ଭୁବନେଶ୍ୱର,୧୭/୦୧: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗୌତମ କୁଣ୍ଡୁ ଓ ଶିବମୟ ଦତ୍ତାଙ୍କ ବିରୋଧରେ ସ୍ଥାନୀୟ ପିଏମ୍‌ଏଲଏ କୋର୍ଟ ଚାର୍ଜଫ୍ରେମ କରିଛନ୍ତି ।  ଫଳରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ  ଜମାକାରୀମାନେ ଟଙ୍କା ଫେରସ୍ତ ପାଇବାର  ଆଶା ଉଜ୍ୱଳ ହୋଇଛି ବୋଲି ଇଡି  (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ସୂଚନା  ଦିଆଯାଇଛି । 

୨୦୧୪ ଓ ୨୦୧୫ରେ  ଇଡି ଚିଟ୍‌ଫଣ୍ଟ କମ୍ପାନିର ବ୍ୟାଙ୍କ ଜମା  ସମେତ ମୋଟ ୩୩୨ କୋଟି ଟଙ୍କାର  ଅସ୍ଥାବର ସମ୍ପତ୍ତି ଜବତ କରିଥିଲା।  ଯାହାକି ବର୍ତ୍ତମାନ ସୁଧକୁ ମିଶାଇ ୪୦୦ କୋଟିରୁ ଅଧିକ ଟଙ୍କା ହେବ । କୋର୍ଟ  ଅନୁମତି ଦେଲେ ଜବତ ହୋଇଥିବା  ସମ୍ପତ୍ତିକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ  କରାଯାଇପାରିବ । ୨୦୧୫ ମେ ୧୫ରେ  କଲିକତା ହାଇକୋର୍ଟ ଗଠନ କରିଥିବା  ଏଡିସି (ଆସେଟ୍‌ସ ଡିସ୍‌ପୋଜାଲ କମିଟି)  କୋର୍ଟଙ୍କ ଅନୁମତି ମିଳିବା ପରେ ଏହି  ଟଙ୍କାକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ  କରିବା ପ୍ରକ୍ରିୟା ଆରମ୍ଭ କରିବ । ମନି  ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଏଲ) ର ଧାରା ୮ (୮) ଅନୁସାରେ ବେଆଇନ  ଭାବେ ସଂଗ୍ରହ କରାଯାଇଥିବା  ଅର୍ଥକୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ  କୋର୍ଟ ଫେରସ୍ତ କରିପାରିବେ ।  

୨୦୧୬ରେ ଇଡି ରୋଜଭ୍ୟାଲି ଚିଟ୍‌ଫଣ୍ଡ  କମ୍ପାନିର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍‌  ଦାଖଲ କରିଥିଲା। ୨୦୧୫ ମାର୍ଚ୍ଚ ୨୫ରେ ଇଡି କୁଣ୍ଡୁଙ୍କୁ କୋଲକାତାରୁ ଗିରଫ  କରିଥିଲା । ରୋଜଭ୍ୟାଲି କମ୍ପାନି ଓଡ଼ିଶାରୁ  ପ୍ରାୟ ୪୭୬ କୋଟି ଟଙ୍କା ଠକି ନେଇଥିବା  ଅଭିଯୋଗ ହୋଇଛି । ଓଡ଼ିଶା ବ୍ୟତୀତ  ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରୁ  ମଧ୍ୟ ରୋଜଭ୍ୟାଲି କମ୍ପାନି ଜମାକାରୀଙ୍କ ଠାରୁ ବିପୁଳ ଅର୍ଥ ଠକି ନେଇଛି ।