ନୂଆଦିଲ୍ଲୀ, ୨୪।୧୦: ଭାରତର ପ୍ରସିଦ୍ଧ ବିଜ୍ଞାପନ ଗୁରୁ ପୀୟୂଷ ପାଣ୍ଡେଙ୍କ ୭୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ବିଜ୍ଞାପନ ଜଗତରେ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ ତାଙ୍କର ଅନେକ ବ୍ରାଣ୍ଡଗୁଡ଼ିକୁ ଘରେ ଘରେ ପରିଚିତ କରାଇଥିଲେ । ଏସିଆନ୍ ପେଣ୍ଟସ୍ କ୍ୟାମ୍ପେନ ସ୍ଲୋଗାନ୍ "ହର ଖୁସି ମେ ରଙ୍ଗ ଲାୟେ" ତାଙ୍କ ଲେଖା । ଲୋକପ୍ରିୟ କ୍ୟାଡବରୀ ବିଜ୍ଞାପନ "କୁଛ ଖାସ୍ ହୈ" ମଧ୍ୟ ଲେଖିଥିଲେ । "ମିଲେ ସୁର ମେରା ତୁମ୍‌ହାରା" ଗୀତ ମଧ୍ୟ ଲେଖିଥିଲେ, ଯାହା ଦୀର୍ଘ ସମୟ ଧରି ଭାରତର ବିବିଧତାରେ ଏକତାକୁ ପାଳନତୁ ଦର୍ଶାଇଥିଲା । ଏହି ଗୀତ ଦୂରଦର୍ଶନର ଥିମ୍ ଗୀତ ପାଲଟିଥିଲା । ଇଣ୍ଟରନେଟର ପ୍ରଚାରପ୍ରସାର ପରେ ଲୋକମାନେ ଏହାକୁ ଯୁଟ୍ୟୁବ୍‌ରେ ଶୁଣିବାକୁ ଆରମ୍ଭ କଲେ । ସେ ଫେବିକଲ୍ ଏବଂ ହଚ୍‌ ଭଳି କମ୍ପାନୀ ପାଇଁ ଅନେକ ସଫଳ ବିଜ୍ଞାପନ କ୍ୟାମ୍ପେନର ନେତୃତ୍ୱ ମଧ୍ୟ ନେଇଥିଲେ ।  

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ପାଇଁ ଲୋକପ୍ରିୟ ସ୍ଲୋଗାନ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ସ୍ଲୋଗାନ୍ ଥିଲା "ଅବକି ବାର, ମୋଦି ସରକାର" । ପୀୟୂଷ ପାଣ୍ଡେ ଭାରତର ବିଜ୍ଞାପନ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ । ସେ ପ୍ରାୟ ଚାରି ଦଶନ୍ଧି ଧରି ପ୍ରସିଦ୍ଧ ବିଜ୍ଞାପନ କମ୍ପାନୀ, ଓଗିଲଭି ଇଣ୍ଡିଆ ସହିତ କାମ କରିଥିଲେ । ତାଙ୍କ ବିୟୋଗ ପରେ ବିଜ୍ଞାପନ ଜଗତର ଏକ ଯୁଗର ଅନ୍ତ ଘଟିଛି । ତାଙ୍କର ଭାରତୀୟ ସମାଜର ଭାଷା ଏବଂ ପରମ୍ପରା ବିଷୟରେ ଗଭୀର ଜ୍ଞାନ ଥିଲା । ଏହି କାରଣରୁ ତାଙ୍କର ଅନେକ କ୍ୟାମ୍ପେନ ଲୋକପ୍ରିୟ ହୋଇପାରିଥିଲା । ତାଙ୍କ ସ୍ଲୋଗାନ୍ ଲୋକପ୍ରିୟ ହେବା ସହିତ ତାଙ୍କ ବିଜ୍ଞାପନଗୁଡ଼ିକ ମଧ୍ୟ ବ୍ୟାପକ ଧ୍ୟାନ ଆକର୍ଷଣ କରିଥିଲା ଏବଂ ଲୋକମାନେ ସେଗୁଡ଼ିକୁ ଉତ୍ସାହର ସହିତ ଦେଖୁଥିଲେ । 

ପୀୟୂଷ ପାଣ୍ଡେ ୧୯୮୨ ମସିହାରେ ଓଗିଲଭି ଇଣ୍ଡିଆରେ ଯୋଗ ଦେଇଥିଲେ । ପୂର୍ବରୁ, ସେ ଜଣେ କ୍ରିକେଟର ଥିଲେ । ସେ ଚା' ବଗିଚା, ନିର୍ମାଣ କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି । ୨୭ ବର୍ଷ ବୟସରେ ଶିଳ୍ପରେ ପ୍ରବେଶ କରିଥିଲେ ଏବଂ ଇଂରାଜୀ ଭାଷାରେ ବିଜ୍ଞାପନ କରି ବିଜ୍ଞାପନ ଜଗତକୁ ପରିବର୍ତ୍ତନ କରିଥିଲେ । ସେ ଏସିଆନ୍ ପେଣ୍ଟସ୍ ଏବଂ କ୍ୟାଡବରୀ ସମେତ ଅନେକ କମ୍ପାନୀର କ୍ୟାମ୍ପେନ କରି ସେହି କମ୍ପାନୀଗୁଡ଼ିକୁ ବାଣିଜ୍ୟ କାରବାରରେ ଉଚ୍ଚ ସ୍ତରରେ ପହଞ୍ଚାଇଛନ୍ତି । ​​​​​​​