ଭୁବନେଶ୍ୱର ୨୦/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ଅନୁଷ୍ଠିତ ହେବାକୁ ଥିବା "ସେବା ପର୍ବ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରଙ୍ଗେଇଲୁଣ୍ଡାରେ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ଡିଜିପି ଓ୍ୱାଇ.ବି ଖୁରାନିଆ । ସୁରକ୍ଷା ବ୍ୟବସ୍ଥା ନେଇ ଯାଞ୍ଚ କରିଛନ୍ତି।
ପ୍ରଧାନମନ୍ତ୍ରୀ ୨୭ ତାରିଖ ପୂର୍ବାହ୍ନ ୧୧ଟା ରେ ବ୍ରହ୍ମପୁରରେ ଜାତୀୟ ସ୍ତରୀୟ "ସେବା ପର୍ବ' କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଜନହିତକର ପ୍ରକଳ୍ପ ଓ କାର୍ଯ୍ୟକ୍ରମକୁ ଲୋକାର୍ପିତ କରିବେ । ଏହି "ସେବା ପର୍ବ' କାର୍ଯ୍ୟକ୍ରମରେ ଦେଶର ୮ଟି ଆଇଆଇଟିର କ୍ଷମତା ସମ୍ପ୍ରସାରଣ, କୋରାପୁଟ-ବାଇଗୁଡ଼ା, ମାନାବାର-କୋରାପୁଟ-ଗାରାପୁର ରେଳ ଲାଇନ ଡବଲିଙ୍ଗ, ସମ୍ବଲପୁର-ସରଲା ଫ୍ଲାଇଓଭର ଉଦଘାଟନ, ବିଏସଏନଏଲ୍ ଦ୍ୱାରା ଦେଶବ୍ୟାପୀ ସ୍ୱଦେଶୀ ୪-ଜି ନେଟୱର୍କ ସେବାର ଲୋକାର୍ପଣ, ଏମ୍କେସିଜି ଓ ଭିଏମସାର ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସୁପର ସ୍ପେସାଲିଟି ମାନ୍ୟତା ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ଏହାସହ ଦେଶବ୍ୟାପୀ ଦକ୍ଷତା ବିକାଶ ପ୍ରକଳ୍ପର ଉଦଘାଟନ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ସହ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରି ସ୍ମରଣୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଗସ୍ତ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ଡିଜି ଓ୍ୱାଇ ବି ଖୁରାନିଆ ଶନିବାର ଦିନ ବ୍ରହ୍ମପୁର ଗସ୍ତରେ ଆସିଛନ୍ତି । ବ୍ରହ୍ମପୁରରେ ପହଞ୍ଚିବା ପରେ ପ୍ରଥମେ ରଙ୍ଗେଇଲୁଣ୍ଡାରେ ଜିଲ୍ଲା ଓ ପୁଲିସ ପ୍ରଶାସନ ସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସମୀକ୍ଷା ବୈଠକ କରିଛନ୍ତି । ଏହାପରେ ବିଭିନ୍ନ ପର୍ଯ୍ୟାୟରେ ଗସ୍ତ ନେଇ ସମୀକ୍ଷା କରିବା ପରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।