କଟକ, ୦୯/୧୦: କଟକ ସହରରେ ଦେଖାଯାଇଥିବା ହିଂସା ପରେ ପୁଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଆସନ୍ତାକାଲି ଶୁକ୍ରବାର ସମୂହ ନମାଜ ପାଠ ଆଳରେ କିଛି ବିଶୃଙ୍ଖଳା ହେବ ବୋଲି ଆଶଙ୍କା କରି ପୁଲିସ ପକ୍ଷରୁ ତନାଘନା ଆରମ୍ଭ କରାଯାଇଛି । ୨ ଜଣ ଏସିପି ଓ ୩ ଜଣ ଇନ୍ସପେକ୍ଟର କିଛି ଫୋର୍ସ ସହାୟତାରେ କଦମ ରସୁଲ ଅଞ୍ଚଳରେ ଯାଞ୍ଚ କରିଛନ୍ତି । କିଛି ଘର ଓ ମସଜିଦ ପାଖ ଅଞ୍ଚଳ ଯାଞ୍ଚ ହୋଇଛି । ମାତ୍ର କିଛି ବି ଆପତ୍ତି ଜନକ ଜିନିଷ ମିଳିନି ।ସେହିପରି କୌଣସି ଆପତ୍ତି ଜନକ ଗତିବିଧିବିର ମଧ୍ୟ ସୂଚନା ମିଳିନି । ଅଞ୍ଚଳରେ ସ୍ଥିତି ସାଧାରଣ ଥିବା ନେଇ ACP ଅମିତାଭ ମହାପାତ୍ର ଓ ACP ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ଅନ୍ୟପଟେ କୌଣସି ଗୁଜବ ଉପରେ ଧ୍ୟାନ ନଦେବାକୁ ପୁଲିସ କହିଛି । ଏହି କ୍ରମରେ ଗୁଜବ ନକରିବା ଓ ଶାନ୍ତି ବଜାୟ ରଖିବାକୁ ମହଲା କମିଟି ଅନୁରୋଧ କରିଛି ।