ରାଉରକେଲା, ୧୦/୦୧ : ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଜରୁରୀ ଅବତରଣ ବେଳେ କଂସର ଅଞ୍ଚଳରେ ବିମାନ କ୍ରାସ୍। ପାଇଲଟଙ୍କ ସହ ୬ ଗୁରୁତର। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ ପହଞ୍ଚିଛି। 

​​​​​​​ସୂଚନାନୁଯାୟୀ, ଦକ୍ଷିଣ ରାଉରକେଲାର କଂସର ଅଞ୍ଚଳରେ ଶନିବାର ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି। ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇଯାଇଛି। ଫଳରେ ବିମାନଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ  ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଉଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିମାନଟି ୯ ସିଟର୍ ବିଶିଷ୍ଟ ଥିଲା। ରାଉରକେଲାରୁ ଭୁବନେଶ୍ଵର ଆସୁଥିଲା। ୧୦ କିମି  ଉଡାଣ ପରେ ଦୁର୍ଘଟଣା ହୋଇଛି। କ'ଣ ପାଇଁ ଦୁର୍ଘଟଣା ହୋଇଛି ତାହାର ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି। 

​​​​​​​ଏହି ଦୁର୍ଘଟଣାରେ ଆହତମାନେ ହେଲେ କ୍ୟାପଟେନ୍ ନବୀନ ଖାଡେଙ୍ଗା ଓ କ୍ୟାପଟେନ୍ ତୁରଣ ଶ୍ରୀବାସ୍ତବ। ସେହିପରି ୪ ଯାତ୍ରୀ ହେଲେ ସୁଶାନ୍ତ ବିଶ୍ବାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ବାଲ ଓ ସବିତା ଅଗ୍ରଓ୍ବାଲ। ତେବେ କେଉଁ ପରିସ୍ଥିତିରେ ବିମାନଟି କ୍ରାସ୍ ହେଲା ତାହା ଜଣାପଡ଼ି ନାହିଁ। 

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, 'ରାଉରକେଲାଠାରେ ଘଟିଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର। ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛି। ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି।'​​​​​​​

ଏହି ଖବରଟିକୁ ପଢନ୍ତୁ- ପୀୟୂଷଙ୍କ ଯାତ୍ରା ବନ୍ଦ : ମିଳିଲା କୋର୍ଟ ନୋଟିସ୍, ୧୨ ତାରିଖରେ ହାଜର ହେବେ ବଜରଙ୍ଗୀ​​​​​​​