କେନ୍ଦ୍ରାପଡ଼ା,୩୦/୩(ଆପ୍ର): ଉପାନ୍ତ ଅଞ୍ଚଳ ଭିନ୍ନ କଥା । ଖୋଦ୍‌ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଆତଙ୍କ ଖେଳାଇ ଚାଲିଥିଲେ ମଧ୍ୟ ପୁଲିସ ସେହି ଅନୁପାତରେ ଅପରାଧ ମୁକାବିଲା କରିବାରେ ସମର୍ଥ ହେଉନାହିଁ । ଚୋରି, ରାହାଜାନି, ଡକାୟତି ଓ ହତ୍ୟାକାଣ୍ଡ ହେଉ ଅବା ଅନ୍ୟ କୌଣସି ଅପରାଧିକ ମାମଲାରେ ପୁଲିସ ଟେର୍‌ ବି ପାଇଲା ନାହିଁ । ଗତ ମାସେରୁ ଦୁଇ ମାସ ମଧ୍ୟରେ ସହର ଉପକଣ୍ଠ ଅଞ୍ଚଳରେ ଏକାଧିକ ସଙ୍ଗିନ ଅପରାଧିକ ମାମଲା ଘଟିଯାଇଥିଲେ ମଧ୍ୟ ତଦନୁଯାୟୀ ପଦକ୍ଷେପ ନିଆଯାଇ ପାରିଲା ନାହିଁ । ପୁଣି ଅନେକ ମାମଲା ରହସ୍ୟମୟ ହୋଇ ରହିଯାଉଛି ଓ ପୁଲିସ ଶେଷ ଯାଏ ପହଞ୍ଚି ପାରୁନାହିଁ । 

ଜିଲ୍ଲାରେ ପରବର୍ତ୍ତୀ ସମୟରେ ୨ ନୂଆ ଥାନା ଖୋଲିଥିଲେ ମଧ୍ୟ ପୂର୍ବରୁ ଯେତିକି ଥାନା ଅଛି, ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ ହୋଇ ନପାରିବାରୁ ତଦନ୍ତରେ ବାଧକ ସାଜିଛି । ୨ଟି ନୂଆ ଥାନାରେ ବହୁ ବିଳମ୍ବରେ ଇନ୍ସପେକ୍ଟର ର‌୍ୟାଙ୍କର ଅଧିକାରୀଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ରହିଛି । ପୁଲିସ ଅଧିକାରୀ ଓ କର୍ମଚାରୀ ଅଭାବ ଅପରାଧ ନିୟନ୍ତ୍ରଣରେ ବାଧକ ସାଜିଛି । ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ ଓରଫ ଧନ(୧୪)ଙ୍କ ମୃତ୍ୟୁ ରହସ୍ୟମୟ ହୋଇ ରହିଯାଇଛି । ଗତ ୧୯ ତାରିଖ ସକାଳ ପ୍ରାୟ ୯ଟା ବେଳେ ଆୟୁଷ୍ମାନ ଭରତପୁର ଫୋରପୋଲ ଛକକୁ ଆସିଥିଲେ । ଏହା ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ଲୁଣା ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲ । ଆୟୁଷ୍ମାନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଆୟୁଷ୍ମାନଙ୍କ ସାଙ୍ଗଙ୍କ ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲେ ମଧ୍ୟ ବାସ୍ତବ ସତ୍ୟ ଏଯାଏ ଉନ୍ମୋଚନ ହୋଇପାରିଲା ନାହିଁ । ଯଦିଓ ଆୟୁଷ୍ମାନଙ୍କୁ ନଦୀକୁ ଠେଲି ଦିଆଯାଇଥିବା କୁହାଯାଉଛି, ପୁଲିସ ଆନୁଷ୍ଠାନିକ ଭାବେ ଏ ନେଇ କିଛି ସ୍ପଷ୍ଟ କରୁନାହିଁ । 

ଗରାପୁର ଅଞ୍ଚଳରେ ଗତ ମାସକ ମଧ୍ୟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ସମେତ ଜଣେ ହୋମଗାର୍ଡଙ୍କୁ ଇଟା ମାଫିଆମାନେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ଏଯାଏ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ । ଗରାପୁରରେ ଜମିବାଡ଼ି ବିବାଦରୁ ଧୋଇଆ ମଲିକଙ୍କ ବଡ଼ପୁଅ ରାମଚନ୍ଦ୍ର ମଲିକଙ୍କୁ ପାଖରେ ଥିବା ଏକ କଦମ୍ବ ଗଛରେ ପିଟି ପିଟି ହତ୍ୟା କରାଯାଇଥିଲା । ହାତଗୋଡ଼ ବାନ୍ଧି ଧାନବସ୍ତାରେ ପୂରାଇ ବସ୍ତା ମୁହଁ ବନ୍ଦ କରି ତାଙ୍କୁ ନିସ୍ତୁକ ପିଟିଥିଲେ ଅଭିଯୁକ୍ତ । ଶେଷରେ ଟ୍ୟୁବ୍‌ୱେଲ୍‌ ବେଣ୍ଟରେ ପିଟିପିଟି ଜୀବନ ନେଇଥିଲେ । ହେଲେ ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଏଯାଏ ଗିରଫ ହୋଇପାରିଲେ ନାହିଁ । ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା (ବାବୁଲି)ଙ୍କ ଉପରେ ଏକାଧିକ ବାର ହତ୍ୟା ଉଦ୍ୟମ ହୋଇଥିଲେ ମଧ୍ୟ ପୁଲିସ ଅଦ୍ୟାବଧି ମୁଖ୍ୟ ସୂତ୍ରଧରଙ୍କ ପାଖରେ ପହଞ୍ଚିପାରିଲା ନାହିଁ । ଶେଷଥର ପାଇଁ ଦୁର୍ବୃତ୍ତମାନେ ତାଙ୍କର ରାମନଗର ପାଟଣାସ୍ଥିତ ଶୋ’ରୁମ୍‌ରେ ପଶି ଗୁଳି କରିବାକୁ ଉଦ୍ୟମ କରିଥିଲେ । ଅଦ୍ୟାବଧି ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତର ଟେର୍‌ ପାଇଲାନାହିଁ । କେବଳ ପୁଲିସ ଗୁଳିର ଶିକାର ହୋଇ ଯେଉଁ ହସ୍ପିଟାଲରେ ସୁପାରି କିଲର୍‌ ଚିକିତ୍ସା କରାଇଥିଲା ଓ ଚିକିତ୍ସାରେ ସହଯୋଗ କରିଥିବା କେତେଜଣ ଅଭିଯୁକ୍ତଙ୍କୁ ଧରି ପୁଲିସ ସାବାସୀ ନେବାକୁ ବସିଥିଲା । 

ସେହିପରି ଆଳି ଥାନାଞ୍ଚଳରେ ୨ଟି ଏଟିଏମ୍‌ ତାଡ଼ି ୪୨ ଲକ୍ଷ ଟଙ୍କା ନେଇଯାଇଥିଲେ ମଧ୍ୟ ଅଦ୍ୟାବଧି ପୁଲିସ ମାମଲାରେ କୌଣସି ସୁରାକ୍‌ ମିଳିଲା ନାହିଁ । ମାମଲାକୁ ୩ ବର୍ଷ ବିତିଥିବା ବେଳେ ଲୁଟ୍‌ରେ ରାଜ୍ୟ ବାହାର ଗ୍ୟାଙ୍ଗ୍‌ ସାମିଲ୍‌ ଥିବା କହି ତଦନ୍ତ ଅଟକିଗଲା । ଜଣେ ହେଲେ କେହି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ସମର୍ଥ ହୋଇପାରିଲା ନାହିଁ । ଏଟିଏମ୍‌ରେ ଟଙ୍କାର ସୁରକ୍ଷା ହେଉ ଅବା ଏଟିଏମ୍‌ କେନ୍ଦ୍ରରେ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା କର୍ମୀ ମୁତୟନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି । ହେଲେ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ନପାରିବାରୁ ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏଟିଏମ୍‌ରୁ ଲୁଟ୍‌ କରୁଛନ୍ତି । ଆଳି ଘଟଣା ପରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଠାକୁରହାଟସ୍ଥିତ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ । ଏଥିସହ ଗୋପ, ଜଜାଙ୍ଗସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଏଟିଏମ୍‌ରୁ ବ୍ୟାଟେରି ଚୋରି କରିନେଇଥିଲେ । ଗୁଲନଗରରେ ପରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ କରିଥିଲେ । କେନ୍ଦ୍ରାପଡ଼ା ସହର ମେଡିକାଲ ରୋଡ୍‌ରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶାଖା ସମ୍ମୁଖରୁ ଦୁର୍ବୃତ୍ତମାନେ ଜଣେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲକ୍ଷେ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚିପାରିଲା ନାହିଁ । ଏହି ମାମଲାରେ ଟଙ୍କା ଉଦ୍ଧାର ହେଲାନାହିଁ କି ପୁଲିସ କାହାରିକୁ ଗିରଫ କରିପାରିଲା ନାହିଁ । କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।