ଯଦି ଭାରତ ଗୋଟିଏ ମୁଖ୍ୟ ଭାଷାଭାଷୀ ରାଷ୍ଟ୍ର ହୋଇଥାନ୍ତା, ତେବେ ସେଦିନ କାନିମୋଝିଙ୍କୁ ପଚରାଯାଇଥିବା ପ୍ରଶ୍ନଟି ହୋଇଥାନ୍ତା ବେଶ୍ ସହଜ, ସରଳ । ମାତ୍ର ବାସ୍ତବତା ହେଲା, ଭାରତ ଏମିତି ଏକ ଦେଶ ଯେଉଁଠାରେ ଲୋକମାନେ ୧୨୨ଟି ଭାଷା, ୨୭୦ଟି ଉପଭାଷାରେ କଥାବାର୍ତ୍ତା ହୋଇଥାନ୍ତି ବୋଲି ସେ କହିଥିଲେ ।
ଡିଏମକେର ସାଂସଦ କାନିମୋଝି କରୁଣାନିଧିଙ୍କୁ ସ୍ପେନରେ ପଚରାଗଲା ‘ଭାରତର ରାଷ୍ଟ୍ରୀୟ ଭାଷା କ’ଣ?’ କାନିମୋଝି ନିଃସଙ୍କୋଚରେ ଉତ୍ତର ଦେଲେ ‘ବିବିଧତା ମଧ୍ୟରେ ଏକତା’ । ଏମିତି ଏକ ଅଡ଼ୁଆ ପ୍ରଶ୍ନର କି ଚମତ୍କାର ଉତ୍ତର ନୁହେଁ ସତେ! ତାହା ପୁଣି ବିଦେଶ ମାଟିରେ। ବିଭିନ୍ନ ଦୃଷ୍ଟିରୁ ଏପରି ଉତ୍ତରକୁ ସାମନ୍ୟ ମନେ କରାଯାଇନପାରେ । କାନିମୋଝି ଭାରତୀୟ ସାଂସଦମାନଙ୍କର ଏକ ପ୍ରତିନିଧି ଦଳର ନେତୃତ୍ୱ ନେଇ ଯାଇଥିଲେ ସ୍ପେନ । ଏଥିସହିତ ରୁଷିଆ, ସ୍ଲୋଭେନିଆ, ଲାଟଭିଆ ମଧ୍ୟ ସେମାନେ ଗସ୍ତ କରିଛନ୍ତି । ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧୀ ‘ଅପରେସନ ସିନ୍ଦୂର’ର ଆବଶ୍ୟକତା ତଥା ଯଥାର୍ଥତାର ବାର୍ତ୍ତା ବିଦେଶ ମାଟିରେ ପହଞ୍ଚାଇବାର ଦାୟିତ୍ୱ ଏମାନଙ୍କର ଥିଲା ।
କାନିମୋଝିଙ୍କ ନେତୃତ୍ୱାଧୀନ ସଂସଦୀୟ ଦଳକୁ ମିଶାଇ ମୋଟ୍ ବିଭିନ୍ନ ଦଳର ସାଂସଦମାନଙ୍କୁ ନେଇ ୭ଟି ଦଳ ଇତିମଧ୍ୟରେ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ଗସ୍ତ କରିଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ସ୍ତରରେ ଭାରତର ବାର୍ତ୍ତା ପହଞ୍ଚାଇବାର ଦାୟିତ୍ୱ ତୁଳାଇଛନ୍ତି । ୭ଟି ଯାକ ଦଳ ମିଶନ ପୂରଣ କରି ଭାରତ ଫେରିଆସିଛନ୍ତି ।
ଏପ୍ରିଲ ୨୨ରେ ଘଟିଥିଲା ପହଲଗାମ୍ ନରସଂହାର । ଜାମ୍ମୁ ଓ କଶ୍ମୀରର ଏହି ଅନୁପମ ଉପତ୍ୟକାରେ ଖୁସି ମନାଇବାକୁ ଯାଇଥିବା ୨୬ଜଣ ନିରସ୍ତ୍ର, ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ସେମାନଙ୍କ ପରିବାରବର୍ଗଙ୍କ ସମ୍ମୁଖରେ ଗୁଳିମାରି ହତ୍ୟା କଲେ ଆତଙ୍କବାଦୀ । ପାକିସ୍ତାନ ଚଳାଇ ଆସିଥିବା ଲଗାତାର ସୀମାପାର ଆତଙ୍କବାଦର ସବୁଠୁ ବୀଭତ୍ସ ହୃଦୟବିଦାରକ ରୂପ ଥିଲା ପହଲଗାମ୍ ନରସଂହାର । ସାରା ଦେଶବାସୀ ଦାରୁଣ ଦୁଃଖ, କ୍ରୋଧରେ ଜର୍ଜରିତ ହୋଇଯାଇଥିଲେ । ଏପରି ଅମାନବୀୟ କାଣ୍ଡର ଜବାବରେ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’ । ପାକିସ୍ତାନ ମାଟିରେ ଚେର ମଡ଼ାଇଥିବା ୯ଟି ଆତଙ୍କବାଦୀ ଆଡ୍ଡା ସ୍ଥଳକୁ ମାଟିରେ ମିଶାଇ ଦେଲା । ଏଥିରେ କ୍ଷୁବ୍ଧ ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିବାରୁ ଭାରତୀୟ ବାୟୁସେନା ପାକିସ୍ତାନର କେତେକ ସାମରିକ ଘାଟି ଉପରେ ବି ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲେ । ପାକିସ୍ତାନର ବଦମାସୀ ଏବଂ ‘ଅପରେସନ ସିନ୍ଦୂର’ ପଛର ଆଭିମୁଖ୍ୟକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ଥିଲା କାନିମୋଝି ଏବଂ ଅନ୍ୟ ସାଂସଦ ପ୍ରତିନିଧିଙ୍କ ଦାୟିତ୍ୱ । କାନିମୋଝିଙ୍କ ଦଳରେ ଥିଲେ ଆରଜେଡି’ର ପ୍ରେମଚାନ୍ଦ ଗୁପ୍ତା, ଏନସି’ର ମିଆଁ ଆଲତାଫ ଅହମ୍ମଦ, ଏସ୍ପି’ର ରାଜିବ ରାୟ, ବିଜେପିର କ୍ୟାପେଟନ ବ୍ରିଜେଶ ଚୌଟା ଏବଂ ରାଷ୍ଟ୍ରଦୂତ ଜାଭେଦ ଅଶରଫ୍ ।
ଯଦି ଭାରତ ଗୋଟିଏ ମୁଖ୍ୟ ଭାଷାଭାଷୀ ରାଷ୍ଟ୍ର ହୋଇଥାନ୍ତା, ତେବେ ସେଦିନ କାନିମୋଝିଙ୍କୁ ପଚରାଯାଇଥିବା ପ୍ରଶ୍ନଟି ହୋଇଥାନ୍ତା ବେଶ୍ ସହଜ, ସରଳ । ମାତ୍ର ବାସ୍ତବତା ହେଲା, ଭାରତ ଏମିତି ଏକ ଦେଶ ଯେଉଁଠାରେ ଲୋକମାନେ ୧୨୨ଟି ଭାଷା, ୨୭୦ଟି ଉପଭାଷାରେ କଥାବାର୍ତ୍ତା ହୋଇଥାନ୍ତି । ଏଗୁଡ଼ିକ ସେମାନଙ୍କର ମାତୃଭାଷାର ମାନ୍ୟତା ମଧ୍ୟ ପାଇଛି । ପୁନଶ୍ଚ ‘ଭାରତର ରାଷ୍ଟ୍ରୀୟ ଭାଷା କ’ଣ?’ ବୋଲି ଯଦି ଜଣେ କଂଗ୍ରେସ ସାଂସଦ କିମ୍ବା ଭାଷା ରାଜନୀତିରେ ଫସିନଥିବା ଅନ୍ୟ କେଉଁ ଦଳର ସାଂସଦଙ୍କୁ ପଚରାଯାଇଥାନ୍ତା, ତାହା ବି ହୋଇଥାନ୍ତା ଭିନ୍ନ ପ୍ରସଙ୍ଗ । ମାତ୍ର ଡିଏମକେ ଭଳି ଦଳର ନେତ୍ରୀଙ୍କୁ ଏହି ପ୍ରଶ୍ନ ପଚରାଯିବା ନିଶ୍ଚିତ ଗୁରୁତ୍ୱ ବହନ କରେ । କହିବା ବାହୁଲ୍ୟ, ଡିଏମକେ ହେଉଛି ସେହି ଦଳ ଯେଉଁ ଦଳ ପ୍ରତିଷ୍ଠା ହେବା ଦିନଠାରୁ ଅର୍ଥାତ୍ ଜବାହାରଲାଲ ନେହରୁ ଏବଂ ଏହାର ପ୍ରତିଷ୍ଠାତା ଆନ୍ନାଦୁରାଇଙ୍କ ଅମଳରୁ ଭାଷା ପ୍ରସଙ୍ଗରେ ବିଶେଷ ମୁଖର । ଭାଷା ଡିଏମକେ ରାଜନୀତିର ଏକ ମୁଖ୍ୟ ଅଂଶ । ଡିଏମକେ ସର୍ବଦା ଅଭିଯୋଗ କରିଆସିଛି ଯେ ‘ହିନ୍ଦୀ ଭାଷାକୁ ଲଦି ଦିଆଯାଉଛି ।’ ଡିଏମକେ’ର ବରିଷ୍ଠ ସଦସ୍ୟା ଭାବେ କାନିମୋଝି ଏବଂ ତାଙ୍କ ଦଳର ଭାଷା ପ୍ରସଙ୍ଗ ନେଇ ବିଜେପି ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ସହ ଗମ୍ଭୀର ମତଭେଦ ରହିଛି । କିନ୍ତୁ କାନିମୋଝି ବିଦେଶ ମାଟିରେ (ସ୍ପେନ) ଭାଷା ପ୍ରସଙ୍ଗ ପ୍ରଶ୍ନର ଉତ୍ତର ଦେବାବେଳେ ସମସ୍ତ ମତଭେଦର ଉଦ୍ଧ୍ୱର୍କୁ ଉଠି ଜାତୀୟ ସ୍ୱାର୍ଥକୁ ସର୍ବୋପରି ରଖିବାକୁ ଉଚିତ ମଣିଲେ । ଏଠାରେ ଉଲ୍ଲେଖନୀୟ କି, ସ୍ପେନରେ କାନିମୋଝିଙ୍କ ଭୂମିକା ବିପରୀତ ଦେଶରେ ଡିଏମକେ’ର ସହଯୋଗୀ କମଲ ହାସନ କନ୍ନଡ଼ ଭାଷା ତାମିଲ ଭାଷାରୁ ସୃଷ୍ଟି ବୋଲି ମନ୍ତବ୍ୟ ଦେଇ ଭାଷା ବିବାଦକୁ ତେଜିଛନ୍ତି ।
କେବଳ ଡିଏମକେ ସାଂସଦ ନୁହନ୍ତି, ସଂସଦୀୟ ପ୍ରତିନିଧି ଦଳରେ ଯାଇଥିବା କଂଗ୍ରେସ ସାଂସଦମାନେ ମଧ୍ୟ ବିଦେଶ ମାଟିରେ ଦେଶର ସ୍ୱାର୍ଥକୁ ସର୍ବୋପରି ରଖି ଭାରତର ଆଭିମୁଖ୍ୟକୁ ସ୍ପଷ୍ଟଭାବେ ଉପସ୍ଥାପନ କରିବାରେ ଜବରଦସ୍ତ ଦମ୍ ଦେଖାଇ ପାରିଛନ୍ତି । ଯଦିଓ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ତଥା ତାଙ୍କର କେତେଜଣ ସହଯୋଗୀଙ୍କ ଭୂମିକା ହତାଶ କଲା ଭଳି ।
କଂଗ୍ରେସ ସାଂସଦମାନଙ୍କ ମଧ୍ୟରେ ଶଶୀ ଥରୁର ଭାରତର କଥାକୁ ଖୁବ୍ ସ୍ପଷ୍ଟ ତଥା ଗୁରୁତ୍ୱ ସହ ରଖିବାକୁ ସକ୍ଷମ ହୋଇଛନ୍ତି । ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବା ଲାଗି ମୋଦି ସରକାରଙ୍କ ପଦକ୍ଷେପକୁ ସେ ମୂଳରୁ ପ୍ରଶଂସା କରିଥିଲେ । ଥରୁର ଯୁକ୍ତି ବାଢ଼ିଥିଲେ ଯେ, ଯେତେବେଳେ ଦେଶ ସଙ୍କଟରେ ସେତେବେଳେ ସହଯୋଗର ହାତ ବଢ଼ାଇବା ପ୍ରତିଟି ନାଗରିକର ପ୍ରଥମ କର୍ତ୍ତବ୍ୟ । ଆମେରିକା ଏବଂ କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ରଗୁଡ଼ିକୁ ଯାଇଥିବା ସଂସଦୀୟ ଦଳର ନେତୃତ୍ୱ ତାଙ୍କୁ ଦିଆଯିବା ତାଙ୍କ ପାଇଁ ଗୌରବର ବିଷୟ । ତାଙ୍କ କଥାରେ ‘ମୁଁ ଏଥିରେ ରାଜନୀତି ଦେଖିପାରୁ ନାହିଁ । ଦେଶ ସଂକଟରେ ପଡିଛି ଏବଂ କେନ୍ଦ୍ର ସରକାର ଦେଶର ଜଣେ ନାଗରିକର ସହାୟତା ଲୋଡ଼ିଛନ୍ତି, ଏ ପରିସ୍ଥିତିରେ ତୁମେ କ’ଣ ଉତ୍ତର ଆଶା କରିବ?’ ଏହି ପରିପ୍ରେକ୍ଷୀରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ଦୃଢ଼ ଭୂମିକା ତୁଲାଇପାରିଛନ୍ତି । ଏକ ଟିଭି ସାକ୍ଷାତକାର ଅବସରରେ ସେ ‘ଅପରେସନ ସିନ୍ଦୂର’ର ଭୂୟସୀ ପ୍ରଶଂସା କରିଥିଲେ ।
ଖୁର୍ସିଦ କହିଥିଲେ “ମୁଁ ଆମ ଅଫିସରମାନଙ୍କୁ ସାଲ୍ୟୁଟ୍ କରୁଛି, ସେମାନଙ୍କ ପାଇଁ ଆମେ ଗର୍ବିତ... । ସଶସ୍ତ୍ରବାହିନୀ ଉଲ୍ଳେଖନୀୟ ନିଷ୍ପତ୍ତି ନେଇଛି ।” ଅପରେସନ ସିନ୍ଦୂର ଜରିଆରେ କେବଳ ଆତଙ୍କାବଦୀ ଆଡ୍ଡାକୁ ଭାରତ ଲକ୍ଷ୍ୟଭେଦ କରିଛି । ପାକିସ୍ତାନର ମନୋଭାବ ଉପରେ ପ୍ରଶ୍ନ ଚିହ୍ନ ଟାଣିଥିଲେ ଖୁର୍ସିଦ । “ଆମେ କ’ଣ କରୁ, କ’ଣ କରିବାକୁ ଚାହୁଁଛୁ ସେଥିରେ କିଛି ଯାଏ ଆସେନା, ମୋଟ୍ କଥା ହେଲା ଏକ ନିର୍ଣ୍ଣାୟକ ରେଖା ରହିଛି ଏବଂ ତାହା ହେଉଛି ଆତଙ୍କବାଦ” ବୋଲି ଖୁର୍ସିଦ ମତ ରଖିଥିଲେ । ଏପରିକି ବରିଷ୍ଠ କଂଗ୍ରେସ ନେତା ଜଣକ ‘ଅପରେସନ ସିନ୍ଦୂର’ ନେଇ ପ୍ରଶ୍ନ ଉଠାଉଥିବା ଭାରତୀୟ ବିରୋଧୀମାନଙ୍କୁ (ତାଙ୍କ ଦଳ ସମେତ) ମୃଦୁ ଭର୍ତ୍ସନା କରିବାକୁ ବି ପଛେଇ ନାହାନ୍ତି । ସେ ଟୁଇଟ୍ କରି କହିଥିଲେ “ଆତଙ୍କବାଦ ବିରୋଧରେ ଯେତେବେଳେ ଅଭିଯାନ ଚାଲିଛି, ଭାରତର ବାର୍ତ୍ତାକୁ ବିଶ୍ୱସ୍ତରରେ ପହଞ୍ଚାଇବାର ପ୍ରୟାସ ହେଉଛି ସେହି ସମୟରେ ଦେଶ ମଧ୍ୟରେ କିଛି ଲୋକ ରାଜନୈତିକ ନିଷ୍ଠାକୁ ନେଇ ହିସାବନିକାଶ କରିବା ଦୁଃଖଦାୟକ । ଦେଶପ୍ରେମୀ ହେବା କ’ଣ ଏତେବେଶି କଷ୍ଟକର ବ୍ୟାପାର?”
ଇଣ୍ଡୋନେସିଆରେ ଅନୁଷ୍ଠିତ ଏକ ବୈଠକରେ ତାଙ୍କର ବକ୍ତବ୍ୟ ଥିଲା ଏହିପରି- ଆପଣମାନେ ଏହି ପ୍ରତିନିଧି ଦଳରେ ଯାହା ଦେଖିବାକୁ ପାଉଛନ୍ତି, ତାହା ହିଁ ଭାରତର ପ୍ରକୃତ ଚିତ୍ରଚରିତ୍ର, ଆମେ ଏହାକୁ ହିଁ ମୂଲ୍ୟ ଦେଉ ଏବଂ ପ୍ରତିବଦ୍ଧ ରହୁ । ଆମେ ଆମ ଦେଶକୁ ଆମର ମା’ ବୋଲି ବିଶ୍ୱାସ କରୁ । ଧାରା-୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ଯେଉଁ ବିକାଶ ଘଟୁଛି ତାହାକୁ ଭଣ୍ଡୁର କରିଦେବାକୁ ପାକିସ୍ତାନ ଚାହେଁ । କହିବା ବାହୁଲ୍ୟ ଯେ, କିଛି ବର୍ଷ ପୂର୍ବେ କଂଗ୍ରେସ ଦଳ ୩୭୦ ଉଚ୍ଛେଦ ନେଇ ଯେଉଁ ମନୋଭାବ ପୋଷଣ କରୁଥିଲା ଖୁର୍ସିଦଙ୍କ ମନ୍ତବ୍ୟ ତାହାର ବିରୋଧାଭାସ ଅଟେ । ରାହୁଲ ଗାନ୍ଧୀ ମଧ୍ୟ ୩୭୦ ଉଚ୍ଛେଦ ପରବର୍ତ୍ତୀ ଜାମ୍ମୁ ଓ କାଶ୍ମୀରର ବିକାଶକୁ ସ୍ୱୀକାର କରିବାକୁ ଅନିଚ୍ଛୁକ ରହିଆସିଛନ୍ତି ।
ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ମଧ୍ୟ ମୋଦି ସରକାରଙ୍କ ଦ୍ୱାରା ସର୍ବଦଳୀୟ ସଂସଦୀୟ ଦଳ ପ୍ରେରଣ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକସ୍ତାନୀ ସାମରିକ କର୍ତ୍ତୃପକ୍ଷଙ୍କ ଭୂମିକା ବିରୋଧରେ ବିଶ୍ୱସ୍ତରରେ ଜନମତ ସୃଷ୍ଟି କରିବାକୁ ମୋଦି ସରକାରଙ୍କ କୂଟନୈତିକ ଉଦ୍ୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ବର୍ଣ୍ଣନା କରିଛନ୍ତି । ଯେଉଁ ସାଂସଦମାନେ ଦକ୍ଷିଣ ଆଫ୍ରିକା, ଇଜିପ୍ଟ, କାତାର, ଇଥିଓପିଆ ଇତ୍ୟାଦି ଦେଶ ଗସ୍ତରେ ଯାଇଥିଲେ ସେମାନଙ୍କ ଅଂଶବିଶେଷ ଥିଲେ ଆନନ୍ଦ ଶର୍ମା । ଏହି ଦଳରେ ଅନ୍ୟତମ କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ ସାମିଲ ହୋଇଥିଲେ । ତାଙ୍କର ବି ମତ- ଦେଶର ଆବଶ୍ୟକତା ସବୁକିଛିର ଊଦ୍ଧ୍ୱର୍ରେ ।
ଏସବୁ ମଧ୍ୟରେ ଆଉ ଜଣେ ‘ରାଷ୍ଟ୍ରବାଦୀ’ ବ୍ୟକ୍ତିତ୍ୱଙ୍କର ଅଭ୍ୟୁଦୟ ଘଟିଛି । ସେ ହେଲେ ଏଆଇଏମଆଇଏମ’ର ନେତା ଅସଦୁଦ୍ଦିନ ଓୱେସୀ। ଆତଙ୍କବାଦକୁ ପାକିସ୍ତାନର ଲଗାତାର ପ୍ରୋତ୍ସାହନ କାରଣରୁ ଭାରତକୁ କି ପ୍ରକାର ମୂଲ୍ୟ ଦେବାକୁ ପଡୁଛି ସେ ସମ୍ପର୍କରେ ଅସଦୁଦ୍ଦିନ ଖୋଲାଖୋଲି ଯେପରି ଦୃଢ଼ ଯୁକ୍ତି ବାଢ଼ିଛନ୍ତି ତାହା ବିଶ୍ୱବାସୀଙ୍କୁ ଏହି ସମସ୍ୟା ବୁଝିବାକୁ ବାଧ୍ୟ କରିଛି । ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ସାଉଦି ଆରବ, କୁଏଟ୍, ବାହରିନ୍, ଆଲଜେରିଆ ଇତ୍ୟାଦି ଗସ୍ତ କରିଥିଲେ । ସେଥିରେ ସାମିଲ ଥିଲେ ଏଆଇଏମଆଇଏମ’ର ନେତା । ଏହି ଦଳରେ ଗୁଲାମନବୀ ଆଜାଦ ଯାଇଥିଲେ । ଭାରତର ବିବିଧତାଭରା ଉଦାରବାଦୀ ଗଣତାନ୍ତ୍ରିକ ସମାଜକୁ ନଷ୍ଟବିନଷ୍ଟ କରିଦେବାକୁ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ କିପରି ହୀନ ଉଦ୍ୟମ ଚଳାଇଆସିଛି ତାହାର ବିସ୍ତୃତ ବିବରଣୀ ଏହି ଦଳ ଉପସ୍ଥାପନ କରିଥିବା ଜାଣିବାକୁ ମିଳିଛି ।
ବାସ୍ତବରେ ନରେନ୍ଦ୍ର ମୋଦି ସରକାର ଯେପରି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିକଟରେ ପହଞ୍ଚି ପାରିଛନ୍ତି ଏବଂ ବିଶ୍ୱର କୋଣ ଅନୁକୋଣରେ ଭାରତର ବାର୍ତ୍ତା ପହଞ୍ଚାଇବାକୁ ଯୋଜନାବଦ୍ଧ ପଦକ୍ଷେପ ନେଇଛନ୍ତି ସେଥିପାଇଁ ମୋଦି ସରକାର ପ୍ରଶଂସାଯୋଗ୍ୟ ।
କାନିମୋଝିଙ୍କ ‘ବିବିଧତା ମଧ୍ୟରେ ଏକତା’ ଉତ୍ତର କେବଳ ଭାଷାଗତ ବିବିଧତାକୁ ସୂଚାଇ ନାହିଁ, ଭାରତର ସାମାଜିକ, ଆର୍ଥିକ, ଧାର୍ମିକ, ଜାତିଗତ ବିବିଧତାକୁ ବୁଝାଇଛି । ଯାହା ସାରା ବିଶ୍ୱରେ ଅନୁପମ, ଅତୁଳନୀୟ । ଭାରତ କେବଳ ସର୍ବାଧିକ ଜନବହୁଳ ଦେଶ ନୁହେଁ, ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟ । ବିଶ୍ୱରେ ଆମ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ଅନ୍ୟତ୍ର ଗୋଚର ହୁଏନାହିଁ³ ଯାହାର ସମ୍ବିଧାନରେ ଧର୍ମ, ଭାଷା, ଅନ୍ୟାନ୍ୟ ସଂଖ୍ୟାଲଘୁ ଇତ୍ୟାଦି ସବୁକିଛିକୁ ଅନନ୍ୟ ଅଧିକାର ପ୍ରଦାନ କରାଯାଇଛି ।
କେତେବେଳେ କେମିତି ‘ରାଷ୍ଟ୍ର ସର୍ବପ୍ରଥମ’ ବୋଲି କହିବାକୁ ହୁଏ ତାହା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ କେତେଜଣ ନେତା କାନିମୋଝି ଏବଂ ଅନ୍ୟ ସାଂସଦଙ୍କ ଠାରୁ ଶିଖିବା ଉଚିତ । ରାହୁଲ ଗାନ୍ଧୀ ନିତାନ୍ତ ନିଜ ଦଳର ଶଶୀ ଥରୁର, ସଲମାନ ଖୁର୍ସିଦ, ଆନନ୍ଦ ଶର୍ମା ଏବଂ ମନୀଷ ତିୱାରୀଙ୍କ ଠାରୁ ଶିଖନ୍ତୁ । ଅନ୍ୟ ଦେଶର ନେତା ବା ଶ୍ରୋତାଙ୍କୁ ଯେତେବେଳେ ସାମ୍ନା କରାଯାଏ, ସେତେବେଳେ କ’ଣ କହିବା ଉଚିତ, କେମିତି ଆଚରଣ କରିବା ଉଚିତ ତାହା ରାହୁଲ ଗାନ୍ଧୀଙ୍କୁ ଶିଖିବାକୁ ହେବ ।