ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗୋଲିଆର ରାଷ୍ଟ୍ରପତି ଖୁରେଲସୁଖ ଉଖନାଙ୍କ ସହ ଏକ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ବୈଠକ ପରେ ପିଏମ ମୋଦି କହିଛନ୍ତି ଯେ, ଭାରତ ମଙ୍ଗୋଲିଆର ବିକାଶରେ ଏକ "ସ୍ଥିର ଏବଂ ନିର୍ଭରଯୋଗ୍ୟ ସହଯୋଗୀ" ହୋଇ ରହିଛି। ସୂଚନାଥାଉକି, ଉଖନା ସୋମବାର ଦିନ ୪ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ, ଯାହା ରାଷ୍ଟ୍ରପତି ଭାବରେ ତାଙ୍କର ଏହା ପ୍ରଥମ ଗସ୍ତ।
ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ମଙ୍ଗୋଲିଆର ଲୋକମାନଙ୍କୁ ମାଗଣା ଇ-ଭିସା ପ୍ରଦାନ କରିବ। "ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସମ୍ପର୍କ କେବଳ କୂଟନୈତିକ ନୁହେଁ। ଏଥିରେ ଏକ ଆଧ୍ୟାତ୍ମିକ ସମ୍ପର୍କ ମଧ୍ୟ ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। "ଶତାବ୍ଦୀ ଧରି ଉଭୟ ଦେଶ ବୌଦ୍ଧ ଧର୍ମର ନୀତି ଦ୍ୱାରା ବାନ୍ଧି ହୋଇ ରହିଛନ୍ତି, ଯାହା ପାଇଁ ଆମକୁ ଆଧ୍ୟାତ୍ମିକ ଭାବରେ ଗୋଟିଏ ମା’ର ସନ୍ତାନ ବୋଲି ମଧ୍ୟ କୁହାଯାଏ ।
ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ କୂଟନୈତିକ ସମ୍ପର୍କ ୧୯୫୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ସହଭାଗୀତା ପ୍ରତିରକ୍ଷା ଏବଂ ସୁରକ୍ଷା, ଶକ୍ତି, ଖଣି, ସୂଚନା ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାଂସ୍କୃତିକ ସହଯୋଗ ଭଳି କ୍ଷେତ୍ରକୁ ବ୍ୟାପିଛି।