ନୂଆଦିଲ୍ଲୀ: ଭାରତ ଏବଂ କୁଏତ ମଧ୍ୟରେ ପରମ୍ପରାଗତ ଭାବରେ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି, ଯାହାକି ସହଭାଗୀ ଇତିହାସ,ଦୃଢ ବାଣିଜ୍ୟ ସମ୍ପର୍କ ଏବଂ ସାଂସ୍କୃତିକ ସହଭାଗିତା ଉପରେ ଆଧାରିତ। ଚଳିତ ବର୍ଷ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆନୁଷ୍ଠାନିକ ଗସ୍ତ ହେଉଛି, ଯାହାକି ୪୩ ବର୍ଷ ପରେ ହେଉଛି । ଏହି ଗସ୍ତ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଛି, ଯାହା ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗକୁ ପ୍ରତିଫଳିତ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବୁଧବାର କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୨୧-୨୨ରେ କୁଏତ ଗସ୍ତ କରିବେ।
ବହୁ ପୁରାତନ କାଳରୁ ଭାରତ ଏବଂ କୁଏତ ମଧ୍ୟରେ ସମ୍ପର୍କ ମଜବୁତ ରହିଆସିଛି, ଯେତେବେଳେ କି କୁଏତର ଅର୍ଥନୈତିକ ବ୍ୟବସ୍ଥା ସାମୁଦ୍ରିକ ବାଣିଜ୍ୟ ଉପରେ ନିର୍ଭରଶୀଳ ଥିଲା। ଭାରତରୁ କୁଏତକୁ ବାଣିଜ୍ୟିକ ଜାହାଜ ମାଧ୍ୟମରେ କାଠ, ଶସ୍ୟ, ବସ୍ତ୍ର ଏବଂ ମସଲା ପଠାଯାଉଥିବା ବେଳେ କୁଏତରୁ ଭାରତକୁ ଖଜୁରୀ, ଆରବୀୟ ଘୋଡା ଏବଂ ମୋତି ପଠାଯାଉଥଥିଲା । ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କର ସ୍ଥିରତାର ପ୍ରତୀକ ଭାବରେ ୧୯୬୧ ପର୍ଯ୍ୟନ୍ତ କୁଏତରେ ଭାରତୀୟ ଟଙ୍କା ଆଇନଗତ ଭାବରେ ପ୍ରଚଳିତ ହେଉଥିଲା ।
୧୯୬୧ ମସିହାରେ ଭାରତ ଏବଂ କୁଏତ ମଧ୍ୟରେ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ସେବେ ଠାରୁ ଭାରତର ଉପରାଷ୍ଟ୍ରପତି ଡକ୍ଟର ଜାକିର ହୁସେନ୍ (୧୯୬୫), ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (୧୯୮୧) ଏବଂ ଉପରାଷ୍ଟ୍ରପତି ହମିଦ ଅନସାରୀ (୨୦୦୯) ଙ୍କ ସମେତ ଦୁଇ ଦେଶ ମଧ୍ୟରେ ଅନେକ ଉଚ୍ଚ ସ୍ତରୀୟ ଗସ୍ତ ଚାଲିଛି। କୁଏତରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଗସ୍ତ ହୋଇଛି, ଯେୁଁଥିରେ ଶେଖ୍ ସବାହ ଅଲ-ଅହମ୍ମଦ ଅଲ-ଜାବର ଅଲ-ସାବା (୨୦୦୬) ଏବଂ ପ୍ରଧାନମନ୍ତ୍ରୀ ଶେଖ ଜାବର ଅଲ-ମୁବାରକ ଅଲ-ହମାଦ ଅଲ-ସବା (୨୦୧୩) ସାମିଲ ଥିଲେ । ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କୁଏତର କ୍ରାଉନ୍ ପ୍ରିନ୍ସ ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭା ସମୟରେ ସାକ୍ଷାତ ହୋଇଥିଲେ। ଏହା ବ୍ୟତୀତ ଭାରତର ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ୧୮ ଅଗଷ୍ଟ ୨୦୨୪ ରେ କୁଏତ ଗସ୍ତ କରିଥିଲେ।
କୁଏତ ଭାରତର ପ୍ରମୁଖ ବାଣିଜ୍ୟ ଭାଗିଦାରୀ ମଧ୍ୟରେ ଅଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦.୪୭ ବିଲିୟନ ଡ଼ଲାରରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖାଯାଇଛି । କୁଏତ ହେଉଛି ଭାରତର ଷଷ୍ଠ ବୃହତ୍ତମ ଅଶୋଧିତ ତୈଳ ଯୋଗାଣକାରୀ, ଯାହା ଭାରତର ୩ ପ୍ରତିଶତ ଶକ୍ତି ଆବଶ୍ୟକତା ପୂରଣ କରୁଛି। କୁଏତ ନିବେଶ ପ୍ରାଧିକରଣ (KIA) ଭାରତରେ ୧୦ ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଛି।
ଭାରତ ଏବଂ କୁଏତ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଧ୍ୟ ମଜବୁତ । କୁଏତରେ ଭାରତୀୟ ସଙ୍ଗୀତ, ଚଳଚ୍ଚିତ୍ର ଏବଂ ଖାଦ୍ୟ ବହୁତ ଲୋକପ୍ରିୟ । ମାର୍ଚ୍ଚ ୨୦୨୩ ରେ କୁଏତରେ ଭାରତୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଏପ୍ରିଲ୍ ୨୦୨୪ରେ କୁଏତ ଜାତୀୟ ରେଡିଓରେ ହିନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।