ପିପିଲି,୧୯/୦୮: ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା  ପୁରୀ ଜିଲ୍ଲା ପିପିଲିର ଅର୍ଚ୍ଚନା ଦାଶ (୩୫) ଭୁବନେଶ୍ୱର ଏମ୍‌ସରେ ଆଖି ବୁଜିଛନ୍ତି ।  ଜୟପୁର ଛକ ନିକଟରେ ଭଡ଼ା ଘରେ ରହୁଥିବା ଅର୍ଚ୍ଚନା ଗତ ୧୩ ତାରିଖ ସନ୍ଧ୍ୟାରେ  କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୯୦ ପ୍ରତିଶତ  ପୋଡ଼ି ଯାଇଥିଲା । ସଙ୍କଟାପନ୍ନ  ଅବସ୍ଥାରେ ତାଙ୍କୁ ପ୍ରଥମେ ପିପିଲି  ଡାକ୍ତରଖାନା ନିଆଯାଇଥିଲା । ସେଠାରୁ  ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ସୋମବାର  ସକାଳ ସାଢ଼େ ୬ଟାବେଳେ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣ ପ୍ରାୟ ୪ଟାରେ ମର ଶରୀର  ପିପିଲିରେ ପହଞ୍ଚିଥିଲା । ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।  

ସୂଚନାଯୋଗ୍ୟ, ଅର୍ଚ୍ଚନା ଆତ୍ମହତ୍ୟା ଉଦ୍ୟମ କରିବା ପରେ ପିପିଲି ଓ  ପୁରୀ ଜିଲ୍ଲା ପୁଲିସ ଅଧିକାରୀ, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  କରିଥିଲେ । ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌, କିରାସିନି ବୋତଲ ଜବତ  କରାଯାଇଥିଲା । ଅତ୍ୟଧିକ ଋଣ ଚାପରେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା  ନେଇ ପୁରୀ ଅତିରିକ୍ତ ଏସ୍‌ପି ସଚ୍ଚିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।