ଦାରିଙ୍ଗବାଡି,୨୧/୦୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଜଣେ କିରାଣୀ ଲାଞ୍ଚ କାରବାର କରୁଥିବା ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି । ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର ନିମନ୍ତେ ୫୦୦ ଶହ ଟଙ୍କା ଲାଞ୍ଚ ଦିଆ ଯାଉଥିବା ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ଘଟଣା ପରେ ତହସିଲଦାରଙ୍କ ବଦଳି ହୋଇଥିବା ବେଳେ ଯଥା ଶୀଘ୍ର ଏଭଳି ତହସିଲଦାରଙ୍କୁ ରିଲିଫ୍ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ସୂଚନା ମୁତାବକ, ତହସିଲ କାର୍ଯ୍ୟାଳୟର ଜଣେ କିରାଣୀ ଜନ୍ମ ପଞ୍ଜିକରଣ ସାର୍ଟିଫିକେଟ ପାଇଁ ୫୦୦ ଟଙ୍କା ମାଗିଥିଲେ । କିରାଣୀଙ୍କ ପାଖରେ ଥିବା ମହିଳା ପିଅନ ଜଣଙ୍କ ୫୦୦ ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ନେଇ କିରାଣୀଙ୍କୁ ଟେବୁଲ୍ ତଳେ ଥିବା ଡ୍ର ମଧ୍ୟରେ ରଖି ଦେଉଥିବା ଦେଖିବାକୁ ମିଳିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । କିଛି ବର୍ଷ ହେବ ବିନା ଦଲାଲରେ ତହସିଲ କାର୍ଯ୍ୟାଳୟରେ କୌଣସି କାମ ହେଉ ନଥିବା ବେଳେ ପ୍ରତ୍ୟେକ କାମ ପାଇଁ ଲାଞ୍ଚ ଦେବାକୁ ପଡୁଛି । ଲାଞ୍ଚ ବିନା କୌଣସି କାମ ଉକ୍ତ କାର୍ଯ୍ୟାଳୟରେ ହେଉ ନଥିବା ବେଳେ ତହସିଲଦାର ମଧ୍ୟ ସବୁ ଜାଣି ନୀରବ ରହୁଛନ୍ତି । ତେଣୁ ତହସିଲଦାରଙ୍କ ଜାଣତରେ ଏସବୁ କାର୍ଯ୍ୟ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ତହସିଲଦାରଙ୍କ ବଦଳି ହୋଇଥିବା ବେଳେ ଯଥା ଶୀଘ୍ର ଏଭଳି ତହସିଲଦାରଙ୍କୁ ଗିରଫ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।