ଜାମସେଦପୁର, ୭।୧୨: ବର୍ତ୍ତମାନ ସମୟରେ ଭାରତ ଚତୁର୍ଥ ଶିଳ୍ପ ବିପ୍ଲବର ନେତୃତ୍ବ ନେବାକୁ ଯାଉଛି। ସାମ୍ପ୍ରିତକ ସମୟରେ ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସମ୍ପୂଣ୍ର୍ଣ ଭାବରେ ଉପଯୋଗ କରିବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ମେଗା ମହାଶକ୍ତିରେ ପରିଣତ କରିବା ଦିଗରେ ଦାୟିତ୍ବ ନିର୍ବାହ କରିବା ପାଇଁ ଆହ୍ବାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଜାମସେଦପୁର ସ୍ଥିତ ଏକ୍ସଏଲଆରଆଇ-ଜାଭିୟର ସ୍କୁଲ ଅଫ ମ୍ୟାନେଜମେଣ୍ଟର ପ୍ଲାଟିନମ ଜୁବୁଲି ଉତ୍ସବର ସମାପନୀ ସମାରୋହରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହି ଆହ୍ବାନ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନ ୭୫ ବର୍ଷର ଗୌରବମୟ ପୂର୍ତ୍ତି ହାସଲ କରିଥିବାରୁ ଶୁଭେଛା ଜଣାଇବା ସହ ସେ କହିଛନ୍ତି ଯେ ଭାରତ ଯେତେବେଳେ ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ ତମ ବାର୍ଷିକୀ ପାଳନ କରୁଛି ସେତେବେଳେ ଏକ୍ସଏଲଆରଆଇ-ଜାଭିୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ୭୫ ବର୍ଷର ଶିକ୍ଷାର ଉତ୍କର୍ଷତାକୁ ଉତ୍ସବ ଭାବରେ ପାଳନ କରିବା ସୌଭାଗ୍ୟର ବିଷୟ। ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଏହି ଶିକ୍ଷାନୁଷ୍ଠାନ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ଯୋଗଦାନ ରଖିଛି।