ବିଜାପୁର : ଛତିଶଗଡ଼ର ମାଓ ପ୍ରଭାବିତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ବଡ଼ ଧରଣର ବିସ୍ଫୋରଣ କରିଛନ୍ତି। ମାଓବାଦୀମାନେ ଯବାନଙ୍କ ଗାଡ଼ିକୁ ବ୍ଲାଷ୍ଟ କରି ଉଡ଼ାଇ ଦେଇଛନ୍ତି। ଉକ୍ତ ହମଲାରେ ୯ଜଣ ଯବାନ ସହିଦ ( ୮ଜଣ ଯବାନ ଓ ଜଣେ ଚାଳକ) ହୋଇଛନ୍ତି। ଉକ୍ତ ହମଲା ବିଜାପୁରର କୁଟରୁ ମାର୍ଗରେ ହୋଇଛି। ଆଇଇଡି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଭୂଇଁରେ ଏକ ପୋଖରୀ ଭଳି ଗର୍ତ୍ତ ହୋଇ ଯାଇଛି। ଗାଡ଼ିର ଚକ ଉଡ଼ି ଯାଇଛି। ଗାଡ଼ିର ଏକ ଅଂଶ ଖୁବ୍‌ ଉଚ୍ଚରେ ଗଛରେ ଯାଇ ଲଟକି ରହିଛି।

ସୁରକ୍ଷାକର୍ମୀଙ୍କ ଜୋରଦାର କାର୍ଯ୍ୟାନୁଷ୍ଠାନରେ ମାଓବାଦୀମାନେ ଯବାନଙ୍କ ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ବିଜାପୁରର କୁଟରୁ ମାର୍ଗର ବେଦରେରେ ମାଓବାଦୀମାନେ ରାସ୍ତାରେ ଆଇଇଡିବୋମା ପ୍ଲାଣ୍ଟ କରି ଦେଇ ଥିଲେ। ଗାଡ଼ି ଏହା ଉପରକୁ ଆସିବା କ୍ଷଣି ଖୁବ୍‌ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଗାଡ଼ିରେ ଥିବା ଯବାନଙ୍କ ଶରୀର କ୍ଷତ-ବିକ୍ଷତ ହୋଇ ଯାଇଛି। ଘଟଣା ସ୍ଥଳରେ ଏକ ବଡ଼ ଗଭୀର ଗର୍ତ୍ତ ହୋଇ ଯାଇଛି। ଗାଡ଼ିର ଅନେକ ପାର୍ଟ ଖୁବ୍‌ ଦୂରରେ ଯାଇ ପଡ଼ିଛି। ଗୋଟିଏ ଭାଗ ଯାଇ ଗଛରେ ଲଟକି ରହିଛି। ଧମାକାର ଶବ୍ଦ ଅନେକ କିଲୋମିଟର ଦୂର ଯାଏ ଶୁଣା ଯାଇଛି।

ସହିଦ ଯବାନଙ୍କ ମଧ୍ୟରେ ୮ ଡିଆରଜିର ଯବାନ ଓ ଜଣେ ଡ୍ରାଇଭର ଅଛନ୍ତି। ସବୁ ଯବାନ ୩ ଜାନୁଆରୀରେ ଆଣ୍ଟି ନକ୍ସଲ ଅପରେସନରେ ବାହାରି ଥିଲେ , ଯେଉଁଠି ୪ ଜାନୁଆରୀରେ ପୁଲିସ ଓ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା। ଏଥିରେ ଡିଆରଜିର ଯବାନ ହେଡ୍‌ କନଷ୍ଟେବଲ ସନ୍ନୁ କାରମ ସହିଦ ହୋଇଥିଲେ। ଦୁଇଦିନ ପୂର୍ବେ ମୁହାଁମୁହିଁରେ ପୁଲିସ ୫ ମାଓବାଦୀଙ୍କୁ ମାରି ଦେଇଥିଲା। ସର୍ଚ୍ଚିଂ ଅପରେସନ ବେଳେ ଦୁଇ ମହିଳା ମାଓବାଦୀ ସହ ମୋଟ ୫ ବର୍ଦ୍ଦିଧାରୀ  ମାଓବାଦୀ ନିପାତ ହୋଇଥିଲେ। 

ମୃତ ମାଓବାଦୀ ମଧ୍ୟରେ ଡିକେଏସଜେଡସି ପିଏଲଜିଏ ପ୍ଲାଟୁନ ନମ୍ୱର ୩୨ ର ବରିଷ୍ଠ କ୍ୟାଡର ମଧ୍ୟ ସାମିଲ ଥିଲା। ସର୍ଚ୍ଚରେ ଏକେ ୪୭, ଏସଏଲଆର ଭଳି ଅଟୋମେଟିକ ହତିଆର ମଧ୍ୟ ଜବତ ହୋଇଛି। ଏହି ମୁହାଁମୁହିଁ ପରେ ଯବାନ ଦନ୍ତେୱାଡା ଫେରୁଥିଲେ, ସେତେବେଳେ ମାଓବାଦୀ ମାନେ ପିକଅପ୍‌ ଗାଡ଼ିକୁ ଆଇଇଡିରେ ବ୍ଲାଷ୍ଟ କରିଦେଲେ।

ଉଲ୍ଲେଖନୀୟ ଯେ, ନୂଆବର୍ଷ ଆରମ୍ଭରେ ମାଓବାଦୀ ମାନେ ବଡ଼ ଧରଣର ହମଲା ନେଇ ଯୋଜନା ରଚିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁରେ ମାଓବାଦୀ ଖଞ୍ଜିଥିବା ୮ ଟି ଆଇଡି ବୋମାକୁ ପୃଥକ ପୃଥକ ସ୍ଥାନରୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ ଯବାନମାନେ। ସୂଚନା ଅନୁଯାୟୀ ମାଓ ଦମନ ଲାଗି ଛତିଶଗଡର ବାସାଗୁଡ଼ା ଥାନା ଅନ୍ତର୍ଗତ ତିମାପୁର ଅଞ୍ଚଳରେ କୋବରା ଯବାନମାନେ ତଲାସି ଅଭିଯାନ କରିଥିଲେ । ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିବା ୬ଟି ଆଇଡି ବୋମାକୁ ଯବାନମାନେ ଠାବ କରିଥିଲେ। ଯାହାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଯବାନମାନେ ଘଟଣାସ୍ଥଳରେ ହିଁ ସେଗୁଡିକୁ ନିଷ୍କ୍ରିୟ କରିଥିଲେ। 

ସେହିପରି ତାରିମ ଜଙ୍ଗଲରେ ମଧ୍ୟ ଯବାନମାନେ ତଲାସି ବେଳେ ବନ୍ଦଲକା ନାଳ ନିକଟରେ ୩କେଜି ଲେଖାଏଁ ଓଜନର ୨ଟି ଆଇଡି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ। ଏହାପରେ ଯବାନଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଅଧିକ ବଢାଇ ଦିଆଯାଇଛି । ତେବେ ନୂଆ ବର୍ଷ ଆରମ୍ଭରୁ ଯବାନମାନେ ମାଓବାଦୀଙ୍କ ବଡ଼ ଧରଣର ଯୋଜନାକୁ ପଣ୍ଡ କରି ବଡ଼ ସଫଳତା ହାସଲ କରିଥିଲେ।

ଗତବର୍ଷ ଡିସେମ୍ବର ୧ ତାରିଖରେ ଏକ ଏନକାଉଣ୍ଟର ହୋଇଥିଲା। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ୭ ମାଓବାଦୀ ନିପାତ ହୋଇଥିଲେ ।