ମାଲକାନଗିରି,୦୬/୦୬: ଜୁଆ ଖେଳରେ ମାତିଥିଲେ ଜୁଆଡ଼ି । ଅତର୍କିତ ଚଢାଉ କଲା ପୁଲିସ । ଜୁଆଡ଼ି ଚମ୍ପଟ ମାରିଲେ ମାତ୍ର ଧରାପଡ଼ିଗଲା ବାଜିରେ ଲାଗିଥିବା ଛେଳି ।  ତେବେ ଏଭଳି ଖବର ସାମ୍ନାକୁ ଆସିଛି ମାଲକାନଗିରି ଥାନାସ୍ଥିତ ଗୌଡ଼ଗୁଡା ଗ୍ରାମରୁ । ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରି ବାଜିରେ ଲାଗିଥିବା ଛେଳିକୁ ଥାନାକୁ ନେଇଛି। 

ସୂଚନା ମୁତାବକ, ଗୌଡ଼ଗୁଡ଼ା ଗ୍ରାମରୁ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିଲା। ଏନେଇ  ଖବରପାଇ ଗୁରୁବାର ରାତିରେ  ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ମାଲକାନଗିରି ଥାନା ପୁଲିସ ଟିମ୍ ଚଢ଼ାଉ କରିଥିଲେ।  ପୁଲିସକୁ ଦେଖି ଜୁଆ ଖେଳୁଥିବା ବ୍ୟକ୍ତିମାନେ ରାତିର ଅନ୍ଧାରରେ ଦୌଡ଼ି ପଳାଇ ଜଙ୍ଗଲରେ ଲୁଚି ଯାଇଥିଲେ। ତେବେ ଜୁଆଡ଼ିମାନେ ଫେରାର ହୋଇଯାଇଥିବା ବେଳେ ସେଠାରେ  ଶ୍ରେଷ୍ଠ ବିଜେତା ପାଇଁ ରଖାଯାଇଥିବା ଏକ ଛେଳି ଓ  ୭ଟି ମୋଟର ସାଇକେଲକୁ ପୁଲିସ ଜବତ କରି ଭ୍ୟାନରେ ଆଣି ଥାନା ପରିସରରେ ବାନ୍ଧି ରଖିଛନ୍ତି।  ଗତକାଲି ରାତି ଠାରୁ ଛେଳିଟିକୁ ପୁଲିସ ଖାଦ୍ୟ ଦେଇ ଯତ୍ନରେ ରଖିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି, ଛେଳିଟିର ଦାବିଦାର ଆସିଲେ ତାଙ୍କୁ ଛେଳିଟିକୁ ହସ୍ତାନ୍ତର କରାଯିବ। ନଚେତ ଅନ୍ୟ କେଉଁ ଭଦ୍ର ଲୋକଙ୍କ ଜିମାଦିଆଯିବ। ଖୁବଶୀଘ୍ର ଜୁଆଡ଼ିମାନେ ଗିରଫ ହେବେ ବୋଲି ସେ କହିଛନ୍ତି ।