ପାଟଣାଗଡ଼,୧୧/୧ : ପାଟଣାଗଡ଼ ପୁଲିସ ଗାଡ଼ିରେ ନିଆଁ ଲାଗି ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କର୍ମଚାରୀମାନେ । ରବିବାର ସହ ପାଟଣାଗଡ଼ରେ ସାପ୍ତାହିକ ବଜାର ଥିବାବେଳେ ପୁଲିସ ଗାଡ଼ିରେ କିଛି ପୁଲିସ କର୍ମଚାରୀ ସହରରେ ପାଟ୍ରୋଲିଂ କରିବାକୁ ଆସିଥିଲେ। ଦିନ ସାଢେ ୧୦ଟା ସମୟରେ ସେମାନେ ପାଟଣାଗଡ଼ ସମଲେଶ୍ଵର ନଗର ସମ୍ମୁଖରେ ଥିବା ସାରଦା ଲଜ୍ ସମ୍ମୁଖରେ ପହଞ୍ଚିଥିଲେ ।

ଏହି ସମୟରେ ଲଜ୍ ମାଲିକ ସୁନୀଲ ଗୋଏଲ ଓ ତାଙ୍କ ପୁଅ ଦୋକାନରେ ବସିଥିଲେ। ହଠାତ୍ ଲଜ୍ ମାଲିକଙ୍କ ପୁଅ ପୁଲିସ ଗାଡ଼ିର ଇଞ୍ଜିନରେ ନିଆଁ ଲାଗି ଧୁଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ବାପ ପୁଅ ଦୁଇ ବୋତଲ ପାଣି ନେଇ ଗାଡ଼ି ସମ୍ମୁଖକୁ ଯାଇ ଇଞ୍ଜିନରେ ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଏଥିରେ ବିଫଳ ହେବାରୁ ସଙ୍ଗେସଙ୍ଗେ ତାଙ୍କ ପୁଅ ଲଜର ଥିବା ଫାୟାର ଏକ୍ସଣ୍ଟେସନ ଆଣି ଗାଡ଼ିର ବନେଟ ଖୋଲି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ ।

ଫଳରେ ଗାଡ଼ିରେ ବସିଥିବା କିଛି କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ଶ୍ରୀ ଗୋଏଲ୍ ଏବଂ ତାଙ୍କ ପୁଅଙ୍କର ପ୍ରୟାସ ଯୋଗୁଁ ପୁଲିସ ଗାଡ଼ିରେ ନିଆଁ ଲାଗି ପାରି ନ ଥିଲା । ବାପ ପୁଅଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଅପରପକ୍ଷେ ଏହି ଗାଡ଼ିଟି ବହୁ ପୁରୁଣା ହୋଇଥିବା ସହ ଦୀର୍ଘ ଦିନ ହେବ ଇଞ୍ଜିନ ଓ ବଡି କାମ ହୋଇନଥିବା ପୁଲିସ କର୍ମଚାରୀମାନଙ୍କଠାରୁ ଜଣାପଡ଼ିଛି।