ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

Budget 2025: ପିଏମ୍‌ ମୋଦୀ କହିଲେ- ସାଧାରଣ ଲୋକଙ୍କ ପକେଟ୍‌ ଭରିବ ଏହି ବଜେଟ୍‌

Published By : Tapas Panda | February 1, 2025 4:12 PM

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍‌ ୨୦୨୫-୨୬କୁ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଥିବା ବେଳେ ଏହାକୁ ଖୁବ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୨ ଲକ୍ଷ ଟଙ୍କା ଯାଏ ଆୟକୁ ଟିକସ ମୁକ୍ତ କରି ସରକାର ମଧ୍ୟବିତ୍ତଙ୍କ ହାତରେ ଅଧିକ ଟଙ୍କା ଦେବାକୁ ଚାହିଁଛନ୍ତି । ଏହାସହ ଦେଶର ଅର୍ଥନୀତି ଯେପରି ଅଧିକ ଗତିଶୀଳ ହୋଇପାରିବ ସେଥିପାଇଁ ମଧ୍ୟ ଉଦ୍ୟମ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଜେଟ୍‌କୁ ସାଧାରଣ ଲୋକଙ୍କ ବଜେଟ୍ ବୋଲି କହିଛନ୍ତି । ଅର୍ଥ ମନ୍ତ୍ରୀଙ୍କୁ ପ୍ରଶଂସା କରି ପିଏମ୍ କହିଛନ୍ତି, ଏହି ବଜେଟ୍ ମଧ୍ୟବିତ୍ତଙ୍କ ପକେଟ୍‌କୁ ବଳ ଦେବ ଏବଂ ଆତ୍ମନିର୍ଭର ଭାରତକୁ ଅଧିକ ଗତି ପ୍ରଦାନ କରିବ । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ବଜେଟ୍ ଭାରତର ବିକାଶ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ପାହାଚ । ଏହା ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍ । ଏହା ସବୁ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବାର ବଜେଟ୍ । ଅନେକ ସେକ୍ଟର ଯୁବକଙ୍କ ପାଇଁ ଖୋଲାଯାଇଛି । ଏହା ବିକଶିତ ଭାରତ ମିଶନକୁ ଗତି ଦେବ ଏବଂ ଏହି ବଜେଟ୍ ବିକଶିତ ଭାରତ ମିଶନକୁ ସାଧାରଣ ଲୋକ ଆଗକୁ ନେବେ । ଏହା ସଂଚୟ, ନିବେଶ, ଖର୍ଚ୍ଚ ଏବଂ ବିକାଶକୁ ବଢାଇବ ।ପିଏମ୍  କହିଛନ୍ତି, 'ଜନକୈନ୍ଦ୍ରିକ ବଜେଟ୍ ଆଣିଥିବାରୁ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମକୁ ମୁଁ ଶୁଭେଚ୍ଛା ଜଣାଉଛି । 

ସାଧାରଣତଃ ବଜେଟର ଫୋକୋସ୍ ସରକାରଙ୍କ ରାଜକୋଷ କିପରି ବଢିବ ତାହା ଉପରେ ରହିଥାଏ, କିନ୍ତୁ ଦେଶର ବଜେଟ୍ ଏଥର ପୁରା ବିପରୀତ ରହିଛି । ଏହି ବଜେଟ୍ ଦେଶର ନାଗରିକଙ୍କ ପକେଟ୍ ଭରିବ, ଦେଶର ନାଗରିକଙ୍କ ସଂଚୟ କିପରି ବଢିବ ଏବଂ ଦେଶର ନାଗରିକ ବିକାଶର ଭାଗିଦାରୀ କିପରି ହେବ, ଏହି ବଜେଟ୍ ତାହାର ଏକ ମଜଭୁତ ମୂଳଦୁଆ ପକାଇବ । ପ୍ରଧାନମନ୍ତ୍ରୀ କହିଛନ୍ତି, 'ସଂସ୍କାର ଦୃଷ୍ଟିରୁ ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପରମାଣୁ ଉର୍ଜାରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଐତିହାସିକ ପଦକ୍ଷେପ । ଏହାଦ୍ୱାରା ଦେଶର ବିକାଶରେ ସିଭିଲ୍ ନ୍ୟୁକ୍ଲିୟର ଏନର୍ଜିର ବଡ଼ ଯୋଗଦାନ ସୁନିଶ୍ଚିତ ହେବ ।'

ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ୍‌ରେ କୃଷକଙ୍କ ପାଇଁ ଯେଉଁ ଘୋଷଣା ହୋଇଛି ତାହା କୃଷି କ୍ଷେତ୍ର ଏବଂ ଗ୍ରାମୀଣ ବ୍ୟବସ୍ଥାରେ ନୂଆ କ୍ରାନ୍ତୀର ଆଧାର ହେବ । କିଷାନ କ୍ରେଡିଟ୍‌ କାର୍ଡର ଲିମିଟ୍‌ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବାରୁ ଏହା କୃଷକଙ୍କୁ ଖୁବ ସହାୟକ ହେବ । ସେହିଭଳି ୧୨ ଲକ୍ଷ ଟଙ୍କା ଆୟ ଉପରେ ଟ୍ୟାକ୍ସ ଛାଡ଼ ନେଇ ବଜେଟରେ ଯେଉଁ ଘୋଷଣା ହୋଇଛି ତାହା ମଧ୍ୟବିତ୍ତଙ୍କ ପାଇଁ ଖୁବ ଲାଭଦାୟକ ହେବ । ଯେଉଁମାନେ ନୂଆ ଚାକିରି ପାଇଛନ୍ତି ସେମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ୟାକ୍ସ ଚିନ୍ତାରୁ ମୁକ୍ତି ମିଳିବ ଏବଂ ତାଙ୍କ ପାଇଁ ନୂଆ ଅବସର ମିଳିବ । ଏହି ବଜେଟ୍‌ରେ ନିର୍ମାଣ କ୍ଷେତ୍ରକୁ ୩୬୦ ଡିଗ୍ରି ଫୋକସ୍‌ କରାଯାଇଛି। ଏହା ଦ୍ବାରା ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.