ନୂଆଦିଲ୍ଲୀ,୦୪/୦୧: ବର୍ଷ ୨୦୨୫ ଆରମ୍ଭରେ ଗ୍ରାମୀଣ ଭାରତ ମହୋତ୍ସବର ଏହି ଭବ୍ୟ ଆୟୋଜନ ବିକାଶ ଯାତ୍ରାର ପରିଚୟ ହୋଇଛି । ଭାରତରେ ଗାଁର ଶକ୍ତି କଣ ସମସ୍ତଙ୍କୁ ଜଣା । ଗାଁ ସମସ୍ତଙ୍କ ହୃଦୟରେ ରହିଛି । ଗାଁ ସମସ୍ୟା ସହ ମୁଁ ବଞ୍ଚିଛି ଓ ସମ୍ଭାବନାକୁ ଜାଣିଛି । ଗାଁ ଲୋକ ବହୁତ ପରିଶ୍ରମ କରନ୍ତି ମାତ୍ର ପୁଞ୍ଜି ଅଭାବରୁ ଆବଶ୍ୟକୀୟ ଅବସର ମିଳେନାହିଁ । ଗାଁ ଲୋକଙ୍କ ମଧ୍ୟରେ ବିବିଧତାପୂର୍ଣ୍ଣ ସାମର୍ଥ୍ୟ ରହିଛି । ମାତ୍ର ପ୍ରାକୃତିକ ବିପର୍ଯ୍ୟୟରେ ସବୁ କିଛି ଶେଷ ହୋଇଯାଏ । ଭାରତ ମଣ୍ଡପମରେ ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ର ଉଦଘାଟନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗାଁ ଲୋକଙ୍କ ସମସ୍ୟାକୁ ନିକଟରୁ ଦେଖି ଥିବାରୁ ଗାଁ ଗରିବଙ୍କ ସମସ୍ୟା ସମାଧାନ କରିବାକୁ ସଂକଳ୍ପ ନେଇଥିଲି । ଦେଶର ଗ୍ରାମାଞ୍ଚଳରେ ଯେଉଁ ସବୁ କାମ ହେଉଛି ସେଥିରେ ଗାଁ ଲୋକଙ୍କ ଭୂମିକା ରହିଛି । ୨୦୧୪ରୁ ଗ୍ରାମୀଣ ଭାରତର ସେବାରେ ଲାଗିଛି । ସେମାନଙ୍କୁ ଗରିମାପୂର୍ଣ୍ଣ ସହଜ ଜୀବନ ଦେବା ସରକାରଙ୍କ ପ୍ରାଥମିକତା । ଗାଁ ଲୋକ ସଶକ୍ତ ହୁଅନ୍ତୁ ସେମାନଙ୍କୁ ଗାଁରେ ଆଗକୁ ବଢିବାକୁ ଅବସର ମିଳୁ ସେମାନଙ୍କ ଜୀବନ ସହଜ ହେଉ ଏହା ଆମ ଭିଜନ । ସ୍ବଚ୍ଛ ଭାରତ ଅଭିଯାନରେ ଘରେ ଘରେ ଶୌଚାଳୟ, ପିଏମ ଆବାସ ଯୋଜନାରେ ପକ୍କା ଘର, ଜଳ ଜୀବନ ମିଶନରେ ବିଶୁଦ୍ଧ ପନୀୟ ଜଳ ଯୋଗାଇ ଦେଇଛୁ । ଗ୍ରାମୀଣ ଭାରତର ଏହି ମହୋତ୍ସବ ଗାଁ ଗାଁରେ ପହଞ୍ଚୁ । ଗାଁ ସଶକ୍ତ ହେଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗ୍ରାମୀଣ ଭାରତ ମହୋତ୍ସବ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଜବୁତ କରିବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ଫୋକସରେ ରଖିବାକୁ ପଡିବ । ଗାଁ ଲୋକଙ୍କ ଖର୍ଚ୍ଚ କରିବାର କ୍ଷମତା ପୂର୍ବାପେକ୍ଷା ୩ ଗୁଣ ବଢିଛି । ଲୋକ ନିଜ ଜୀବନକୁ ଉନ୍ନତମାନର କରିବା ପାଇଁ ଚେଷ୍ଟିତ । ଆଗ ଅପେକ୍ଷା ଅଧିକ ଖର୍ଚ୍ଚ କରୁଛନ୍ତି । ସହରାଞ୍ଚାଳ ଅପେକ୍ଷା ଗ୍ରାମାଞ୍ଚଳରେ ଖର୍ଚ୍ଚ ବଢିଛି । ଏହା ଅର୍ଥ ଲୋକ ସେମାନଙ୍କ ଆବଶ୍ୟକତାର ଜିନିଷ କିଣୁଛନ୍ତି । ସହର ଅପେକ୍ଷା ଗାଁ ଲୋକ ଖର୍ଚ୍ଚ ଅଧିକ କରୁଥିବା ସର୍ଭେରୁ ଜଣାପଡିଛି । ଗାଁରେ ସଫଳତାର ଅନେକ ଗାଥା ରହିଛି ଯାହା ଆମକୁ ପ୍ରେରଣା ଦେଉଛି । ଗାଁର ବିକାଶରେ ରାଷ୍ଟ୍ରର ବିକାଶ ମନ୍ତ୍ରକୁ ନେଇ ଆଗକୁ ବଢୁଛୁ । ଗାଁରେ ଗରିବୀ କମିଛି ।

ପୂର୍ବ ସରକାରଙ୍କୁ ଟାର୍ଗେଟ- ବର୍ତ୍ତମାନ ଗାଁରେ ଯେଉଁ ବିକାଶ ହୋଇଛି ତାହା ପୂର୍ବ ସରକାରରେ ମଧ୍ୟ ହୋଇପାରିଥାନ୍ତା । ହେଲେ ସେମାନଙ୍କୁ ମୋଦିର ଅପେକ୍ଷା ଥିଲା କି । ସ୍ବାଧୀନତା ପରେ ଦେଶର ଲକ୍ଷ ଲକ୍ଷ ଗାଁ ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି । ଦେଶରେ ସର୍ବାଧିକ ଏସଏସି, ଏସଟି ଓ ଓବିସି ଲୋକ ଗାଁରେ ରହିଥାନ୍ତି । ପୂର୍ବ ସରକାର ସେମାନଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇନାହିଁ । ସୀମା ନିକଟ ଗାଁକୁ ଦେଶର ଶେଷ ଗାଁ କୁହାଯାଉଥିଲା । ସୂର୍ଯ୍ୟର ପ୍ରଥମ କିରଣ ସେହି ଗାଁରେ ପଡିଥାଏ । ଆମ ପାଇଁ ସେ ଶେଷ ନୁହେଁ ପ୍ରଥମ ଗାଁ । ସୀମାନ୍ତ ଗାଁର ବିକାଶ ପାଇଁ ଭାଇବ୍ରାଣ୍ଟ ଭିଲେଜ ସ୍କିମ ହୋଇଛି ଯାହା ସେମାନଙ୍କ ଆୟ ବଢାଇଛି । ଅର୍ଥାତ ଯେଉଁମାନଙ୍କୁ କେହି ପଚାରିଲେ ନାହିଁ ସେମାନଙ୍କୁ ମୋଦି ପୂଜା କରିଛି ।