କେନ୍ଦ୍ରପଡା,୧୪ ।୫ :  ଜଣେ ବ୍ୟକ୍ତିଙ୍କ ନାମରେ ୱାରେଣ୍ଟ କିନ୍ତୁ ଅନ୍ୟ ଜଣକୁ ଉଠାଇ ଆଣିଲା କେନ୍ଦ୍ରାପଡା ସଦର ପୋଲିସ।  ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖିଲା l କେନ୍ଦ୍ରାପଡା  ସଦର ଥାନାରେ ଘଟିଛି ଏଭଳି ଘଟଣା।  

ସାରଙ୍ଗ ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କୁ ବୁଧବାର ରାତି ପ୍ରାୟ ୧୨ଟାରେ ସଦର ଥାନାର ଏକ ସ୍ଵତନ୍ତ୍ର ଟିମ୍ ଘରେ ଶୋଇଥିବା ଅବସ୍ଥାରେ ଉଠାଇ ଆଣିଥିଲା l ତାଙ୍କ ନାମରେ ସେଭଳି କୌଣସି ମାମଲା ନଥିବା ଯେତେ ସେ କହିଥିଲେ ବି ପୋଲିସ କିଛି ଶୁଣି ନଥିଲା l ଥାନାକୁ ଆଣି ପୋଲିସ ହୃଷିକେଶଙ୍କୁ ୧୨ ଘଣ୍ଟା ଧରି ଅଟକ ରଖିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l ତେବେ ଘଟଣାକୁ ଟିକିନିଖି ଅନୁଧ୍ୟାନ କରିବା ପରେ ୱାରେଣ୍ଟରେ ଅନ୍ୟ ଜଣେ  ହୃଷିକେଶ ପ୍ରଧାନଙ୍କ ନାମ ଥିବା ପୋଲିସ ଜାଣିବାକୁ ପାଇଥିଲା l ଭୁଲରେ ପୋଲିସ ହୃଷିକେଶଙ୍କୁ ଉଠାଇ ଆଣିଥିବା ଜାଣିବା ପରେ ତାଙ୍କୁ ଛାଡ଼ି ଦେଇଥିଲା l ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ କହିଛନ୍ତି।

ଆହୁରି ପଢନ୍ତୁ : ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଜୁଲାଇ ୧ରୁ ତୃତୀୟ ପର୍ଯ୍ୟାୟ ଏସଆଇଆର