ଭୁବନେଶ୍ୱର,୨୩/୦୫: ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଫଳ ୨୦ ଦିନ ହେଲା ପ୍ରକାଶ ପାଇଲାଣି ।  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ଦଶମ ଶ୍ରେଣୀ ରେଜଲ୍ଟ  ୧୦ ଦିନ ହେଲା ପ୍ରକାଶ ପାଇଲାଣି ।  ହେଲେ ଯୁକ୍ତ ଦୁଇ ନାମଲେଖା ପାଇଁ ଏଯାଏ ବିଜ୍ଞପ୍ତି ପ୍ରକାଶ ପାଇ ପାରିଲାନି । ରାଜ୍ୟରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ  ହୋଇଥିବା ୫ ଲକ୍ଷ ପିଲା ଯୁକ୍ତ ୨ରେ  ନାମଲେଖାଇବା ପାଇଁ ଆବେଦନକୁ ଅପେକ୍ଷା କରିଛନ୍ତି । ଏ ବର୍ଷ ନାମଲେଖା  ପ୍ରକ୍ରିୟାରେ ପଛରେ ପଡ଼ିଛି ବିଦ୍ୟାଳୟ  ଓ ଗଣଶିକ୍ଷା ବିଭାଗ । ପୂର୍ବ ବର୍ଷ ପରି ଏବର୍ଷ ବି ନାମଲେଖା ନଭେମ୍ବର ମାସ ଯାଏ ଚାଲିବ ବୋଲି ଶିକ୍ଷାବିତ୍‌ମାନେ  ଆଶଙ୍କା କରିଛନ୍ତି । ପାଠପଢ଼ା, କୋର୍ସ  ସରିବାରେ ମଧ୍ୟରେ ବିଳମ୍ବ ହେବ  ବୋଲି ଆଶଙ୍କା ପ୍ରକାଶ ପାଇଛି । 

ନାମଲେଖା ପ୍ରକ୍ରିୟାରେ ସବୁଠୁ ଆଗରେ ରହିଛି ଉଚ୍ଚ ଶିକ୍ଷା ବିଭାଗ ।  ସ୍ନାତକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଆରମ୍ଭ କରିସାରିଛି ଯୁକ୍ତ ତିନି, ସ୍ନାତକୋତ୍ତର, ବିଏଡ୍‌ ନାମଲେଖା ପ୍ରକ୍ରିୟା । ସ୍ନାତକୋତ୍ତର ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ସରିଛି । ବିଏଡ୍‌ ପାଇଁ ଆବେଦନ ସରିଥିବା ବେଳେ ଜୁନ୍‌ ୧ରେ ପ୍ରବେଶିକା  ପରୀକ୍ଷା ହେବ । 

ଯୁକ୍ତ ତିନି ନାମଲେଖା ଆବେଦନ ଚାଲିଛି, ଆସନ୍ତା ସପ୍ତାହରେ  ଏହା ଶେଷ ହେବ । ଉଚ୍ଚଶିକ୍ଷା ବିଭାଗର ଆଗୁଆ ନାମଲେଖାର ଉଦ୍ଦେଶ୍ୟ ହେଉଛି  ଯେ ପୂର୍ବ ବର୍ଷ ପରି ଏବର୍ଷ ନଭେମ୍ବର  ଡିସେମ୍ବର ମାସ ଯାଏ ନାମଲେଖା  ଚାଲିବନି । ଏହା ଦ୍ୱାରା ପାଠପଢ଼ାରେ  ବାଧା ଉପଜୁଛି। ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ  ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ ଗଣଶିକ୍ଷା ବିଭାଗ ନାମଲେଖା ଶୀଘ୍ର ସାରିବା  ଦିଗରେ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନେବା ପରି ଜଣାପଡ଼ୁନି ।  ବିଭାଗ ଏଯାବତ ନାମଲେଖା ବିଜ୍ଞପ୍ତି  ପ୍ରକାଶ କରିନି । ଯାହାକୁ ନେଇ  ଛାତ୍ରଛାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି । 

ସୂଚନାଯୋଗ୍ୟ, ରାଜ୍ୟରେ ମାଧ୍ୟମିକ  ଶିକ୍ଷା ବୋର୍ଡ ପରୀକ୍ଷାରେ ଚଳିତବର୍ଷ ୪  ଲକ୍ଷ ୮୪ ହଜାର ୮୬୩ ଜଣ ଉତ୍ତୀର୍ଣ୍ଣ  ହୋଇଛନ୍ତି । ସେହିପରି ସିବିଏସ୍‌ଇ  ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ  ୫୫ ହଜାର ୭୩୪ଜଣ ପିଲା ଉତ୍ତୀର୍ଣ୍ଣ  ହୋଇଛନ୍ତି ।ସାମ୍‌ସ ତଥ୍ୟ ଅନୁଯାୟୀ,  ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ  ମୋଟ ୨୩୯୭ କଲେଜରେ ୫ ଲକ୍ଷ  ୬୩ ହଜାର ୬୭୭ ସିଟ୍‌ ରହିଛି। ଏଥିରୁ କଳାରେ ୩ ଲକ୍ଷ ୧୭ ହଜାର  ୭୦୮, ବିଜ୍ଞାନରେ ୧ ଲକ୍ଷ ୭୯ ହଜାର  ୯୬୫, ବାଣିଜ୍ୟରେ ୪୧ ହଜାର  ୯୧୨, ସଂସ୍କୃତରେ ୧୩ ହଜାର ୫୦୪,  ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୮୮  ସିଟ୍‌ ରହିଛି । ଶିକ୍ଷାବିତ୍‌ଙ୍କ କହିବା କଥା,  ଏପରି ଯଦି ନାମଲେଖା ପ୍ରକ୍ରିୟାରେ  ବିଳମ୍ବ ହୁଏ ତେବେ ସିଟ୍‌ ଫାଙ୍କା  ପଡ଼ିବ । ପିଲାମାନେ ହଇରାଣ ହେବେ ।  ଗତବର୍ଷ ଭଳି ଏବର୍ଷ ବି ନଭେମ୍ବର ମାସ  ଯାଏ ନାମଲେଖା ପ୍ରକ୍ରିୟା ଚାଲିପାରେ ।