ନୂଆଦିଲ୍ଲୀ ୨୫/୦୧: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥର ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ଯୁକ୍ତ ଏକ ସ୍ୱତନ୍ତ୍ର ଚଷମାର ବ୍ୟବସ୍ଥା କରିଛି । ଗଣତନ୍ତ୍ର ଦିବସ ପରେଡ୍ ସମୟରେ ପୁଲିସକର୍ମୀଙ୍କୁ ସେହି ଚଷମା ପିନ୍ଧି ଆଖପାଖ ଅଞ୍ଚଳ ଉପରେ ନଜର ରଖୁଥିବା ଦେଖିବାକୁ ମିଳିବ । ଏକ ଭାରତୀୟ କମ୍ପାନି ପ୍ରସ୍ତୁତ କରିଥିବା ଏଆଇଯୁକ୍ତ ଏହି ସ୍ମାର୍ଟ ଚଷମା ଦେଖିବାକୁ ସାଧାରଣ ଚଷମା ଭଳି । ତେବେ ଏଥିରେ ଏକ ଛୋଟ କ୍ୟାମେରା, ଫେସ୍ ରେକଗ୍ନିଶନ୍ ସିଷ୍ଟମ, ଥର୍ମାଲ ଇମେଜିଂ ପ୍ରଯୁକ୍ତି ରହିଛି । ଏହି ଡିଭାଇସ୍କୁ ପୁଲିସକର୍ମୀଙ୍କ ମୋବାଇଲ୍ ଫୋନ୍ ସହ ଏକ ଆପ୍ଦ୍ୱାରା ସଂଯୋଗ କରାଯିବ । ସେହି ଆପ୍ରେ ଦିଲ୍ଲୀ ପୁଲିସ ପକ୍ଷରୁ ୬୫ ହଜାର ୱାଣ୍ଟେଡ୍ ଅପରାଧୀ, ପଳାତକ ଘୋଷିତ ହୋଇଥିବା ଅପରାଧୀ ଏବଂ ସନ୍ଦିଗ୍ଦଙ୍କ ଡାଟା ପୂର୍ବରୁ ଫିଡ୍ କରାଯାଇଛି । ଫଳରେ ଚଷମାଟି ପୁଲିସ ଡାଟାବେସ୍ ସହ ରିଅଲ ଟାଇମ୍ରେ ଯୋଡ଼ି ହୋଇ ରହିବ ।
ୱାଣ୍ଟେଡ୍ ଅପରାଧୀ ଚଷମା ସାମ୍ନାକୁ ଆସିଲା ମାତ୍ରେ ଏଥିରେ ଥିବା କ୍ୟାମେରା ଫେସ୍ ରେକଗ୍ନିଶନ୍ ସିଷ୍ଟମ ଜରିଆରେ ତାଙ୍କୁ ଚିହ୍ନଟ କରି ସଙ୍କେତ ଦେବ । ଫଳରେ କୌଣସି ଅଘଟଣ ଘଟାଇବା ପୂର୍ବରୁ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଚଷମାର ଆଉ ଏକ ବିଶେଷତ୍ୱ ହେଲା ଯଦି କେହି ଅପରାଧୀ ବେଶଭୂଷା ବଦଳାଇ ପରେଡ୍ ଉତ୍ସବରେ ଉପସ୍ଥିତ ଥାଆନ୍ତି ତେବେ ଏହାର କ୍ୟାମେରା ନଜରରୁ ବର୍ତ୍ତିପାରିବେ ନାହିଁ । ସେହିପରି ଏହାର ଥର୍ମାଲ୍ ସ୍କ୍ରିନିଂ ପ୍ରଯୁକ୍ତି ସହାୟତାରେ ପୁଲିସ ପରେଡ୍ ଦେଖିବାକୁ ଆସିଥିବା ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରିପାରିବ । ଯଦି କେହି ବ୍ୟକ୍ତି ବ୍ୟାନ୍ ହୋଇଥିବା ସାମଗ୍ରୀ ଧରି ସେଠାକୁ ଆସିଥିବା ଜଣାପଡ଼େ ତେବେ ତାଙ୍କୁ ତୁରନ୍ତ ଚିହ୍ନଟ କରିହେବ ।
ଦିଲ୍ଲୀ ପୁଲିସର ଅତିରିକ୍ତ କମିଶନର ଦେବେଶ କୁମାର ମହଲ କହିଛନ୍ତି, ଏହି ଚଷମା ଦ୍ୱାରା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ନ ଅଟକାଇ ସେମାନଙ୍କ ଯାଞ୍ଚ କରିହେବ । ଫଳରେ ସାଧାରଣ ଜନତା କୌଣସି ସମସ୍ୟାରେ ପଡ଼ିବେ ନାହିଁ । ଗଣତନ୍ତ୍ର ଦିବସ ସୁରକ୍ଷାରେ ମୁତୟନ ସବ୍ଇନ୍ସପେକ୍ଟରଙ୍କ ସମେତ ଅଫିସର ରାଙ୍କ୍ର ଅଧିକାରୀ ବି ଏହାକୁ ପିନ୍ଧିବେ । ଗଣତନ୍ତ୍ର ଦିବସ ସମାରୋହ ସୁରୁଖୁରୁରେ ସଂପନ୍ନ ହେବାଲାଗି ପୁଲିସ ପକ୍ଷରୁ କରାଯାଇଥିବା ଏକ ବ୍ୟାପକ ପ୍ରଯୁକ୍ତିଗତ ଯୋଜନାର ଏହା ଅଂଶବିଶେଷ । ଏଆଇଯୁକ୍ତ ଚଷମା ବ୍ୟତୀତ ଦିଲ୍ଲୀ ପୁଲିସ ସିସିଟିଭି ସର୍ଭିଲାନ୍ସ, ଡ୍ରୋନ୍ ଦ୍ୱାରା ପରେଡ୍ସ୍ଥଳର ଅନୁଧ୍ୟାନ କରିବ । ସୂଚନାଥାଉକି, ଚଳିତଥର ରାଜଧାନୀରେ ଗଣତନ୍ତ୍ର ଦିବସ ଲାଗି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳ ଏବଂ ପରେଡ୍ ରୁଟ୍ରେ ପ୍ରାୟ ୧୦ହଜାରରୁ ଅଧିକ ପୁଲିସକର୍ମୀ ମୁତୟନ ରହିବେ । ସମସ୍ତ ଗାଡ଼ି ଏବଂ ଅତିଥିଙ୍କୁ ତ୍ରିସ୍ତରୀୟ ସୁରକ୍ଷା ଯାଞ୍ଚ ଦେଇ ଯିବାକୁ ହେବ ।
ଆହୁରି ପଢ଼ନ୍ତୁ...ଜାତିସଂଘ ରିପୋର୍ଟ; ଜଳ ସଂଙ୍କଟରେ ୪୦୦ କୋଟି ଲୋକ, ମରୁଡ଼ି ଦ୍ୱାରଦେଶରେ ଚେନ୍ନାଇ