ନୂଆଦିଲ୍ଲୀ,୧୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଟ୍ରମ୍ପପୂର୍ବରୁ ଦେଇଥିବା ମନ୍ତବ୍ୟର ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର କହିଛି, ଏହି ମାମଲାରେ ‘ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ’ ନିଆଯିବ।

ଟ୍ରମ୍ପ ଗତ ବର୍ଷ ଅକ୍ଟୋବରରେ ଏହି ଅଦ୍ଭୁତ କଥା କହିଥିଳେ। ସେତେବେଳେ ରୁଷଠାରୁ ଭାରତ ତେଲ କିଣିବାକୁ ନେଇ ଆମେରିକା-ଭାରତ ସମ୍ପର୍କରେ ବିବାଦ ଥିଲା। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ କ୍ୟାରିୟର ଉପରେ ଆମେରିକୀୟ ପ୍ରେସିଡେଣ୍ଟ ଡୋନାଲ୍ଡୋ ଟ୍ରମ୍ପଙ୍କ କମେଣ୍ଟର ଭିଡିଓ ଦେଖିନାହିଁ। ଯଦି ଏଭଳି କୌଣସି ଭିଡିଓ ରହିଛି ଓ ତାହା ସତ ହେଉ କିମ୍ବା ମିଛ ତେବେ ତା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ ବୈଦେଶିକ ମନ୍ତ୍ରଣାଳୟ।

ନିଜର ଅଦ୍ଭୁତ ବୟାନ ପାଇଁ ଚର୍ଚ୍ଚାରେ ସବୁବେଳେ ରହୁଥିବା ଆମେରିକାର ରାଷ୍ଟ୍ରପତି ୧୫ ଅକ୍ଟୋବର, ୨୦୨୫ ରେ ଏହି ମନ୍ତବ୍ୟ ଦେଇଥିଲେ। ତଥାପି, ଏହି ଭିଡିଓ ସୋସିଆଲ ମିଡିଆରେ ପୁଣି ଦେଖିବାକୁ ମିଳୁଛି। ଟ୍ରମ୍ପ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ କହିଥିଲେ ଆମେରିକାକୁ ଭାରତ ଆଶ୍ୱାସନା ଦେଇଥିଲା ଯେ ସେ ରୁଷରୁ ତେଲ କିଣିବା ବନ୍ଦ କରିବ। ତେବେ ଭାରତ ଏପରି କୌଣସି ଆଶ୍ୱାସନାକୁ ଅସ୍ୱୀକାର କରିଥିଲା। ଭାରତ କହିଥିଲା ତା ପାଇଁ ୧୪୦ କୋଟି ଭାରତୀୟଙ୍କ ଶକ୍ତି ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ଭାରତ ଏହାକୁ ଧ୍ୟାନରେ ରଖି କାମ କରିବ।

ହ୍ୱାଇଟ୍ ହାଉସରେ ଭାଷଣ ଦେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ‘ମହାନ ବ୍ୟକ୍ତି’ ବୋଲି କହିଥିଲେ। ସେ ତା'ପରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ’ଟ୍ରମ୍ଫଙ୍କୁ ଭଲ ପାଆନ୍ତି।’ ତା'ପରେ ଟ୍ରମ୍ପ କିଛି ସମୟ ଅଟକି ଯାଇ କହିଥିଲେ ମୁଁ ଚାହେଁ ନାହିଁ ଯେ ଆପଣ ପ୍ରେମ ଶବ୍ଦକୁ ନକାରାତ୍ମକ ଦୃଷ୍ଟିରେ ନିଅ। ମୁଁ ତାଙ୍କ ରାଜନୈତିକ କ୍ୟାରିଅରକୁ ଖରାପ କରିବାକୁ ଚାହେଁନି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବାର କିଛି ଦିନ ପରେ ଆସିଥିଲା। ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଧୀରେ ଧୀରେ ଟ୍ରାକକୁ ଫେରୁଥିଲା।