କଟକ, ୧୪/୧୦: ରାଜ୍ୟ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ‘ଲୁକ୍ ଆଉଟ୍’ ସର୍କୁଲାର ଜାରି ହୋଇଛି । ମାମଲାରେ ଫେରାର୍ ଥିବା ଦୁଇ ମାଷ୍ଟରମାଇଣ୍ଡ୍ ଗଞ୍ଜାମର ଶଙ୍କର ପୃଷ୍ଟି ଓ କଟକ ବାଙ୍କୀ କଳାପଥରର ମୁନା ମହାନ୍ତି ନାଁରେ ଏହି ସର୍କୁଲାର ଜାରି ହୋଇଛି । ଦୁହେଁ କାଳେ ଦେଶ ଛାଡ଼ି ବାହାରକୁ ଚାଲିଯିବେ ବୋଲି କ୍ରାଇମବ୍ରାଞ୍ଚ ଆଶଙ୍କା କରି ଏଭଳି ସର୍କୁଲାର ଜାରି କରାଯାଇଛି । ଏନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍କୁ ଏନେଇ ଅବଗତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଦେଶଛାଡ଼ି ଯିବାରୁ ରୋକିବାକୁ କୁହାଯାଇଛି । ଦୁଇ ଜଣଙ୍କର ସମସ୍ତ ତଥ୍ୟ ଇମିଗ୍ରେସନ୍ ବିଭାଗକୁ ପ୍ରଦାନ କରାଯାଇଛି । ଉଭୟଙ୍କ ପାଖରେ ପାସ୍ପୋର୍ଟ ରହିଥିବାରୁ କ୍ରାଇମବ୍ରାଞ୍ଚ୍ ଏଭଳି ଆଶଙ୍କା କରି ସର୍କୁଲାର ଜାରି କରିଛି ।
ଘଟଣା ପଦାକୁ ଆସିବାକୁ ଏହା ମଧ୍ୟରେ ଦୁଇ ସପ୍ତାହ ବିତିଲେ ବି ଦୁଇ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ମୁନା ଧରାପଡ଼ୁ ନାହାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଛାନ୍ଭିନ୍ କରିଛି । ଶଙ୍କର ଓ ମୁନା ମହାନ୍ତି ସହିତ ଅନ୍ୟ କିଛି ଅଭିଯୁକ୍ତଙ୍କ ନାଁରେ ଥିବା ପ୍ରାୟ ୧୦ଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ ବା ଅଚଳ କରାଯାଇଛି । ତଦନ୍ତକାରୀ ଟିମ୍ ଏହାକୁ ଅଚଳ କରିଛି । ଉକ୍ତ ଆକାଉଣ୍ଟ୍ରେ ଟଙ୍କା ଦେଣନେଣ ହୋଇଥିବା କ୍ରାଇମବ୍ରାଞ୍ଚ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।