ଭୁବନେଶ୍ୱର, ୦୨/୦୯:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସୋମବାର ସନ୍ଧ୍ୟାରେ ୪ ଦିନିଆ  ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ସେମିକନ  ଇଣ୍ଡିଆ ସମ୍ମିଳନୀରେ ଯୋଗ  ଦେବେ । ଏହାଛଡ଼ା ଓଡ଼ିଶାରେ  ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍‌  ଖୋଲିବାକୁ କେନ୍ଦ୍ର କ୍ୟାବିନେଟ୍‌  ମୋହର ମାରିଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଭେଟି ଧନ୍ୟବାଦ  ଜଣାଇବେ । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି  ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ  ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର  କାର୍ଯ୍ୟକ୍ରମ ଥିଲା ବେଳେ ବିଜେପିର  କେନ୍ଦ୍ରୀୟ ନେତାଙ୍କୁ ଭେଟି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂପର୍କରେ ଚର୍ଚ୍ଚା  କରିପାରନ୍ତି ବୋଲି ଦଳୀୟ ସୂତ୍ରରୁ  ସୂଚନା ମିଳିଛି ।ଏହାଛଡ଼ା ମୁଖ୍ୟମନ୍ତ୍ରୀ  ୩ ଓ ୪ ତାରିଖରେ ଅନୁଷ୍ଠିତ ଜିଏସଟି  କାଉନସିଲ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଆଜି ଦିଲ୍ଲୀର ଯଶୋଭୂମିଠାରେ ସେମିକନ ୨୦୨୫ ଆୟୋଜିତ ହେଉଛି । ୨ ତାରିଖରୁ ୪ ଯାଏଁ ଅନୁଷ୍ଠିତ ହେବାକୁ  ଥିବା ଏହି ସେମିକଣ୍ଡକ୍ଟର ସମ୍ମିଳନୀକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ଓ ସହଯୋଗ ସଂପର୍କରେ ଏହି  ସମ୍ମିଳନୀରେ ଚର୍ଚ୍ଚା ହେବ । ଏହି ଆନ୍ତର୍ଜାତିକ ସମ୍ମିଳନୀରେ  ୪୮ ଦେଶରୁ ୨୫୦୦ ପ୍ରତିନିଧି ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସମ୍ମିଳନୀରେ ଯୋଗ ଦେବେ । ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହେବେ । 

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍‌ ଅଧୀନରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପ । ଏ ଦୁଇଟି  ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି । ଏ ଦୁଇଟି ୟୁନିଟରେ ୪୦୦୯ କୋଟିର  ନିବେଶ ହେବ । ଗୋଟିଏ ସିଲିକନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ ଓ ଏକ  ୩ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ଖୋଲିବ । ଓଡ଼ିଶା ପାଲଟିବ  ଦେଶର ସେମିକଣ୍ଡକ୍ଟର ହବ୍‌ । ଏ ଦୁଇଟି ପ୍ରକଳ୍ପ ରାଜ୍ୟକୁ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ  ଜଣାଇବେ । ଏହାଛଡ଼ା ଖାଲି ପଡ଼ିଥିବା ୬ଟି ମନ୍ତ୍ରୀପଦ ଏବଂ  ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ନେଇ ମଧ୍ୟ ମୋହନ କେନ୍ଦ୍ରୀୟ  ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ଥିବା  ଦଳୀୟ ସୂତ୍ରରୁ ଜଣାଯାଇଛି । ଭାରତ ଉପରେ ଆମେରିକାର  ଚଢ଼ା ଶୁଳ୍କ ଲାଗୁ କରିଥିଲା ବେଳେ ଚଳିତ ଆର୍ଥିକ ବର୍ଷର  ପ୍ରଥମ ତ୍ରୟମାସିକରେ ଭାରତର ଜିଡିପି ଅଭିବୃଦ୍ଧି ୭.୮% ଛୁଇଁଛି । ଏ ସମୟରେ ଆସନ୍ତା ୩ ଓ ୪ରେ ଜିଏସଟି  ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏ ବୈଠକରେ  ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ପୂର୍ବରୁ ସୋମବାର ଲୋକସେବା  ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇଥିଲେ । ଏହି  ବୈଠକରେ ଗୃହ ସଚିବ, ପୁଲିସ ଡିଜି, ମୁଖ୍ୟ ଶାସନ  ସଚିବ, କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।