ନୂଆଦିଲ୍ଲୀ, ୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦଶନ୍ଧି ଧରି ଚାଲିଥିବା ନକ୍ସଲ ହିଂସା ପ୍ରସଙ୍ଗରେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ଏକ ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସୋମବାର ମୋଦି କହିଛନ୍ତି, ଯେଉଁମାନେ ଏବେ ସମ୍ୱିଧାନ ପ୍ରଦର୍ଶନ କରୁଛନ୍ତି ନକ୍ସଲ ହିଂସା ଚରମସ୍ତରରେ ଥିବାବେଳେ ସେମାନଙ୍କର ଏପରି କରିବାର ସାହସ ନଥିଲା । ସେମାନଙ୍କର ହାତ ଥରୁଥିଲା । ସେ ଆହୁରି କହିଛନ୍ତି ଯେ, ପୂର୍ବବର୍ତ୍ତୀ କଂଗ୍ରେସ ସରକାର ନକ୍ସଲ ପ୍ରଭାବିତ ଅଞ୍ଚଳକୁ ପଛୁଆ କ୍ଷେତ୍ର ଭାବେ ଆଖ୍ୟା ଦେଇଥିଲା । କିନ୍ତୁ, ଏନଡିଏ ସରକାର ସେହି ଅଞ୍ଚଳକୁ ବଦଳାଇବାର ଚାଲେଞ୍ଜକୁ ସ୍ୱୀକାର କଲା । ସେଠାକାର ଲୋକଙ୍କୁ ନିରାଶାରୁ ବାହାରିବାରେ ସହାୟତା କଲା । ସେମାନଙ୍କ ମଧ୍ୟରେ ଉନ୍ନତି ଲାଗି ନୂଆ ଆଶା ସୃଷ୍ଟି କଲା । 

ଏହା ବି ପଢ଼ନ୍ତୁ... Coaching Centre Seal: ଲକ୍ଷ୍ନୌ ଅଗ୍ନିକାଣ୍ଡ ପରେ ଯୋଗୀ ସରକାରଙ୍କ ବଡ଼ ଆକ୍ସନ; ୟୁପିରେ ୪୮ଟି କୋଚିଂ ସେଣ୍ଟର ସିଲ୍

୨୦୦୪-୨୦୧୪ ମଧ୍ୟରେ ପ୍ରାୟ ୧୭ ହଜାରରୁ ଅଧିକ ନକ୍ସଲ ହିଂସା ଘଟଣା ଘଟିଥିଲା । ଏଥିରେ ୭୦୦୦ ଜୀବନ ଯାଇଥିଲା । ୨୦୧୪ ପରେ କିନ୍ତୁ, ସେମାନେ ପରିସ୍ଥିତିକୁ ପରିବର୍ତ୍ତନ କରିବା ଲାଗି ‘ଦେଶ ପ୍ରଥମ ନୀତି’ ସହ ଆଗକିୁ ବଢ଼ିଲେ । ଏବେ ଦେଶରେ ନକ୍ସଲବାଦ ଶେଷ ନିଶ୍ୱାସ ଗଣୁଛି । ପୂର୍ଣ୍ଣ ନିଷ୍ଠା ଏବଂ ପ୍ରତିବଦ୍ଧତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଏବେ ଭାରତ କେବଳ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ନୁହେଁ, ବରଂ ଏକ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ବିଶ୍ୱଶକ୍ତି ପାଲଟିଛି । ଏବେ ଭାରତ ଯାହା କରୁଛି ତାହା ଆସନ୍ତା ୧୦୦୦ ବର୍ଷର ଭବିଷ୍ୟତ ସ୍ଥିର କରିବ । ସୂଚନା ଥାଉକି , କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅନେକ କାର୍ଯ୍ୟକ୍ରମରେ ହାତରେ ସମ୍ୱିଧାନର କପି ଧରିଥିବା ଦେଖିବାକୁ ମିଳିଛି । ୨୦୨୪ ଲୋକସଭା ନିର୍ବାଚନ ପରେ ସଂସାଦ ଭାବେ ଶପଥ ନେଉଥିବା ସମୟରେ ମଧ୍ୟ ତାଙ୍କ ହାତରେ ସମ୍ୱିଧାନର କପି ରହୁଥିଲା । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଟାର୍ଗେଟ୍ କରି ଏହି ବୟାନ ଦେଇଛନ୍ତି ।