ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗରୁବାର ଫୋନ୍ ଯୋଗେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପିଏମ ମୋଦୀ ଆଲୋଚନା କରିଛନ୍ତି।  ଏହି ବାର୍ତ୍ତାଳାପ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରନଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି । ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଦ୍ୱନ୍ଦ୍ୱର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଉପରେ ମତ ବିନିମୟ ହୋଇଛି । ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛି ।




ସେପଟେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛି। ଆମେ ୟୁକ୍ରେନ୍ ଯୁଦ୍ଧ ଉପରେ ଆଲୋଚନା କରିଛୁ। ଏହା ଦ୍ଵାରା ଆମେ ୟୁକ୍ରେନ୍ ଏବଂ ୟୁରୋପର ସୁରକ୍ଷା ପାଇଁ ଦୃଢ଼ ଗ୍ୟାରେଣ୍ଟି ସହିତ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ଆଡକୁ ଅଗ୍ରସର ହୋଇପାରିବା । ବାଣିଜ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଆମର ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବାକୁ ସହମତ ହୋଇଛୁ, ଯାହା ଆମର ସାର୍ବଭୌମତ୍ୱ ଏବଂ ସ୍ୱାଧୀନତାର ଚାବିକାଠି ।’

ରାଷ୍ଟ୍ରପତି ମାକ୍ରନ୍ ପୋଷ୍ଟରେ ଆହୁରି ଲେଖିଛନ୍ତି, ଗତ ଫେବୃଆରୀରେ ପ୍ୟାରିସରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତ୍ତା ଉପରେ ସମ୍ମିଳନୀ ପରେ ଏବେ ଆମେ ୨୦୨୬ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ସମ୍ମିଳନୀର ସଫଳତା ପାଇଁ କାମ କରୁଛୁ । 

ସୂଚନାଯୋଗ୍ୟ, ଏହି ସପ୍ତାହରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଉପସ୍ଥିତ ଥିବା ୟୁରୋପୀୟ ନେତାମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ସାମିଲ ଥିଲେ । ୟୁକ୍ରେନ ଯୁଦ୍ଧ ଉପରେ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବୈଠକର କିଛି ଦିନ ପରେ ଜେଲେନସ୍କିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ସାକ୍ଷାତ ହୋଇଥିଲା ।