ଭୁବନେଶ୍ୱର ୦୭/୧୨: ବହୁଚର୍ଚ୍ଚିତ ଏସ୍‌ଆଇ ପରୀକ୍ଷା  କେଳେଙ୍କାରୀ ମାମଲାରେ ସିବିଆଇ  ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ସ୍କାମର ଅନ୍ୟତମ ମାଷ୍ଟରମାଇଣ୍ଡ ବିରଞ୍ଚି  ନାୟକର ଖାସ୍‌ ସହଯୋଗୀ ନିମାଇଁ  ଚରଣ ସାହୁ ଓ ଅର୍ଜୁନ ନାୟକଙ୍କୁ  ହେପାଜତକୁ ନେଇଛି । ଅର୍ଜୁନ ଓ  ନିମାଇଁ ହେଉଛନ୍ତି ସ୍ପେଶାଲ ସିକ୍ୟୁରିଟି  ବାଟାଲିୟନ (ଏସଏସବି)ର ପୂର୍ବତନ  ଯବାନ । ଉଭୟଙ୍କ ମଧ୍ୟରେ ଦୀର୍ଘଦିନର  ବନ୍ଧୁତା ଥିଲା ।  

ସିବିଆଇ ସୂତ୍ରରୁ ମିଳିଥିବା  ତଥ୍ୟ ମୁତାବକ, ଅଭିଯୁକ୍ତ ବିରଞ୍ଚିକୁ  ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ଜେରା  କରୁଛନ୍ତି । ତା’ଠାରୁ ମିଳିଥିବା ତଥ୍ୟ  ଆଧାରରେ ଏମାନେ ଧରାପଡି଼ଛନ୍ତି।  କେନ୍ଦ୍ରାପଡ଼ାରେ ଅର୍ଜୁନ ଘର ହୋଇଥିବା  ବେଳେ ବାଲେଶ୍ୱର ବାସିନ୍ଦା ହେଉଛି  ନିମାଇଁ । ସିବିଆଇ ଉଭୟଙ୍କୁ ୪  ଦିନ ରିମାଣ୍ଡରେ ନେବାକୁ ଆବେଦନ  କରିଥିଲା । ଅଦାଲତ ପକ୍ଷରୁ ୨ ଦିନିଆ  ରିମାଣ୍ଡ ପାଇଁ ଅନୁମତି ଦିଆଯାଇଛି ।

ସିବିଆଇ ଉଭୟଙ୍କୁ ବିରଞ୍ଚି  ସହ ସାମ୍ନାସାମ୍ନି ଜେରା କରାଇଛି ।  ଜେରାରୁ ଅନେକ ତଥ୍ୟ ମିଳିଛି ।  ଯେମିତିକି, ଅର୍ଜୁନ ପୂର୍ବତନ  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ସହ  ଲୋକସେବା ଭବନରେ ସୁରକ୍ଷାକର୍ମୀ  ଭାବେ କାମ କରିସାରିଥିଲା । ତେଣୁ  ନିଜକୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ  (ଓପିଆର୍‌ବି) ଉପରିସ୍ଥ ଅଧିକାରୀଙ୍କ  ସହ ଖାସ୍‌ ସମ୍ପର୍କ ଥିବା ନେଇ ଡାହା ଗପ  ଶୁଣାଉଥିଲା । ସମ୍ପୃକ୍ତ ଅଧିକାରୀମାନଙ୍କ  ସହ ଏଡିଟିଂ ହୋଇଥିବା କିଛି ଫଟୋଚିତ୍ର  ଦେଖାଇ ଅନେକ ଆଶାୟୀଙ୍କୁ ଏହି  ସ୍କାମ୍‌ରେ ସହଜରେ ଫସାଇ  ପାରୁଥିଲା । ସେ ଭୁବନେଶ୍ୱର, କଟକ,  ଖୋର୍ଦ୍ଧା, ନୟାଗଡ଼ରୁ ଯୋଗାଡୁଥିବା  ଆଶାୟୀମାନଙ୍କୁ ସିଧାସଳଖ ନିମାଇଁ  ପାଖରେ ପହଞ୍ଚାଉଥିଲା । ଏହି  ବାବଦକୁ ମୋଟା ଅଙ୍କର କମିଶନ ମଧ୍ୟ  ପକେଟରେ ପୁରାଉଥିଲା ।

ନିମାଇଁ ମଧ୍ୟ ଏସଏସ୍‌ବିରେ  ୨୦୧୬ ଯାଏଁ ଯବାନ ଭାବେ କାମ  କରୁଥିଲା । ଦିଘା ମଡ୍ୟୁଲ ପାଇଁ  ଆଶାୟୀଙ୍କଠାରୁ ଟଙ୍କା କାରବାରର  ଅନ୍ୟତମ ମାଧ୍ୟମ ସାଜିଥିଲା ସେ ।  ବିରଞ୍ଚିର ଅତି ଖାସ୍‌ ହୋଇଥିବାରୁ ତାକୁ  ଆଶାୟୀଙ୍କ ସମସ୍ତ କାରବାର ବୁଝିବାର  ଦାୟିତ୍ୱ ଦିଆଯାଇଥିଲା । ସିବିଆଇକୁ  ଏସବୁ ଦିଗରେ ସୁରାକ ମିଳିଥିଲେ ହେଁ  କୌଣସି ବୈଧ ଓ ବଳିଷ୍ଠ ପ୍ରମାଣପତ୍ର  ହାତରେ ଲାଗିନାହିଁ । ଆସନ୍ତାକାଲି  ଜେରା ବେଳେ ଉଭୟଙ୍କଠାରୁ  ପ୍ରମାଣପତ୍ର ହାତେଇବା ପାଇଁ ନୂଆ  କୌଶଳ ଆପଣାଇବ ସିବିଆଇ ଟିମ୍‌ ।  ଆସନ୍ତାକାଲି ବିରଞ୍ଚିର ରିମାଣ୍ଡ ଅବଧି  ସରିବା ପରେ ଅଦାଲତରେ ହାଜର  କରାଯିବ । ବିରଞ୍ଚିକୁ ଆହୁରି ୨ ଦିନ  ରିମାଣ୍ଡରେ ନେବା ପାଇଁ ଆବେଦନ  କରିପାରେ ସିବିଆଇ । ନିମାଇଁ ଓ  ଅର୍ଜୁନକୁ ବାନ୍ଧିବା ପରେ ପୁଲିସ ଏସ୍‌ଆଇ  ସ୍କାମ୍‌ରେ ଗିରଫଦାରି ସଂଖ୍ୟା ୧୨୮ରେ  ପହଞ୍ଚିଛି । ସେହିପରି ଓପିଆର୍‌ବିଠାରୁ  ଅଧିକ ତଥ୍ୟ ହାସଲ ପାଇଁ ଏକାଧିକ  ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଚରାଉଚରା  କରିବାକୁ ସିବିଆଇ ଯୋଜନା ରଖିଛି ।  ଏହି ସ୍କାମ୍‌ରେ ଅନ୍ୟ ଜଣଙ୍କୁ ଅଟକ  ରଖି ପଚରାଉଚରା କରୁଛି ସିବିଆଇ।