ରାଞ୍ଚି ,୦୪/୧୧: ''ରୋଟି, ବେଟି, ମାଟିକି ପୁକାର....ଝାଡଖଣ୍ଡରେ ବିଜେପି ଏନଡିଏ ସରକାର । ଦେଶରେ ହେଉଥିବା ଭଲ କାମ ବା ହେବାକୁ ଥିବା କାମ ମୋ ଭାଗ୍ୟରେ ଅଛି । ଝାଡଖଣ୍ଡରେ ଡବଲ ଇଞ୍ଜିନ ସରକାର ହେବ । ଝାଡଖଣ୍ଡବାସୀଙ୍କ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଜେଏମଏମ ଝାଡଖଣ୍ଡ ବିକାଶରେ ବଧା ସୃଷ୍ଟି କରିଛି । ଝାଡଖଣ୍ଡ ବିଧାନସଭା ନିର୍ବାଚନ ନେଇ ଗରହ୍ବାରେ ମେଗା ରାଲି ସହ ଜନସଭାକୁ ସମ୍ବୋଦନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜେଏମଏମ ଉପରେ ବର୍ଷିଲେ: ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଜେଏମଏମ ଉପରେ ବର୍ଷିଛନ୍ତି । ଲୋକଙ୍କୁ ଗୁଜବରେ ବିଶ୍ବାସ ନ କରିବାକୁ କହିଛନ୍ତି । ୨୦୧୮ରେ ପିଏମ କିସାନ ସମ୍ମାନ ନିଧି ଯୋଜନା ଆଣିବା ସମୟରେ ଜେଏମଏମ କିପରି ଲୋକଙ୍କ ମଧ୍ୟରେ ଗୁଜବ ବିସ୍ତାର କରିଥିବା ସେ କଥା କହିଛନ୍ତି । ଝାଡଖଣ୍ଡ ସରକାର ଗୁଲାମିଙ୍କ ମାଫିଆ ହୋଇଛି । ତୁମର ପ୍ରତିଟି ଭୋଟ ମାଫିଆ ସିଷ୍ଟମ ପାଇଁ ପ୍ରହାର ହେବ । ଆଗାମୀ ୨୫ ବର୍ଷ ଦେଶ ଓ ଝାଡଖଣ୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ । ବିକଶିତ ଝାଡଖଣ୍ଡ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଜେଏମଏମ, ଆରଜେଡି ଓ କଂଗ୍ରେସ ତୁଷ୍ଟିକରଣ ନୀତିକୁ ଚରମରେ ପହଞ୍ଚାଇଛନ୍ତି । ଏ ସରକାର ନିଜେ କିଛି କରନ୍ତି ନାହିଁ କି କାହାକୁ କିଛି କାର୍ଯ୍ୟ କରିବାକୁ ଦିଅନ୍ତି ନାହିଁ । ଝାଡଖଣ୍ଡ ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତାର ଅଭାବ ନାହିଁ । ହେଲେ ଏଠାକାର ସରକାର ଯୁବବର୍ଗଙ୍କ ପାଇଁ କେବଳ ପ୍ରତିଶ୍ରୁତି ଦେଇ ମିଛ କହି ଭୋଟ ହାତେଇଛି । ତାଙ୍କୁ ଦଣ୍ଡ ନିହାତି ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।