ନୂଆଦିଲ୍ଲୀ,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଦୁଇ ନେତା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ୟୁକ୍ରେନରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ X ହ୍ୟାଣ୍ଡେଲରୁ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, 'ରାଷ୍ଟ୍ରପତି ମାକ୍ରନଙ୍କ ସହ ବହୁତ ଭଲ ଆଲୋଚନା ହୋଇଥିଲା। ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପ୍ରଗତି ସମୀକ୍ଷା କରି ସକାରାତ୍ମକ ମୂଲ୍ୟାଙ୍କନ କରିଛୁ। ଆମେ ୟୁକ୍ରେନରେ ସଂଘର୍ଷର ଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ସମେତ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଛୁ। ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତା ବିଶ୍ୱ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।'

ୟୁରୋପୀୟ କମିଶନର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେଏନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବାର ଦୁଇ ଦିନ ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଟେଲିଫୋନ୍ ବାର୍ତ୍ତାଳାପ ହୋଇଛି, ଯେଉଁଥିରେ ସେ ଗୁରୁତ୍ୱାରୋପ କରିଥିଲେ ଯେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ କରିବା ଏବଂ ଶାନ୍ତିର ପଥ ପ୍ରଶସ୍ତ କରିବା ପାଇଁ ଚାପ ସୃଷ୍ଟି କରିବାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭନ୍ ଡେର୍ ଲେଏନ୍ କହିଥିଲେ, ଆମେ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କ ସହ ଭାରତର ନିରନ୍ତର ସହଯୋଗକୁ ଆମେ ହାର୍ଦ୍ଦିକ ସ୍ବାଗତ କରୁଛୁ। ୟୁକ୍ରେନ ଏବଂ ଋଷ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।'