ନୂଆଦିଲ୍ଲୀ: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଲାଗିଛି ସତ, କିନ୍ତୁ କେହି କାହାକୁ ମାନିବାକୁ ନାରାଜ । ଏଥିପାଇଁ ପୂରା ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ନିରନ୍ତର ଧମକ ଦେଇଚାଲିଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ପୁଣି ଥରେ ଯୁଦ୍ଧ ଲାଗିପାରେ ବୋଲି ଆଶଙ୍କା ଘନଉଛି। ମଧ୍ୟପ୍ରାଚ୍ୟରେ ଏହି ପରିସ୍ଥିତି ମଧ୍ୟରେ, ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୪୦ ମିନିଟ୍ ଧରି କଥା ହୋଇଥିବା ସୂଚନା ରହିଛି।

କଣ ହୋଇଛି ଆଲୋଚନା ?

ଆମେରିକି ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ନାକାବନ୍ଦୀ ଉପରେ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରଦୂତ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନ ଏବଂ ସପ୍ତାହ ମଧ୍ୟରେ ଭାରତ ଏବଂ ଆମେରିକା ମଧ୍ୟରେ ଶକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଆଶା କରାଯାଉଛି।

ଆମେ ସମସ୍ତେ ଆପଣଙ୍କୁ ଭଲ ପାଉ : ଟ୍ରମ୍ପ

ଭାରତରେ ଆମେରିକା ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ, "ମୁଁ କେବଳ କହିବାକୁ ଚାହୁଁଛି ଯେ ଆମେ ସମସ୍ତେ ଆପଣଙ୍କୁ ଭଲ ପାଉ।" ସେର୍ଗିଓ ଗୋର୍ କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ ଏକ ଦୃଢ଼ ସ୍ଥିତିରେ ଅଛି।

କଣ ସୂଚନା ଦେଲେ ପିଏମ ମୋଦି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି। ମୋଦି ତାଙ୍କ ସରକାରୀ X ହ୍ୟାଣ୍ଡେଲରେ କହିଛନ୍ତି, "ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଫୋନ୍ ପାଇଥିଲି। ଆମେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମୀକ୍ଷା କରିଛୁ। ଆମେ ସମସ୍ତ କ୍ଷେତ୍ରରେ ଆମର ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧ। ଆମେ ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଛୁ ଏବଂ ହର୍ମୁଜ୍ ପ୍ରଣାଳୀକୁ ଖୋଲା ଏବଂ ସୁରକ୍ଷିତ ରଖିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛୁ।"

ଏହା ସହ ପଢନ୍ତୁ : Iran America War : ଆମେରିକାର ଜିଦ୍ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ଇରାନ, ବିପଦପୂର୍ଣ୍ଣ ଅବସ୍ଥାରେ ଦୁଇ ଦେଶର ଲଢେଇ...​​​​​​​