ମନମୁଣ୍ଡା, ୩୧/୦୭: ବୁଧବାର ଜଣେ ନାବାଳିକା ଛାତ୍ରୀକୁ ଅପହରଣ କରାଯାଇଥିବା ନେଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ପଲସାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ପଲସାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷର ଦୁଇଜଣ ଛାତ୍ରୀ ( ଦୁହେଁ ମନମୁଣ୍ଡା ଥାନା ଅଞ୍ଚଳ ର ଓ ଅଲଗା ଅଲଗା ଗାଁର) ବୁଧବାର ଅପରାହ୍ଣ ପ୍ରାୟ ୩ଟାରେ ବିଦ୍ୟାଳୟରୁ ପାଠ ପଢ଼ି ନିଜ ନିଜ ସାଇକେଲରେ ଏକା ସାଙ୍ଗରେ ଘରକୁ ଫେରୁଥିଲେ । ସେହି ସମୟରେ ଏକ ଚାରି ଚକିଆ ଗାଡ଼ି ପଲସାଗୋରା ଦିଗରୁ ଆସି କଣ୍ଟିଆପାଲି ଛକରେ ଝିଅମାନଙ୍କୁ ଅଟକାଇଲା। ଗାଡ଼ିରୁ ୩ ଜଣ ଯୁବକ ବାହାରି ଆସି ସେମାନଙ୍କ ମଧ୍ୟରୁ ଜଣେ ଝିଅକୁ ଜୋରଜବରଦସ୍ତି ଗାଡ଼ିରେ ବସାଇ ଅପହରଣ କରି ଗବଜୋର ଗାଁ ଆଡ଼କୁ ପଳାଇଗଲେ। ଅପହୃତା ସହ ଯାଉଥିବା ସାଙ୍ଗଠାରୁ ଅପହୃତାର ବାପା ଘଟଣା ସମ୍ବନ୍ଧରେ ବିଳମ୍ବରେ ଜାଣିବା ପରେ ଥାନାରେ ଏକ ଲିଖିତ ଏତଲା ଦେବାକୁ ଆସିଥିଲେ । ତେବେ ଆଜିକାଲି ଛାତ୍ରୀମାନଙ୍କ ସହ ଘଟୁଥିବା ଅଘଟଣକୁ ଦୃଷ୍ଟିରେ ରଖି ଅପହୃତାର ପରିବାର ବର୍ଗ ଗଭୀର ଚିନ୍ତାରେ ପଡ଼ି ଯାଇଛନ୍ତି।