ନୂଆଦିଲ୍ଲୀ, ୨୯/୦୧ : ଅଭିଯୁକ୍ତଙ୍କୁ ଅନଲାଇନ୍‌ରେ ନୋଟିସ୍‌ ପଠାଇ ପାରିବନି ପୁଲିସ। ଦେଶର କୌଣସି ରାଜ୍ୟ କିମ୍ଵା କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଅଭିଯୁକ୍ତଙ୍କୁ ହ୍ୱାଟ୍‌ସଆପ୍‌, ଇ-ମେଲ୍‌ କିମ୍ବା ଅନ୍ୟ ଇଲୋକ୍ଟ୍ରୋନିକ ମାଧ୍ୟମରେ ନୋଟିସ୍‌ ପଠାଇ ପାରିବ ନାହିଁ । କ୍ରିମିନାଲ ପ୍ରୋସିଜର କୋଡ୍‌ କିମ୍ବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଅଧୀନରେ ଏଭଳି କରିବାକୁ ପୁଲିସକୁ ଅନୁମତି ମିଳିନାହିଁ । ଜାନୁଆରୀ ୨୧ ତାରିଖରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-କୋକାକୋଲା ଡ୍ରିଙ୍କ୍‌ସରେ ମାତ୍ରାଧିକ କେମିକାଲ୍, ୟୁରୋପରୁ ପାନୀୟ ଫେରାଇ ନେଲା କମ୍ପାନୀ

ଜଷ୍ଟିସ ଏମ୍‌ ଏମ୍‌ ସୁନ୍ଦରେଶ ଓ ଜଷ୍ଟିସ୍‌ ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସିଆର୍‌ପିସି, ୧୯୭୩ର ଧାରା ୪୧ଏ କିମ୍ବା ବିଏନ୍‌ଏସ୍‌ଏସ୍‌, ୨୦୨୩ର ଧାରା ୩୫ ଅଧୀନରେ ଆଇନଗତ ନୋଟିସ୍‌ ପଠାଇବା ଲାଗି ଯେଉଁ ମାଧ୍ୟମକୁ ଅନୁମତି ମିଳିଛି ସେହି ମାଧ୍ୟମରେ ନୋଟିସ୍‌ ପଠାଇବାକୁ ପୁଲିସକୁ ଉଚିତ୍‌ ନିର୍ଦ୍ଦେଶ ଜାରି କରିବା କଥା କହିଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ହ୍ୱାଟ୍‌ସ ଆପ୍‌ କିମ୍ବା ଅନ୍ୟ ଇଲୋକ୍ଟ୍ରୋନିକ ଉପକରଣ ଦ୍ୱାରା ନୋଟିସ୍‌କୁ ସିଆର୍‌ପିସି, ୧୯୭୩ କିମ୍ବା ବିଏନ୍‌ଏସ୍‌ଏସ୍‌, ୨୦୨୩ର ଅଧୀନରେ ନିର୍ଦ୍ଧାରିତ ସେବା ଉପାୟର ବିକଳ୍ପ ଭାବେ ମାନ୍ୟତା ଦେଇହେବନାହିଁ । ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରାଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ଲୁଥ୍ରା ଏମିତି ଏକ ମାମଲା ସଂପର୍କରେ ଦର୍ଶାଇଥିଲେ ଯେଉଁଥିରେ ଅଭିଯୁକ୍ତଙ୍କୁ ସିଆର୍‌ପିସି ୧୯୭୩ର ଧାରା ୪୧-ଏ ଅନୁସାରେ ହ୍ୱାଟ୍‌ସ ଆପ୍‌ରେ ନୋଟିସ୍‌ ପଠାଯାଇଥିଲା । ସେ କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନଥିଲେ ।