ନୂଆଦିଲ୍ଲୀ: ବେଙ୍ଗାଲୁରୁ ଏଆଇ ଇଞ୍ଜିନୟର ଅତୁଲ ସୁଭାଷଙ୍କ ମୃତ୍ୟୁ ମାମଲାରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ। ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସମେତ ନିକିତାଙ୍କ ମା’ ନିଶା ଓ ଭାଇ ଅନୁରାଗଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ। ପତ୍ନୀ ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବାବେଳେ ତାଙ୍କ ମା’ ଓ ଭାଇଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରାଯାଇଛି। କିଛି ଦିନ ପୂର୍ବରୁ ନିକିତା ଓ ତାଙ୍କ ପରିବାର ଲୋକଙ୍କ ଉପରେ ଅତୁଲଙ୍କୁ ମାନସିକ ନିର୍ୟାତନା ଓ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ନିଜ ଦୁଃଖ ସମ୍ପର୍କିତ ଭିଡିଓ ପୋଷ୍ଟ କରି ନିଜ ଜୀବନ ହାରିଥିଲେ ଯୁବ ଇଞ୍ଜିନିୟର ଅତୁଲ। ପରେ ନିକିତାଙ୍କ ଯୌନପୁର ସ୍ଥିତ ଘରକୁ ନୋଟିସ୍ ପଠାଇଥିଲା ବେଙ୍ଗାଲୁରୁ ପୋଲିସ।
ନୋଟିସରେ 3 ଦିନ ମଧ୍ୟରେ ନିକିକା, ନିକିତାଙ୍କ ମା ଓ ଭାଇଙ୍କୁ ନିଜ ଷ୍ଟେଟମେଣ୍ଟ ଜାରି କରିବାକୁ କୁହାଯାଇଥିଲା। ଏହା ମଧ୍ୟରେ ନିକିତା ଓ ତାଙ୍କ ପରିବାର ଆହ୍ଲାବାଦ କୋର୍ଟରେ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଇନଥିବା ବେଳେ ଆଜି ଉକ୍ତ 3 ଜଣଙ୍କୁ ଆରେଷ୍ଟ କରିଛି। ଅନ୍ୟପଟେ ଏଯାଏ ଅତୁଲଙ୍କ ପରିବାର ଲୋକ ଏମେଇ ଚୁପ ଥିବା ବେଳେ ଗଣମାଧ୍ୟମ ସାମ୍ନାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅତୁଲଙ୍କ ବାପା।
ମୁଁ ଆଜିଯାଏ କେବେବି ମୋ ନାତିକୁ ହାତରେ ଧରିନାହିଁ। ଆଜିଯାଏ ତାକୁ ଯାହା ଭିଡିଓ କଲରେ ଦେଖିଛି। ମୋ ପୁଅ ଚାଲିଗଲା ପରେ ତା ସନ୍ତକ ସ୍ୱରୁପ କେବଳ ତା ପୁଅ ହିଁ ଅଛି ଆମ ଜୀବନରେ। ଆମକୁ ଜଣାନାହିଁ ଆମ ନାତି କୋଉଠି ଅଛି। ସେ ଜୀବିତ କି ମୃତ ତାହା ମଧ୍ୟ ଆମକୁ ଜଣାନାହିଁ। ବାସ ଆମେ ଆମ ନାତିକୁ ଆମ ପାଖରେ ଦେଖିବାକୁ ଚାହୁଁଛୁ ବୋଲି କହିଛନ୍ତି ଅତୁଲଙ୍କ ବାପା ପୱନ କୁମାର ମୋଦି।
ମିଳିଥିବା ଖବର ମୁତାବକ, ନିକିତାଙ୍କ ପରିବାର ତରଫରୁ ନିକଟରେ ଅତୁଲଙ୍କ ପୁଅ ନାଁରେ ପୱନଙ୍କ ଉପରେ ଏକ ନୂଆ କେସ ଦାଏର କରାଯାଇଛି। ଏଥି ନିମନ୍ତେ ଅତୁଲଙ୍କ ଭାଇ ମଧ୍ୟ ତାଙ୍କ ପୁତୁରା ପାଇଁ ଚିନ୍ତିତ ଥିବା ନେଇ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି।