ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପେଟ୍ରୋଲ ଓ ଡିଜେଲ ବଞ୍ଚାଇବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି। ହେଲେ ମୋଦି ଏହି ପଦକ୍ଷେପକୁ ନିଜଠାରୁ ଆରମ୍ଭ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନିଜ ବାସଭବନରୁ ମାତ୍ର ଦୁଇଟି ଗାଡି ନେଇ ବାହାରିଥିଲେ। ଏଭଳି କରି ପିଏମ୍ ମୋଦି ଇନ୍ଧନ ସଂରକ୍ଷଣ ଦିଗରେ ନିଜେ ଉଦାହରଣ ପାଲଟିଛନ୍ତି। ଗୋଟିଏ ଗାଡିରେ ସେ ବସିକି ବାହାରିଥିବା ବେଳେ ଅନ୍ୟ ଗୋଟିଏ ଗାଡିରେ ତାଙ୍କ ସୁରକ୍ଷାରେ ମୁତୟନ ଥିଲେ ଏସପିଜିର ସୁରକ୍ଷାକର୍ମୀ। ଏହି ଦୁଇ ଗାଡିର କାରକେଡ୍‌ରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପହଁଞ୍ଚିଥିଲେ ପିଏମ୍ ମୋଦି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅପିଲ୍ କରିଥିଲେ ଦେଶବାସୀଙ୍କୁ ପେଟ୍ରୋଲ ଏବଂ ଡିଜେଲ୍ ସଞ୍ଚୟ କରିବା ଦରକାର। ଦେଶବାସୀଙ୍କୁ ଇନ୍ଧନ ଅତି ବୁଝି ବିଚାରି ବ୍ୟବହାର କରିବା ଉଚିତ। ଏହାଛଡା ବର୍ଷେ ପର୍ଯ୍ୟନ୍ତ ସୁନା ନକିଣିବାକୁ ଅପିଲ କରିଥିଲେ। ପିଏମ୍ ମୋଦିଙ୍କ ଅପିଲ ପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର କାରକେଡ୍ ହ୍ରାସ କରିଛନ୍ତି। ଏହାଛଡା ଅଧିକାଂଶ ବୈଠକ ଅନଲାଇନ୍ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିଷ୍ପତ୍ତି ନେଇଛନ୍ତି।

କେବଳ ସେତିକି ନୁହେଁ ପିଏମ୍ ମୋଦିଙ୍କ ଅପିଲ ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଲୋକଙ୍କ କହିବା ଅନୁସାରେ, ଆଗାମୀ କିଛି ଦିନରେ କଟକଣା ଲାଗିପାରେ। ଆଉ କିଛି ଲୋକଙ୍କ ଅନୁସାରେ, ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ରେ ବୃଦ୍ଧି ହୋଇପାରେ ଓ ସରକାର ଏହାର ପ୍ରସ୍ତୁତି କରୁଛନ୍ତି। ଏଭଳି ଚର୍ଚ୍ଚାକୁ ଆହୁରି ସ୍ପଷ୍ଟ କରିଛି ଯେତେବେଳେ ମଙ୍ଗଳବାର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ପଟ୍ରୋଲ-ଡିଜେଲ୍‌ର ଦାମ୍ ଦୀର୍ଘ ସମୟ ଧରି ରୋକି ହେବନି। ପ୍ରତିଦିନ ପେଟ୍ରୋଲିୟମ କମ୍ପାନୀଙ୍କୁ ଅଶୋଧିତ ତୈଳର ବଢୁଥିବା ଦାମ୍ କାରଣରୁ ୧୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି।

ଆହୁରି ପଢନ୍ତୁ :ବିବାଦ ପରେ ବ୍ୟାକଫୁଟ୍‌ରେ ବିଜୟ ସରକାର, ମେଣ୍ଟରେ ପ୍ରବଳ ବିରୋଧ ପାଇଁ ଜ୍ୟୋତିଷଙ୍କୁ ଓଏସଡି ପଦବୀରୁ ହଟାଇଲେ