ନୂଆଦିଲ୍ଲୀ,୧୪/୧୧; ଗତ ୧୦ ତାରିଖରେ ସନ୍ଧ୍ୟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଜମ୍ମୁ-କାଶ୍ମୀରର ଡାକ୍ତର ଉମର ଏହି ଘଟଣାରେ ସମ୍ପୃକ୍ତ ରହିଛି । ସେ ହିଁ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ । ସେ ନିଜେ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଛି । ବହୁ ଦିନ ଧରି ଏହି ଆକ୍ରମଣର ଯୋଜନା କରୁଥିଲେ ଆତଙ୍କୀ । ବିସ୍ଫୋରଣ ପରେ, ତଦନ୍ତକାରୀ ସଂସ୍ଥାଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପୁଲୱାମାରେ ଥିବା ଆତଙ୍କୀ ଉମରର ଘରକୁ ଭାଙ୍ଗି ଦିଆଯାଇଛି । ଗୁରୁୂବାର ବିଳମ୍ବିତ ରାତିରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
#WATCH | | Delhi terror blast case: The residence of Dr Umar Un Nabi, accused in the Red Fort blast, has been demolished in Pulwama, Jammu and Kashmir. pic.twitter.com/gqvm7iwPBe
— ANI (@ANI) November 14, 2025
ଦିଲ୍ଲୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଆତଙ୍କୀ ଡାକ୍ତର ଉମର ଉନ ନବୀ । ସେ ହିଁ କାର୍ ବିସ୍ଫୋରଣ କରିଥିଲା । ଆଇ-ଟ୍ୱେଣ୍ଟି କାର୍ ମଧ୍ୟରେ ବସି ରହି ଏହାକୁ ବିସ୍ଫୋରକ ଦ୍ୱାରା ଉଡ଼ାଇ ଦେଇଥିଲା । ଆତଙ୍କୀ ହମ୍ଲାରେ ବ୍ୟବହୃତ କାର୍ ମଧ୍ୟରୁ କିଛି ଦାନ୍ତ, ହାଡ଼, ରକ୍ତଲଗା ପୋଷାକ ଓ ପାଦର ଅଂଶ ମିଳିଥିଲା । ଏହାର ଡିଏନ୍ଏ ଉମର୍ର ମାଆଙ୍କ ସହ ମେଳ ଖାଇଛି । ଅର୍ଥାତ୍ ଗତ ସୋମବାର ସନ୍ଧ୍ୟା ୬ଟା ୫୧ରେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ବେଳେ କାର୍ ଭିତରେ ଉମର ଥିଲା । ସେହିଭଳି କାର୍ ଦ୍ୱାରା ଧମାକା କରାଇବା ପୂର୍ବରୁ ଉମରର ୬ଟି ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି । ବିସ୍ଫୋରଣର ୧୭ ଘଣ୍ଟା ପୂର୍ବରୁ ସେ ହରିୟଣାର ନୁହ ସହର ଯାଇଥିଲା । ସେଠାରୁ ହିଁ ସେ ବିସ୍ଫୋରକ ଆଣିଥିବା କୁହାଯାଉଛି । ନୁହରୁ ଫେରି ଉମର ନଭେମ୍ବର ୧୧ ସକାଳେ ଦିଲ୍ଲୀରେ ପ୍ରବେଶ କରିଥିଲା । ଏଠାକାର ରାସ୍ତାରେ ସେ ନିର୍ଭୟରେ ବୁଲିଥିଲା ।