ଭୁବନେଶ୍ବର,୨।୧୦ : ରାଜଧାନୀ ଭୁବନେଶ୍ବରରେ ରବିବାର ରାତିରେ ଲୁଟେରାମାନେ ଏକ ଆପାର୍ଟମେଣ୍ଟରେ ବର୍ବରକାଣ୍ଡ ଘଟାଇଥିଲେ।  ଲୁଟ୍ ଉଦ୍ଦେଶ୍ୟରେ ପଶି ଲୁଟେରାମାନେ ଶିଶୁକନ୍ୟା ବେକରେ ଛୁରୀ ଲଗାଇ  ଜଣେ ମହିଳାଙ୍କୁ  ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ କମିଶନରେଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ତିନି ଅଭିଯୁକ୍ତ ହେଲେ ବିକାଶ ନାଏକ, ଜାଗା ସିଂ, ଟୁକୁନା ନାୟକ। ସେମାନଙ୍କ ଠାରୁ ୪ଟି ମୋବାଇଲ ଫୋନ ଓ  ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟର ପୋଲିସ ଜବତ କରିଛି। ଅଭିଯୁକ୍ତଙ୍କ  ପୂର୍ବରୁ ଅପରାଧ ରେକର୍ଡ ରହିଛି ।  ୩ଜଣକ ମଧ୍ୟରୁ ବିକାଶ ନାଏକ ନାଁରେ ୭ଟି ମାମଲା ଥିବା ବେଳେ ଜଗା ସିଂ ନାମରେ ୬ଟି ମାମଲା ରହିଛି। ଏ ନେଇ ପୋଲିସ କମିଶନର ସୁରେଶ ଦେବବ୍ରତ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ,  ଭୁବନେଶ୍ବର ମୈତିବହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ  ଲୁଟ୍ ଉଦ୍ଦେଶ୍ୟରେ ଲୁଟେରାମାନେ ରବିବାର ରାତିରେ  ପଶିଥିଲେ।  ଏହି ସମୟରେ ଏକ ଆପାର୍ଟମେଣ୍ଟର ବାଲକୋନୀ  କବାଟ ବନ୍ଦ ନ ଥିବାରୁ  ଏହାର ସୁଯୋଗରେ ଲୁଟେରାମାନେ ଘରେ ପଶିଯାଇଥିଲେ।  ଉକ୍ତ ଘରେ  କେବଳ ମହିଳା ଓ ତାଙ୍କ ଶିଶୁକନ୍ୟା  ଥିଲେ।  ମହିଳାଙ୍କ ଜଣକ ଲୁଟେରାଙ୍କ ପାଟି ଶୁଣି ଉଠି ପଡିଥିଲେ। ଲୁଟେରାମାନେ ମହିଳାଙ୍କ ବେକରେ ଛୁରୀ ଲଗାଇ ଭୟଭୀତ କରାଇଥିଲେ। ପରେ ଶିଶୁକନ୍ୟା ଉଠିଯିବାକୁ ତାକୁ ମାରି ଦେବେ ବୋଲି  ଧମକ ଦେଇଥିଲେ।  ଲୁଟେରାମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ।  ଗଣଦୁଷ୍କର୍ମ ପରେ ଲୁଟେରାମାନେ ମହିଳାଙ୍କ କାନଫୁଲ ଓ ମୋବାଇଲ ସାଥୀରେ ନେଇ  ଫେରାର ହୋଇଯାଇଥିଲେ। ମହିଳା ଜଣକ ସୋମବାର ଏ ନେଇ ମୈତିବିହାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି।