ଲଣ୍ଡନ: ଭାରତ ଓ ୟୁନାଇଟେଡ କିଙ୍ଗଡମ (ୟୁକେ) ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସ୍ୱାକ୍ଷର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କୁ ସାଣ୍ଡରିଙ୍ଗହାମ ହାଉସରେ ଭେଟିଛନ୍ତି। ଏହି ଚୁକ୍ତି, ଯାହାକୁ କମ୍ପ୍ରିହେନସିଭ ଇକୋନୋମିକ ଆଣ୍ଡ ଟ୍ରେଡ ଏଗ୍ରିମେଣ୍ଟ (ସିଇଟିଏ) ଭାବେ ନାମିତ କରାଯାଇଛି, ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ବାର୍ଷିକ ୩୪ ବିଲିୟନ ଡଲାର ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହା ୟୁକେର ବ୍ରେକ୍ସିଟ ପରେ ସବୁଠାରୁ ବଡ଼ ବାଣିଜ୍ୟ ଚୁକ୍ତି ଏବଂ ଭାରତର ଏକ ବିକଶିତ ଦେଶ ସହିତ ପ୍ରଥମ ପ୍ରମୁଖ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଭାବେ ଗଣାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୨୩-୨୪ ତାରିଖରେ ଲଣ୍ଡନରେ ଦୁଇ ଦିନିଆ ଗସ୍ତରେ ଥିଲେ। ଯେଉଁଠାରେ ସେ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଚୁକ୍ତି ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ୟୁକେର ବ୍ୟବସାୟ ଓ ବାଣିଜ୍ୟ ସଚିବ ଜୋନାଥନ ରେନୋଲ୍ଡସଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ “ଦୁଇ ଦେଶ ପାଇଁ ସମୃଦ୍ଧିର ନୂଆ ରୋଡମ୍ୟାପ” ବୋଲି ଅଭିହିତ କରିଥିଲେ। ଯାହା ଭାରତୀୟ କୃଷକ, ମତ୍ସ୍ୟଜୀବୀ, ଛୋଟ ବ୍ୟବସାୟୀ ଏବଂ ପେସାଦାରଙ୍କୁ ଉପକୃତ କରିବ।

ଏହି ଏଫଟିଏ ଭାରତୀୟ ଜିନିଷପତ୍ର ଯେପରିକି ଟେକ୍ସଟାଇଲ, ରତ୍ନ ଓ ଅଳଙ୍କାର, ସାମୁଦ୍ରିକ ଖାଦ୍ୟ, ଚମଡା ଉତ୍ପାଦ, ଇଞ୍ଜିନିୟରିଂ ପଣ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟକୁ ୟୁକେ ବଜାରରେ ଉନ୍ନତ ପ୍ରବେଶ ପ୍ରଦାନ କରିବ। ଏହା ସହିତ, ଭାରତୀୟ ଶିଳ୍ପ ଓ ଶ୍ରମିକମାନଙ୍କ ପାଇଁ ୟୁକେରୁ ଆସୁଥିବା ଚିକିତ୍ସା ଉପକରଣ ଏବଂ ଏରୋସ୍ପେସ ଯନ୍ତ୍ରାଂଶ ଅଧିକ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ୟୁକେ ପାଇଁ ଏହି ଚୁକ୍ତି ହ୍ୱିସ୍କି, ଅଟୋମୋବାଇଲ ଏବଂ ଅନ୍ୟାନ୍ୟ ପଣ୍ୟର ଭାରତୀୟ ବଜାରରେ ରପ୍ତାନିକୁ ସହଜ କରିବ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜା ଚାର୍ଲ୍ସଙ୍କ ଭେଟରେ ଭାରତ-ୟୁକେ ମଧ୍ୟରେ ସମ୍ପର୍କ, ବିଶେଷତଃ ବାଣିଜ୍ୟ, ନିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ସହଯୋଗ ଉପରେ ଆଲୋଚନା ହୋଇଥିଲା। ମୋଦୀ ରାଜା ଚାର୍ଲ୍ସଙ୍କୁ ‘ଏକ ପେଡ଼ ମା’ କେ ନାମ’ କାର୍ଯ୍ୟକ୍ରମର ଅଂଶ ଭାବେ ଏକ ଗଛ ପରିବେଶ ସଂରକ୍ଷଣ ଉଦ୍ୟମର ପ୍ରତୀକ ଭାବେ ଉପହାର ଦେଇଥିଲେ।

ଏହା ପୂର୍ବରୁ, ମୋଦୀ ଓ ୟୁକେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଚେକର୍ସରେ ଭେଟି ବାଣିଜ୍ୟ, ପ୍ରତିରକ୍ଷା, ଜଳବାୟୁ, ଶିକ୍ଷା ଓ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ‘ଭିଜନ ୨୦୩୫’ ଘୋଷଣା କରିଥିଲେ। ଉଭୟ ନେତା ଆତଙ୍କବାଦ, ଚରମପନ୍ଥି ଓ ଅବୈଧ ପ୍ରବାସ ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ମୋଦୀ ପହାଲଗାମ ଆତଙ୍କବାଦୀ ହମଲା ପରେ ୟୁକେର ସମର୍ଥନ ପାଇଁ ଷ୍ଟାର୍ମରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତୀୟ ଆଇନ ଅନୁଯାୟୀ ଅପରାଧୀଙ୍କୁ ପ୍ରତ୍ୟର୍ପଣ ପାଇଁ ୟୁକେର ସହଯୋଗ କାମନା କରିଥିଲେ।

୨୦୨୩-୨୪ରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ୫୫ ବିଲିୟନ ଡଲାର ଅତିକ୍ରମ କରିଥିଲା। ୟୁକେ ଭାରତର ଷଷ୍ଠ ବୃହତ୍ତମ ନିବେଶକାରୀ, ଯେଉଁଠାରେ ୩୬ ବିଲିୟନ ଡଲାର ନିବେଶ କରିଛି, ଏବଂ ଭାରତୀୟ କମ୍ପାନୀଗୁଡ଼ିକ ୟୁକେରେ ପ୍ରାୟ ୧,୦୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଚୁକ୍ତି ଦ୍ୱାରା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୨୦ ବିଲିୟନ ଡଲାରକୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ଲଣ୍ଡନରେ ଭାରତୀୟ ପ୍ରବାସୀମାନଙ୍କ ଦ୍ୱାରା ଏକ ଭବ୍ୟ ସ୍ୱାଗତ ଗ୍ରହଣ କରିଥିଲେ। ସେ କ୍ରିକେଟକୁ ଭାରତ ଓ ୟୁକେ ମଧ୍ୟରେ ସମ୍ପର୍କର ଏକ ପ୍ରତୀକ ଭାବେ ଉଲ୍ଲେଖ କରି କହିଥିଲେ ଯେ, “କ୍ରିକେଟ ଆମ ପାଇଁ କେବଳ ଏକ ଖେଳ ନୁହେଁ, ଏହା ଏକ ଉତ୍ସାହ ଯାହା ଆମର ଭାଗିଦାରୀକୁ ପ୍ରତିଫଳିତ କରେ।” ସେ ଷ୍ଟାର୍ମରଙ୍କୁ ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ, ଯାହାକୁ ଷ୍ଟାର୍ମର ଗ୍ରହଣ କରିଥିବା ଜଣାପଡିଛି।

ଏହି ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ଗସ୍ତ ପାଇଁ ପ୍ରସ୍ଥାନ କରିଛନ୍ତି। ଯେଉଁଠାରେ ସେ ଦେଶର ୬୦ତମ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ତେବେ ମୋଦିଙ୍କ ଏହି ମାଳଦ୍ୱିପ ଗସ୍ତ ଦୁଇ ଦେଶ ମଧ୍ୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।