ବାର୍ସେଲୋନା: ଯୁରୋପ ଏବେ ଏକ ଭୟଙ୍କର ଗରମ ଲହରୀରେ ଛନ୍ଦି ହୋଇ ରହିଛି। ସ୍ପେନର ବାର୍ସେଲୋନାରେ ଜୁନ୍ ମାସରେ ରେକର୍ଡ ଭାଙ୍ଗା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ସ୍ପେନର ଜାତୀୟ ପାଣିପାଗ ସେବା ଅନୁଯାୟୀ, ବାର୍ସେଲୋନାର କାନ୍ ଫାବ୍ରା ଅବଜର୍ଭେଟୋରୀରେ ଜୁନ୍ ମାସର ହାରାହାରି ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ (୭୮ ଡିଗ୍ରୀ ଫାରେନହାଇଟ୍) ରେକର୍ଡ କରାଯାଇଛି। ଯାହା ୧୯୧୪ ମସିହା ପରଠାରୁ ସର୍ବକାଳିନ ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ୨୦୦୩ ମସିହାରେ ରେକର୍ଡ ହୋଇଥିବା ୨୫.୬ ଡିଗ୍ରୀ ସେଲସିୟସର ରେକର୍ଡକୁ ମଦ୍ୟ ଭାଙ୍ଗିଛି। ସୋମବାର, ୩୦ ଜୁନରେ ଏକକାଳୀନ ତାପମାତ୍ରା ୩୭.୯ ଡିଗ୍ରୀ ସେଲସିୟସ (୧୦୦ ଡିଗ୍ରୀ ଫାରେନହାଇଟ୍) ରେକର୍ଡ କରାଯାଇଥିଲା।
ସ୍ପେନରେ ଏହି ଗରମ ଲହରୀ ଯୋଗୁଁ ଦେଶର ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚିଛି। ହୁଏଲଭା ପ୍ରାନ୍ତରେ ୪୬ ଡିଗ୍ରୀ ସେଲସିୟସର ତାପମାତ୍ରା ରେକର୍ଡ କରାଯାଇଛି, ଯାହା ଜୁନ୍ ମାସ ପାଇଁ ଏକ ନୂଆ ରେକର୍ଡ। ଏହା ପୂର୍ବରୁ ୧୯୬୫ ମସିହାରେ ସେଭିଲେରେ ରେକର୍ଡ ହୋଇଥିବା ୪୫.୨ ଡିଗ୍ରୀ ସେଲସିୟସକୁ ଅତିକ୍ରମ କରିଛି।
ଫ୍ରାନ୍ସରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ପ୍ରଭାବିତ କରିଛି। ପ୍ୟାରିସ ସମେତ ଫ୍ରାନ୍ସର ୧୬ଟି ଅଞ୍ଚଳରେ ମଙ୍ଗଳବାର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ୟାରିସରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଯୋଗୁଁ ଏଫେଲ୍ ଟାଓ୍ଵାରର ଉପରି ଅଂଶ ଅତିକମରେ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ। ଫ୍ରାନ୍ସରେ ପ୍ରାୟ ୨୦୦ ବିଦ୍ୟାଳୟ ଗରମ ଯୋଗୁଁ ବନ୍ଦ ବା ଆଂଶିକ ବନ୍ଦ ରହିଛି। ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର କର୍ବିଏର୍ସ ଅଞ୍ଚଳରେ ଜଙ୍ଗଲ ନିଆଁ ଯୋଗୁଁ ଏକ କ୍ୟାମ୍ପସାଇଟକୁ ମଧ୍ୟ ଖାଲି କରାଯାଇଛି।
ସେହିପରି ପର୍ତ୍ତୁଗାଲରେ ମଧ୍ୟ ଜୁନ୍ ମାସରେ ରେକର୍ଡ ସ୍ତରିୟ ତାପମାତ୍ରା ୪୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଇଟାଲୀରେ ୨୧ଟି ସହରରେ ଗ୍ରୀଷ୍ମ ପ୍ରବାହ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି ଏବଂ କିଛି ଅଞ୍ଚଳରେ ଦିନ ସମୟରେ ବାହାରେ କାମ କରିବା ଉପରେ କଟକଣା ଲଗାଯାଇଛି। ତୁର୍କୀରେ ଜଙ୍ଗଲ ନିଆଁ ଯୋଗୁଁ ୫୦,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।
ସମଗ୍ର ବିଶ୍ୱରେ ପରିଲକ୍ଷିତ ହେଉଥିବା ଗ୍ରିଷ୍ମ ଲହରିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଲହରୀର ତୀବ୍ରତା ଓ ସଘନତା ବଢ଼ିଛି। ଜାତିସଂଘର ମହାସଚିବ ଆନ୍ତୋନିଓ ଗୁଟେରେସ କହିଛନ୍ତି, “ଅତ୍ୟଧିକ ଗରମ ଏବେ ଏକ ସାଧାରଣ ଘଟଣା ହୋଇଗଲାଣି। ଏହା ଜଳବାୟୁ ସଙ୍କଟର ଏକ ସଙ୍କେତ।” ଜଳବାୟୁ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକୁ ନିୟନ୍ତ୍ରଣ ନକରାଯାଏ। ତେବେ ଆଗାମୀ ଦଶନ୍ଧିରେ ଏହିପରି ଗରମ ଲହରୀ ଆହୁରି ଅଧିକ ଘନ ଓ ତୀବ୍ର ହେବ।
ଗରମରେ ଆଉଟୁପାଉଟୁ ହୋଇ ବାର୍ସେଲୋନାରେ ଲୋକମାନେ ଏୟାର-କଣ୍ଡିସନ୍ଡ କାଫେ ଓ ବାରରେ ଆଶ୍ରୟ ନେଉଛନ୍ତି, ଏବଂ ବେଳାଭୂମିଗୁଡ଼ିକ ଗହଳି ହେଉଛି। ପ୍ୟାରିସରେ ମେଟ୍ରୋ ଷ୍ଟେସନଗୁଡ଼ିକ ଏୟାର-କଣ୍ଡିସନିଂ ଯୋଗୁଁ ଗହଳି ହେଉଛି। ସ୍ଥାନୀୟ ପ୍ରଶାସନ ବୃଦ୍ଧ, ଗର୍ଭବତୀ ମହିଳା ଓ ଦୀର୍ଘକାଳୀନ ରୋଗରେ ପୀଡ଼ିତ ଲୋକଙ୍କୁ ଅଧିକ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି।
ଏହି ଗରମ ଲହରୀ ଯୁରୋପୀୟ ସହରଗୁଡ଼ିକରେ ଜନଜୀବନକୁ ପ୍ରଭାବିତ କରିବା ସହ ଜଳବାୟୁ ପରିବର୍ତ୍ତନର ଗମ୍ଭୀରତାକୁ ସୂଚାଇଛି। ସ୍ଥାୟୀ ଶୀତଳୀକରଣ ପ୍ରଯୁକ୍ତି ଓ ସବୁଜ ଅଞ୍ଚଳ ବୃଦ୍ଧି ପାଇଁ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।