ନୂଆଦିଲ୍ଲୀ,୦୫/୦୭: ଘାନା, ତ୍ରିନିଦାଦ ଓ ଟବାଗୋ ପରେ ଆର୍ଜେଣ୍ଟିନା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । 'ଭାରତ ମାତା କି ଜୟ', 'ଜୟ ଶ୍ରୀରାମ' ଏବଂ 'ମୋଦି ମୋଦି' ନାରାରେ କମ୍ପିଥିଲା ବୁଏନ୍ସ ଆଇର୍ସର ହୋଟେଲ୍ । ପାରମ୍ପରିକ ଓଡ଼ିଶୀ ନୃତ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଗସ୍ତରେ ବାହାରିଥିଲେ ପ୍ରଧାନମନ୍ତ୍ରୀ । ଏହା ତାଙ୍କର ଦ୍ବିତୀୟ ଆର୍ଜେଣ୍ଟିନା ଗସ୍ତ । ଏହା ପୂର୍ବରୁ ୨୦୧୮ରେ ଜି୨୦ ସମିଟ୍‌ରେ ସାମିଲ ହେବାକୁ ଆର୍ଜେଣ୍ଟିନା ଗସ୍ତ କରିଥିଲେ । ମୋଦି ଓ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଡିଫେନ୍ସ, କୃଷି, ପରମାଣୁ ସହଯୋଗ, ବ୍ୟବସାୟ ଏବଂ ନିବେଶ ଉପରେ ଚର୍ଚ୍ଚା ହେବ । ଦୁଇ ରାଷ୍ଟ୍ର ମଧ୍ୟରେ ଲିଥିୟମ ସପ୍ଲାଏ ଉପରେ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଆର୍ଜେଣ୍ଟିନା ପାଖରେ ଦୁନିଆର ସବୁଠୁ ବଡ଼ ଲିଥିୟମ ଭଣ୍ଡାର ଅଛି ।


ତ୍ରିନିଦାଦ ଓ ଟବଗୋ ଦୁଇ ଦେଶ ଗସ୍ତରେ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତାର କରିବାକୁ ୬ ବୁଝାମଣା ଉପରେ ହସ୍ତାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ତ୍ରିନିଦାଦ-ଟବାଗୋରେ ତାଙ୍କର ସମକକ୍ଷ କମଲା ପ୍ରସାଦ ବିସେସରଙ୍କ ମଧ୍ୟରେ ଆଲୋଚନା ପରେ ଦୁଇଦେଶ ସମ୍ପର୍କକୁ ମଜବୁଦ ଦିଗରେ ଫାର୍ମାଷ୍ଟୁଟିକଲ୍ସ ଏବଂ ସାଂସ୍କୃତିକ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ଏହାପରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜେବିୟର ମାଇକିଙ୍କ ନିମନ୍ତ୍ରଣ କ୍ରମେ ଆର୍ଜେଣ୍ଟିନା ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁଲାଇ ୨ରୁ ୧୦ ଯାଏ ୫ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆର୍ଜେଣ୍ଟିନା ପରେ ବ୍ରାଜିଲ ଗସ୍ତ କାର୍ଯ୍ୟକ୍ରମ ରହିଛି ।