ନୂଆଦିଲ୍ଲୀ, ୩୦/୧୨: ଏକ ପୋକ୍ସୋ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ବିଚାରପତି ପ୍ରତିଭା ଏମ୍‌ ସିଂହ ଓ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଶାରୀରିକ ସମ୍ପର୍କର ଅର୍ଥ ଯୌନ ଉତ୍ପୀଡ଼ନ ନୁହେଁ । ନାବାଳିକା ପୀଡ଼ିତା ଯେଉଁ ଶାରୀରିକ ସମ୍ପର୍କ କଥା ଉଲ୍ଲେଖ କରିଛନ୍ତି ତାକୁ ଯୌନ ଉତ୍ପୀଡ଼ନ ଭାବେ ବିବେଚନା କରାଯାଇପାରିବ ନାହିଁ । ଏଥିସହ ହାଇକୋର୍ଟ ପୋକ୍ସୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ ଦଣ୍ଡାଦେଶ ପାଇଥିବା ଜଣେ ଅଭିଯୁକ୍ତକୁ ଖଲାସ କରିଛନ୍ତି । 

ହାଇକୋର୍ଟ ଦର୍ଶାଇଛନ୍ତି ଯେ, ପୀଡ଼ିତା ନିଜ ଇଚ୍ଛା ଅନୁସାରେ ଅଭିଯୁକ୍ତଙ୍କ ସହ ଯାଇଥିଲେ । ତେଣୁ ତାଙ୍କ ସହ ଯୌନ ଉତ୍ପୀଡ଼ନ କିଭଳି ହେଲା ବୋଲି କୁହାଯିବ । ତଳକୋର୍ଟ ମାମଲାର ଶୁଣାଣି ବେଳେ ଏଭଳି ନିଷ୍କର୍ସରେ କିପରି ପହଞ୍ଚିଲେ ତାହା ସ୍ପଷ୍ଟ ହେଉନାହିଁ । ଶାରୀରିକ ସମ୍ପର୍କ କିମ୍ବା ସମ୍ପର୍କରୁ ଯୌନ ଉତ୍ପୀଡ଼ନ ଏବଂ ପୁଣି ଯୌନ ଉତ୍ପୀଡ଼ନକୁ ସାକ୍ଷୀଙ୍କ ଦ୍ୱାରା ପ୍ରମାଣିତ କରାଯିବା ଆବଶ୍ୟକ । ଏହାକୁ ଅନୁମାନ ଆଧାରରେ ସ୍ଥିର କରାଯାଇପାରିବ ନାହିଁ । 

ହାଇକୋର୍ଟ ଗତ ୨୩ ତାରିଖରେ ଦେଇଥିବା ଏହି ରାୟରେ କହିଛନ୍ତି ଯେ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ୍‌ । ଏହାକୁ ଆଧାର କରି ନିଷ୍କର୍ସରେ ପହଞ୍ଚି ହେବ ନାହିଁ ଯେ ତାଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଛି । ଶୁଣାଣି ସମୟରେ ପୀଡ଼ିତା ଶାରୀରିକ ସମ୍ପର୍କ କଥା ଉଲ୍ଲେଖ କରିଛନ୍ତି । ତେବେ ଏହି ଶବ୍ଦର ବ୍ୟବହାର ସେ କେଉଁ ଅର୍ଥରେ କରିଛନ୍ତି ତାହା ସ୍ପଷ୍ଟ ହେଉନାହିଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ପର୍କ ରଖିବା ଶବ୍ଦର ବ୍ୟବହାର ମଧ୍ୟ ପୋକ୍ସୋ ଆଇନର ଧାରା ୩ କିମ୍ବା ଆଇପିସିର ଧାରା ୩୭୬ ଅଧୀନରେ ଅପରାଧ ପ୍ରମାଣସିଦ୍ଧ କରିବାରେ ପର୍ଯ୍ୟାପ୍ତ ନୁହେଁ । କିନ୍ତୁ ପୋକ୍ସୋ ଆଇନ ଅନୁସାରେ ଯଦି ପୀଡ଼ିତା ନାବାଳିକା ହୋଇଥାନ୍ତି ତେବେ ସହମତିର କୌଣସି ମାନେ ନାହିଁ । କିନ୍ତୁ ଶାରୀରିକ ସମ୍ପର୍କ ଶବ୍ଦକୁ ଯୌନ ଉତ୍ପୀଡ଼ନ ତ ଦୂରର କଥା ଯୌନ ସମ୍ଭୋଗରେ ମଧ୍ୟ ବଦଳାଯାଇପାରିବ ନାହିଁ । 

ଉତ୍ତର ପ୍ରଦେଶର ଫରିଦାବାଦ ଅଞ୍ଚଳର ସମ୍ପୃକ୍ତ ପୀଡ଼ିତାଙ୍କ ମାଆ ୨୦୧୭ରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ କି ତାଙ୍କର ୧୪ ବର୍ଷୀୟା ନାବାଳିକା ଝିଅକୁ ଜଣେ ଅଜ୍ଞାତ ଯୁବକ ଫୁସୁଲାଇ ଅପହରଣ କରି କେଉଁଆଡ଼େ ନେଇଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ଫରିଦାବାଦରୁ ଧରିଥିଲା । ୨୦୨୩ ଡିସେମ୍ବରରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ତଳକୋର୍ଟର ଏହି ଦଣ୍ଡାଦେଶ ବିରୋଧରେ ଅଭିଯୁକ୍ତ ହାଇକୋର୍ଟରେ ଅପିଲ କରିଥିଲେ ।