମ୍ପରା ରହିଛି ।  ଏଣୁ ସମସ୍ତ ପ୍ରସ୍ତୁତି ସାରି ଶ୍ରୀମନ୍ଦିରରୁ ଡାକରାକୁ ଅପେକ୍ଷା କରିଛନ୍ତି ବଡ଼ଓଡ଼ିଆ  ମଠ ମହନ୍ତ ଅଧିକାରୀ ବଂଶୀଧର  ଦାସ ଗୋସ୍ୱାମୀ । ଜ୍ୱର ହେବାରେ ସ୍ନାନ ବସ୍ତ୍ର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ଫିଟିଲା ।  ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ ଓ  କରାଳ ବାହାରିଛି । ଆଗକୁ ଫୁଲରୀ ତେଲ  ଲାଗି ହୋଇ ଠାକୁରେ ଉପଶମ ଲଭିବେ ।  

ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ  ବଂଶୀଧର ଦାସ ଗୋସ୍ୱାମୀ କୁହନ୍ତି  ଠାକୁରଙ୍କ କୃପା ରହିଛି । ଏଣୁ ଫୁଲୁରୀ  ତେଲ ପ୍ରସ୍ତୁତିରେ କୌଣସି ସମସ୍ୟା  ହୋଇନାହିଁ । ଠାକୁରଙ୍କ ଫୁଲୁରୀ ତେଲ  ପ୍ରସ୍ତୁତ ହୋଇ ରହିଛି । ମଧ୍ୟାହ୍ନ ଧୂପ  ସରିଲେ ଶ୍ରୀମନ୍ଦିରରୁ ଡାକରା ମଠରେ  ପହଞ୍ଚିବ । ସେତେବେଳକୁ ତେଲ  ପ୍ରସ୍ତୁତ କରି ରଖିଥିବେ ମହନ୍ତ ।  ଏହାପରେ ମଠାଧୀନ ସେବାକାରୀ  ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଫୁଲୁରୀ  ତେଲ ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ । ସନ୍ଧ୍ୟାରେ ପ୍ରାୟ ବଟଗଣେଷଙ୍କ ମନ୍ଦିର  ନିକଟ ସର ଘର ରହିଛି । ସେହିଠାରେ  ଦେଉଳକରଣ ଓ ନୀତି କମାଣ୍ଡର ମହନ୍ତଙ୍କଠାରୁ ତେଲ ସଂଗ୍ରହ କରିଥାନ୍ତି ।  ଗତବର୍ଷ ହେରାପଞ୍ଚମୀରୁ ବିଭିନ୍ନ ଦ୍ରବ୍ୟ  ପଡ଼ି ରାଶି ତେଲ ମାଟିରେ ପୋତା  ହୋଇଥିଲା। କାଳକ୍ରମେ ବିଭିନ୍ନ  ଋତୁରେ ମିଳୁଥିବା ଅଲଗା ଉପାଦାନ  ସେଥିରେ ପଡ଼ିଲା । ମୋଟ ୨୪ ପ୍ରକାର  ଉପାଦାନରେ ଶ୍ରୀବିଗ୍ରହଙ୍କ ଫୁଲୁରୀ ତେଲ  ପ୍ରସ୍ତୁତ ହୋଇଥାଏ । 

ହେରାପଞ୍ଚମୀରେ ମହାପ୍ରଭୁଙ୍କ  ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା କାଳରେ  ବଡ଼ ଓଡ଼ିଆ ମଠ ମହନ୍ତ ଓ ତାଙ୍କ ସାହାଯ୍ୟକାରୀ କିମ୍ବା ଉତ୍ତରାଧିକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି । ମଠ  ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ  ରହିଛି । ନିରୋଳା ସ୍ଥାନ ଖୋଜି ଏକ  ନିର୍ଦ୍ଦିଷ୍ଟ ଜାଗାରେ ମାଟି ଖୋଳା ହୋଇ  ପ୍ରସ୍ତୁତ ଥାଏ । ମାଟି ହାଣ୍ଡିରେ ଘଣା  ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ  ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ  ପୁଷ୍ପ ଓ ଚେରମୂଳି ପକାଯାଏ । ସେହି  ଦିନଠାରୁ ତେଲ ରହିବା ସ୍ଥାନରେ ଫୁଲ  ପାଣି ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ  ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ  ସନ୍ଧ୍ୟାରେ ପ୍ରାୟ ପୋତା ସ୍ଥାନରୁ ବାହାରି  ଏକ ନିର୍ଦ୍ଦିଷ୍ଟ କୋଠରୀରେ ମୁଦ ଦିଆଯାଇ ଉକ୍ତ ତେଲ ରଖାଯାଏ । ଉକ୍ତ ତେଲକୁ  ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ  ରହିଥିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଡ଼ାକରା ଆସିଲା ପରେ ଫୁଲୁରୀ ତେଲ  ଠାକୁରଙ୍କ ସେବା ପାଇଁ ଶ୍ରୀମନ୍ଦିରକୁ  ବିଜେ କରିବ ।