ନୂଆଦିଲ୍ଲୀ,୧୨/୦୭: ଦେଶରେ ୪୭ ସ୍ଥାନରେ ୧୬ତମ ମେଗା ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ଏଥିରେ ଭିଡିଓ କନଫରେନ୍ସିଂ ଜରିଆରେ ୫୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ନବନିଯୁକ୍ତଙ୍କୁ ସମ୍ବୋଧନ କରିଛନ୍ତି । ଆଜି ଭାରତ ଏକ ବଡ଼ ଶକ୍ତି । ଭାରତ ପାଖରେ ଦୁଇ ଅସୀମିତ ଶକ୍ତି ରହିଛି । ଗୋଟିଏ ଡେମୋଗ୍ରାଫି ଅନ୍ୟଟି ଡେମାକ୍ରାସି । ଯୁବଗୋଷ୍ଠୀଙ୍କର ଏହି ଶକ୍ତି ଭାରତର ଉଜ୍ୱଳ ଭବିଷ୍ୟତର ସର୍ବୋତ୍ତମ ସମ୍ପତ୍ତି ଓ ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ବିଶ୍ୱ ସ୍ୱୀକାର କରୁଛି ଯେ ଭାରତରେ ଦୁଇଟି ଅସୀମ ଶକ୍ତି ଅଛି - ପ୍ରଥମ, ଜନସଂଖ୍ୟା ଏବଂ ଦ୍ୱିତୀୟ, ଗଣତନ୍ତ୍ର । ଯୁବଶକ୍ତିର ଏହି ଶକ୍ତି ହେଉଛି ସର୍ବୋତ୍ତମ ସମ୍ପତ୍ତି ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସର୍ବୋତ୍ତମ ଗ୍ୟାରେଣ୍ଟି । ଆମ ସରକାର ଏହି ସମ୍ପତ୍ତିକୁ ସମୃଦ୍ଧିର ଏକ ସୂତ୍ର କରିବାରେ ନିୟୋଜିତ। ନିକଟରେ ମୁଁ ପାଞ୍ଚଟି ଦେଶ ଗସ୍ତରୁ ଫେରିଛି । ପ୍ରତ୍ୟେକ ଦେଶରେ ଭାରତର ଯୁବଶକ୍ତିର ପ୍ରତିଧ୍ୱନିତ ଦେଖିବାକୁ ମିଳିଥିଲା । ଏହି ସମୟ ହୋଇଥିବା ସମସ୍ତ ଚୁକ୍ତିନାମା ନିଶ୍ଚିତ ଭାବରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତର ଯୁବଶକ୍ତିକୁ ଲାଭ ଦେବ । "

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, " ଆମର ଉଦ୍ଦେଶ୍ୟ ହେଉଛି 'ବିନା ପରଚି ବିନା ଖରଚି' । ରୋଜଗାର ମେଳା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ପାଇଛନ୍ତି ଏବଂ ଦେଶର ବିକାଶରେ ଯୋଗଦାନ କରୁଛନ୍ତି । କିଛି ଦେଶକୁ ସୁରକ୍ଷା ଦେବେ, କିଛି ସମସ୍ତଙ୍କ ପାଇଁ ସାହାଯ୍ୟ'ର ଯୋଦ୍ଧା, କେତେକ ଆର୍ଥିକ ଅନ୍ତର୍ଭୁକ୍ତି ମିଶନକୁ ମଜବୁତ କରିବେ, ଏବଂ ଅନେକ ଦେଶର ଶିଳ୍ପ ବିକାଶକୁ ବୃଦ୍ଧି କରିବେ । ଆପଣଙ୍କର ବିଭାଗ ଅଲଗା ଅଲଗା ହୋଇଥାଇପାରେ ହେଲେ ଲକ୍ଷ୍ୟ ଗୋଟିଏ ତାହା ହେଲା ରାଷ୍ଟ୍ର ସେବା ।''

ରୋଜଗାର ସୃଜନକୁ ପ୍ରାଥମିକତା ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ସମ୍ପୂର୍ଣ୍ଣ କରିବାରେ  ନିଯୁକ୍ତି ମେଳା ଏକ ପଦକ୍ଷେପ । ଏଯାବତ୍‌ ରୋଜଗାର ମେଳା ମାଧ୍ୟମରେ ସାରା ଦେଶରେ ୧୦ ଲକ୍ଷରୁ  ଅଧିକ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶବ୍ୟାପୀ ଚୟନ ହୋଇଥିବା  ଏହି ନୂତନ କର୍ମଚାରୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡାକ  ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ,  ରୋଜଗାର ମନ୍ତ୍ରଣାଳୟ ସହ ବିଭିନ୍ନ  ମନ୍ତ୍ରଣାଳୟରେ ଯୋଗ ଦେଇଛନ୍ତି ।