ନୂଆଦିଲ୍ଲୀ, ୧୩।୪: ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଆଲର୍ଟ ଅନୁଯାୟୀ, ଆସନ୍ତା ୧୬ ଏପ୍ରିଲରୁ ଅନେକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବାକୁ ଯାଉଛି । ଯଦି ଆପଣଙ୍କର ମଧ୍ୟ ଏମିତି କିଛି ଆକାଉଣ୍ଟ ଅଛି ଯେଉଁଥିରେ ଦୀର୍ଘ ଦିନ ହେବ କୌଣସି କାରବାର ହୋଇନାହିଁ, ତେବେ ଆପଣଙ୍କ ପାଖରେ ସମୟ ଖୁବ୍ କମ୍ ଅଛି । PNB ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଯେଉଁ ଖାତାଧାରକମାନେ ବିଗତ ୩ ବର୍ଷ ଧରି ନିଜ ଆକାଉଣ୍ଟରୁ କୌଣସି ପ୍ରକାରର କାରବାର କରିନାହାନ୍ତି ଏବଂ ସେହି ଖାତାରେ ଜିରୋ ବାଲାନ୍ସ ରହିଛି, ସେହିଭଳି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦିଆଯିବ । ଏଥିପାଇଁ ବ୍ୟାଙ୍କ ୧୫ ଏପ୍ରିଲକୁ ଶେଷ ସମୟ ସୀମା ବା ଡେଡ୍ଲାଇନ ଭାବେ ଧାର୍ଯ୍ୟ କରିଛି ।
ଏହା ବି ପଢ଼ନ୍ତୁ... ଶାନ୍ତି ଆଲୋଚନା ଫେଲ୍ ; ସପ୍ତାହ ଆରମ୍ଭରୁ ସେୟାର ମାର୍କେଟ୍ରେ ଝଡ଼, ୧୬୦୦ ଅଙ୍କ ଖସିଗଲା ସେନସେକ୍ସ
କାହିଁକି ବ୍ୟାଙ୍କ ନେଉଛି ଏଭଳି ପଦକ୍ଷେପ ?
ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନିଷ୍କ୍ରିୟ ଖାତାଗୁଡ଼ିକରୁ ହେଉଥିବା ସମ୍ଭାବ୍ୟ ଜାଲିଆତି ବା ଫ୍ରଡ୍କୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ବ୍ୟବହାର ହେଉନଥିବା ଜିରୋ ବାଲାନ୍ସ ଖାତାଗୁଡ଼ିକର ଅପବ୍ୟବହାର ହେବାର ସମ୍ଭାବନା ଅଧିକ ଥାଏ, ତେଣୁ ଗ୍ରାହକଙ୍କ ସୁରକ୍ଷା ପାଇଁ ବ୍ୟାଙ୍କ ଏହାକୁ ଡି-ଆକ୍ଟିଭେଟ୍ କରିବାକୁ ଯାଉଛି ।
କିଭଳି କରିବେ ଆପଣଙ୍କ ଆକାଉଣ୍ଟକୁ ପୁଣି ସକ୍ରିୟ ?
ଆପଣଙ୍କ ବ୍ୟାଙ୍କ ଖାତାକୁ ବନ୍ଦ ହେବାରୁ ରୋକିବା ପାଇଁ ଆପଣଙ୍କୁ ତୁରନ୍ତ ଏହି ପଦକ୍ଷେପ ନେବାକୁ ପଡ଼ିବ:
୧. ୧୫ ଏପ୍ରିଲ ପୂର୍ବରୁ ଆପଣଙ୍କର ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାକୁ ଯାଆନ୍ତୁ ।
୨. ସେଠାରେ ଆବଶ୍ୟକୀୟ ଦସ୍ତାବେଜ ଦେଇ ଆପଣଙ୍କର KYC (Know Your Customer) ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ।
୩. ଆକାଉଣ୍ଟକୁ ସକ୍ରିୟ ରଖିବା ପାଇଁ କିଛି ଟଙ୍କା ଜମା କରନ୍ତୁ କିମ୍ବା ଉଠାଣ କରନ୍ତୁ ।
ଯଦି ଆପଣ ଧାର୍ଯ୍ୟ ସମୟ ମଧ୍ୟରେ ଏହି କାମ ନକରନ୍ତି, ତେବେ ୧୬ ଏପ୍ରିଲରେ ବ୍ୟାଙ୍କ ବିନା କୌଣସି ସୂଚନାରେ ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରିଦେବ । ଅଧିକ ସୂଚନା ପାଇଁ ତୁରନ୍ତ ବ୍ୟାଙ୍କ ବ୍ରାଞ୍ଚ ସହିତ ଯୋଗାଯୋଗ କରନ୍ତୁ ।