ନୂଆଦିଲ୍ଲୀ ୩୦/୦୩: ସ୍ଥାୟିତ୍ୱ ଓ ମଜଭୁତ ଗୁଣ ଲାଗି ସମସ୍ତଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଓ ଅତି ବ୍ୟବହାର୍ଯ୍ୟ ଉପାଦାନ ଭାବେ ପରିଗଣିତ ହେଉଛି । କିନ୍ତୁ ଏହି ଦୀର୍ଘସ୍ଥାୟୀ ଗୁଣ ସବୁଠୁ ବଡ଼ ପରିବେଶ ସମସ୍ୟା ଭାବେ ଉଭା ହୋଇଛି । ପ୍ରକୃତିରେ ମିଶିବା ପରେ ଭୟାନକ ବିପଦର କାରଣ ହେଉଛି ପ୍ଲାଷ୍ଟିକ୍‌ । ଶକ୍ତିଶାଳୀ ରସାୟନରେ ପ୍ରସ୍ତୁତ ପାରମ୍ପରିକ ପ୍ଲାଷ୍ଟିକ୍‌ ମାଟିରେ ବିଘଟିତ ହେବା ଅତ୍ୟନ୍ତ କଷ୍ଟକର । ଦଶନ୍ଧି, ଏପରିକି ଅନେକ ଶତାବ୍ଦୀ ଧରି ଏହା ପରିବେଶରେ ରହୁଛି । ଫଳରେ ସୂକ୍ଷ୍ମପ୍ଲାଷ୍ଟିକ୍‌ରେ ବିଭାଜିତ ହୋଇ ଏହା ମଣିଷ ଓ ବନ୍ୟଜୀବଙ୍କ ପାଇଁ ହାନିକାରକ ହେଉଛି । ଏହି ସମସ୍ୟାର ମୁକାବିଲା ପ୍ରୟାସରେ ଜାପାନର ଗବେଷକମାନେ ଏକ ନୂଆ ପ୍ରକାର ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରିଛନ୍ତି । ରିକେନ୍‌ ସେଣ୍ଟର୍‌ ଫର୍‌ ଇମର୍ଜେଣ୍ଟ୍‌ ମ୍ୟାଟର୍‌ ସାଇନ୍ସର ମୁଖ୍ୟ ଗବେଷକ ତାକୁଜୋ ଐଦାଙ୍କ ନେତୃତ୍ୱୀଧୀନ ଟିମ୍‌ ଏହି ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରିଛନ୍ତି । 

ବ୍ୟବହାର ସମୟରେ ଏହା ନିଜର ଦୃଢ଼ତା ଓ ସାମର୍ଥ୍ୟ ବଜାୟ ରଖିବ । ବ୍ୟବହାର ପରେ ଲୁଣ ପାଣିରେ ତୁରନ୍ତ ମିଳେଇ ଯିବ । ଥରେ ମିଳେଇବା ପରେ ଏହି ପ୍ଲାଷ୍ଟିକ୍‌ ଏଭଳି ଯୌଗିକରେ ରୂପାରନ୍ତରିତ ହେବ, ଯାହା ପରିବେଶର କ୍ଷତି କରିବ ନାହିଁ । ଏହା ଦ୍ୱାରା ପରିବେଶ ଉପରେ ପ୍ଲାଷ୍ଟିକ୍‌ର ପ୍ରଭାବ ହ୍ରାସ ପାଇବ । ଅଧ୍ୟୟନରେ ଐଦା ଓ ତାଙ୍କ ଟିମ୍‌ ସୁପ୍ରାମଲିକ୍ୟୁଲାର ପ୍ଲାଷ୍ଟିକ୍‌-ପଲିମର ସହିତ ଏହି ସମସ୍ୟାର ସମାଧାନ ଉପରେ ଫୋକସ୍‌ କରିଥିଲେ, ଯାହାର ଢାଞ୍ଚାକୁ ଓଲଟା ପାରସ୍ପରିକ କ୍ରିୟା ଦ୍ୱାରା ଏକାଠି ରଖାଯାଇଥିଲା । କ୍ରସ୍‌-ଲିଙ୍କ୍‌ ଲୁଣ ସେତୁ ଗଠନ କରୁଥିବା ଦୁଇଟି ଆୟନ ମନୋମର୍‌କୁ ଯୋଡ଼ି ନୂଆ ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରାଗଲା, ଯାହା ଦୃଢ଼ତା ଓ ନମନୀୟତା ପ୍ରଦାନ କଲା । ପ୍ରାରମ୍ଭିକ ପରୀକ୍ଷାରେ, ଦୁଇଟି ମନୋମର୍‌ ମଧ୍ୟରୁ ଗୋଟିଏ ଖାଦ୍ୟରେ ମିଶାଯାଉଥିବା ସାଧାରଣ ତତ୍ତ୍ୱ ସୋଡ଼ିୟମ୍‌ ହେକ୍ସାମେଟାଫସ୍‌ଫେଟ୍‌ ଥିଲା । ଅନ୍ୟଟି ଅନେକ ଗୁଆନିଡିନିୟମ୍‌ ଆୟନ୍‌-ଆଧାରିତ ମନୋମର୍‌ ମଧ୍ୟରୁ ଗୋଟିଏ ଥିଲା । ଉଭୟ ମନୋମର୍‌ ଜୀବାଣୁ ଦ୍ୱାରା ମେଟାବଲାଇଜ୍‌ ହୋଇପାରେ । ଏହାର ଉପାଦାନଗୁଡ଼ିକରେ ପ୍ଲାଷ୍ଟିକ୍‌ ଦ୍ରବୀଭୂତ ହେଲେ ଏହା ପ୍ଲାଷ୍ଟିକ୍‌କୁ ଜୈବ ବିଘଟିତ କରାଏ ।

ସୁପ୍ରାମଲିକ୍ୟୁଲାର ପ୍ଲାଷ୍ଟିକ୍‌ରେ ବନ୍ଧନର ଏହି ଓଲଟା ପ୍ରକୃତି ପ୍ଲାଷ୍ଟିକ୍‌କୁ ଦୁର୍ବଳ ଓ ଅସ୍ଥାୟୀ କରିଛି ବୋଲି ଐଦା କହିଛନ୍ତି । ସମୁଦ୍ର ଜଳରେ ଥିବା ଇଲେକ୍ଟ୍ରୋଲାଇଟ୍‌ ସଂସ୍ପର୍ଶରେ ନ ଆସିବା ପର୍ଯ୍ୟନ୍ତ ନୂଆ ଉପକରଣରେ ଲୁଣ ସେତୁ ଢାଞ୍ଚା ଅପରିବର୍ତ୍ତିତ ରହେ । ଆବିଷ୍କାରର ମୁଖ୍ୟ ଦିଗ ଥିଲା, ଏହି ନିର୍ଦ୍ଦିଷ୍ଟ ଅପରିବର୍ତ୍ତିତ କ୍ରସ୍‌-ଲିଙ୍କ୍‌ର ସୃଷ୍ଟି । ଯେମିତି ତେଲ ଓ ପାଣିରେ ଦୁଇଟି ମନୋମର୍‌କୁ ଏକତ୍ର ପାଣିରେ ମିଶାଯାଏ, ଗବେଷକମନେ ଦୁଇ ଅଲଗା ତରଳ (ମନୋମର୍‌)କୁ ଅବଲୋକନ କଲେ । ଗୋଟିଏ ବହଳିଆ ଓ ଅଠାଳିଆ ଥିଲା ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାଗତ କ୍ରସ୍‌-ଲିଙ୍କ ଲୁଣ ସେତୁ ସାମିଲ ଥିଲେ । ଅନ୍ୟଟି ପାଣିଆ ଓ ଲୁଣ ଆୟନ୍‌ଯୁକ୍ତ ଥିଲା । ଉଦାହରଣ ସ୍ୱରୂପ, ସୋଡିୟମ୍‌ ହେକ୍ସାମେଟାଫସ୍‌ଫେଟ୍‌ ଓ ଆଲ୍‌କାଇଲ୍‌ ଡାଇଗୁଆନିଡିନିୟମ୍‌ ସଲ୍‌ଫେଟ ଯେତେବେଳେ ବ୍ୟବହୃତ ହେଲା, ସୋଡିୟମ୍‌ ସଲ୍‌ଫେଟ୍‌ ସଲ୍‌ଟ ପାଣିଆ ପରସ୍ତ ଭାବେ ବାହାରିଲା । ବହଳିଆ ଅଠାଳିଆ ତରଳ ପରସ୍ତରେ ଯାହା ରହିଲା, ତାକୁ ଶୁଖାଇ ଚୂଡ଼ାନ୍ତ ପ୍ଲାଷ୍ଟିକ୍‌ ‘ଆଲ୍‌କାଇଲ ଏସ୍‌ପି୨’ ପ୍ରସ୍ତୁତ କରାଗଲା । ଏଥିରୁ ଲୁଣକୁ ଅଲଗା କରିବା ଜଟିଳ ସୋପାନ ଥିଲା । ଏହା ବିନା ଶୁଷ୍କ ଉପକରଣ ଭଙ୍ଗୁର ସ୍ଫଟିକ ଥିଲା, ଯାହା ବ୍ୟବହାର ଅନୁପଯୋଗୀ । ପ୍ଲାଷ୍ଟିକ୍‌କୁ ଲୁଣ ପାଣିରେ ରଖି ତାକୁ ପୁନଃ ଲବଣଯୁକ୍ତ କରିବା ଦ୍ୱାରା ପାରସ୍ପରିକ କ୍ରିୟା ଓଲଟା ହେଲା ଏବଂ ପ୍ଲାଷ୍ଟିକ୍‌ର ଢାଞ୍ଚା କିଛି ଘଣ୍ଟାରେ ଅସ୍ଥାୟୀ ହେଲା । ତେଣୁ ନିର୍ଦ୍ଦିଷ୍ଟ ସ୍ଥିତିରେ ଦ୍ରବୀଭୂତ ହୋଇପାରୁଥିବା ଏକ ଶକ୍ତିଶାଳୀ ଓ ସ୍ଥାୟୀ ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରିବା ପରେ ଗବେଷକମାନେ ପ୍ଲାଷ୍ଟିକ୍‌ର ଗୁଣବତ୍ତାକୁ ପରୀକ୍ଷା କଲେ ।