• ପରିବେଶର ଉପକାର ପାଇଁ ହେଉଛି ନା ଜରିମାନା ଆଳ?
  • କେତେ ସାର୍ଟିଫିକେଟ୍ ପାଇଲେ ସୂଚନା ଅଛି, ବାତିଲ୍ ସମ୍ପର୍କରେ ବିଭାଗ ଚୁପ୍

କଟକ,୨୭/୧୨(ଜଗନ୍ନାଥ ରାଉତ): ପ୍ରଦୂଷଣ ବଢ଼ୁଛି । ପରିବେଶକୁ କ୍ଷତି ପହଞ୍ଚୁଛି । ଗାଡ଼ି ସଂଖ୍ୟା ବଢ଼ିବା କାରଣରୁ ଏଥିରୁ ନିର୍ଗତ ଧୂଆଁ ପରିବେଶ ନଷ୍ଟ କରୁଛି । ତେଣୁ ଯେଉଁ ଗାଡ଼ି ଅଧିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଇବା ଏବଂ ଯେଉଁ ଗାଡ଼ିଗୁଡ଼ିକ ପରିବେଶ ଅନୁକୂଳ ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବା ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ହାସଲ କଲେ ଯାଇ ଗାଡ଼ିରେ ତେଲ ପକାଇପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏଥିପାଇଁ ସାରା ରାଜ୍ୟରେ ଗାଡ଼ି ଟେଷ୍ଟିଂ କେନ୍ଦ୍ର ଆଗରେ ନାହିଁ ନଥିବା ଭିଡ଼ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେତେ ଗାଡ଼ି ଟେଷ୍ଟିଂ କେନ୍ଦ୍ରକୁ ଯାଉଛି ସମସ୍ତଙ୍କୁ ମିଳୁଛି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ । ବିଶେଷକରି କୌଣସି ଦୁଇଚକିଆ ଗାଡ଼ି ଏଥିରେ ଫେଲ୍ ହେଉନାହାନ୍ତି । ଫଳରେ ସାର୍ଟିଫିକେଟ୍ ଦେବା ନାଁରେ କେବଳ ପ୍ରହସନ ଚାଲିଥିବା ଆଲୋଚନା ହେଉଛି।

ରାସ୍ତାର ଏବେ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପ୍ରଦୂଷଣ ଟେଷ୍ଟିଂ ଗାଡ଼ି ଛିଡ଼ା ହୋଇଛି । ଆଉ କେଉଁଠି ସ୍ଥାୟୀ କେନ୍ଦ୍ର ରହିଛି । ଏହିସବୁ କେନ୍ଦ୍ରରେ ପ୍ରଦୂଷଣ ଯାଞ୍ଚ୍ କରାଯାଇ ଏଥିରେ ସଫଳ ଗାଡ଼ିକୁ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି । ଅର୍ଥାତ ଯେଉଁ ଗାଡ଼ି ଏହି ସାର୍ଟିଫିକେଟ୍ ପାଇଲା ସଂପୃକ୍ତ ଗାଡ଼ି ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ । ସବୁଗାଡ଼ି ଯାଞ୍ଚ୍‌ରେ ପାସ୍ କରୁଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ପରିବହନ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶାରେ ଅଧିକାଂଶ ଦୁଇଚକିଆ ଯାନ କେବଳ କିଣା ହେବା ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ହାସଲ କରିଥାନ୍ତି । କିନ୍ତୁ ଏହାପରେ କୌଣସି ଗୋଟିଏ ବି ଗାଡ଼ି ଆଉ ଏହି ସାର୍ଟିଫିକେଟ୍ ହାସଲ ପାଇଁ ଉଦ୍ୟମ କରନ୍ତି ନାହିଁ । ତେଣୁ ୧୦ରୁ ୧୫ ବର୍ଷ ପରେ ଅନେକ ଗାଡ଼ି ଏବେ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ଏହିସବୁ ସେଣ୍ଟର୍କୁ ଆସୁଛନ୍ତି । ଏତେସବୁ ପୁରୁଣା ଗାଡ଼ି କିପରି ପ୍ରଦୂଷଣ ଯାଞ୍ଚ୍ ପରୀକ୍ଷାରେ ପାସ୍ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ।

ମିଳିଥିବା ସୂଚନା ଅନୁସାରେ, ଗତ ୨୨ ତାରିଖରୁ ୨୬ ତାରିଖ ମଧ୍ୟରେ ଅର୍ଥାତ୍ ଯେବେଠୁ ଏହି ସାର୍ଟିଫିକେଟ୍ ପାଇଁ ତେଲ କଟକଣା ଲାଗୁ ହେଲା ସେବେଠାରୁ ଆଜି ସୁଦ୍ଧା (୨୬ ତାରିଖ) ରାଜ୍ୟରେ ମୋଟ୍ ୧ ଲକ୍ଷ ୪୪ ହଜାର ୧୧ଟି ଗାଡ଼ିକୁ ପ୍ରଦୂଷଣ ଯାଞ୍ଚ୍ ସାର୍ଟିଫିକେଟ୍ ମିଳିସାରିଲାଣି । ଏହି ପାଞ୍ଚ ଦିନରେ ଭୁବନେଶ୍ୱର ଆର୍ଟିଓ (୧) ରେ ସର୍ବାଧିକ ୨୬ ହଜାର ୪୩୬ଟି ଗାଡ଼ିକୁ ଏହି ସାର୍ଟିଫିକେଟ୍ ମିଳିଥିଲାବେଳେ କଟକ ଆର୍ଟିଓଙ୍କ ଅଧୀନରେ ୧୫ ହଜାର ୯୯୦ଟି ଗାଡ଼ି, ଭୁବନେଶ୍ୱର ଆରଟିଓ-୨ରେ ୧୩ ହଜାର ୩୧୮ଟି ଗାଡ଼ି, ଗଞ୍ଜାମ ଆରଟିଓଙ୍କ ଅଧୀନରେ ୮ ହଜାର ୭୨୮ଟି ଗାଡ଼ିକୁ ସାର୍ଟିଫିକେଟ୍ ଦିଆଯାଇଛି । ଅନ୍ୟାନ୍ୟ ଆରଟିଓରେ ୫ହଜାରରୁ କମ୍ ସାଟିଫିକେଟ୍ ଦିଆଯାଇଛି ।

ଗାଡ଼ିର ପ୍ରଦୂଷଣ ଯାଞ୍ଚ୍ ପାଇଁ ଏକ ମେସିନ୍ ରହିଛି । ଏହି ମେସିନ୍‌ରେ ଗାଡ଼ିରୁ ଅଙ୍ଗାରକାମ୍ଳ କେତେ ନିର୍ଗତ ହେଉଛି ତାହାକୁ ଆଧାର କରି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ । ଦୁଇଚକିଆ ଯାନର ନିର୍ଗତ ଧୂଆଁରୁ କେଉଁ ଉପାଦାନ କେତେ ଥିଲେ ଏହା ପ୍ରଦୂଷଣ ସୃଷ୍ଟି କରୁଛି ବୋଲି ଧରାଯିବ ତାହାର ଏକ ମାନକ ଧାର୍ଯ୍ୟ କରାଯାଇଛି । ଦୁଇଚକିଆ ଯାନରୁ କାର୍ବନ ଡାଇଅକ୍ସସାଇଡ୍ ୩.୫% ରହିବା ଦରକାର । ଏହାଠାରୁ ଅଧିକ ନିର୍ଗତ ହେଲେ ତାହା ପ୍ରଦୂଷଣ କରୁଛି ବୋଲି ଧରାଯିବ । ସେହିପରି ହାଇଡ୍ରୋକାର୍ବନ ପରିମାଣ ୪୫୦୦ ପିପିଏମ୍ (ପାର୍ଟ୍ସ ପର୍ ମିଲିଅନ୍) ରହିବା ଦରକାର । ଏଥିପାଇଁ ଗାଡ଼ିର ସାଇଲେନ୍ସରରେ ଏକ ପାଇପ୍ ଭର୍ତ୍ତି କରାଯାଏ । ଏହି ପାଇପ୍ ଜରିଆରେ ଉପରୋକ୍ତ ଉପାଦାନ ନିର୍ଗତର ପରିମାଣ କେତେ ତାହା ଜଣାପଡ଼ିଥାଏ । ଏହି ଆଧାରରେ ଗାଡ଼ିକୁ ପ୍ରଦୂଷଣ ଯାଞ୍ଚ୍ ସାର୍ଟିଫିକେଟ୍ ଦିଆଯାଏ । ଏବେ କେତେକ କେନ୍ଦ୍ରରେ ଯଦିଓ ଏହି ପାଇପ୍ ଭର୍ତ୍ତି କରାଯାଇ ପ୍ରଦୂଷଣ ଯାଞ୍ଚ୍ କରାଯାଉଛି କିନ୍ତୁ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠୁଛି । କାରଣ ସବୁ ଗାଡ଼ି ଏହି ପରୀକ୍ଷାରେ ପାସ୍ ହେଉଛନ୍ତି । ଆଉ କେତେକ କେନ୍ଦ୍ରରେ ସାଇଲେନ୍ସରେ ପାଇପ୍ ମଧ୍ୟ ଭର୍ତ୍ତି କରାଯାଉନାହିଁ । କେବଳ ଗାଡ଼ି ପଞ୍ଜୀକରଣ ସମୟରେ ଦିଆଯାଇଥିବା ମୋବାଇଲ୍ ନମ୍ବର ମଗାଯାଉଛି । ଉକ୍ତ ମୋବାଇଲ୍‌ରେ ଏକ ଓଟିପି ଯାଉଛି । ଓଟିପି କହିଦେବା ପରେ ଗାଡ଼ିକୁ ସାର୍ଟିଫିକେଟ୍ ମିଳିଯାଉଛି ବୋଲି କୁହାଯାଉଛି

ଯଦି ଏଭଳି ଭାବେ ଗାଡ଼ିକୁ ସାର୍ଟିଫିକେଟ୍ ଦିଆଯିବ ତାହେଲେ ଗାଡ଼ି ଯାଞ୍ଚ୍ କେବଳ ଏକ ପ୍ରହସନ ବୋଲି ପରିବେଶ ବିଶେଷଜ୍ଞ ଶଙ୍କର ପ୍ରସାଦ ପାଣି କହିଛନ୍ତି । ଶ୍ରୀ ପାଣିଙ୍କ କହିବା ଅନୁଯାୟୀ, ଯଦି ଏମାନେ ଠିକ୍ ଭାବେ ଯାଞ୍ଚ୍ କରୁଥାନ୍ତେ ତାହେଲେ ସବୁଗାଡ଼ି ପ୍ରଦୂଷଣ ପରୀକ୍ଷାରେ ପାସ୍ କରିପାରିବେ ନାହିଁ । ଶ୍ରୀ ପାଣି ଏହି ପ୍ରସଙ୍ଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉଠାଇଛନ୍ତି। ବର୍ତ୍ତମାନ ବିଏସ୍-୪ ବା ବିଏସ୍-୬ ଇଞ୍ଜିନ୍ ବିଶିଷ୍ଟ ଦୁଇଚକିଆ ଗାଡ଼ି ବିକ୍ରି ହେଉଛି । ଏହି ଗାଡ଼ିଗୁଡ଼ିକ ଦ୍ୱାରା ପ୍ରଦୂଷଣ ଆଦୌ ହେବନାହିଁ କହିଲେ ଚଳେ । କାରଣ ଏହିସବୁ ଗାଡ଼ିଗୁଡ଼ିକରେ ‘କାଟାଲିଟିକ୍ କନ୍ଭର୍ଟର’ ବ୍ୟବହାର କରାଯାଉଛି । ଏହାଦ୍ୱାରା ଗାଡ଼ିରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବ ନାହିଁ । ଦ୍ୱିତୀୟରେ ବର୍ତ୍ତମାନ ସମୟରେ ଯେଉଁ ପେଟ୍ରୋଲ ଆସୁଛି ସେସବୁରେ ‘ସଲ୍ଫର୍’ର ପରିମାଣ ବହୁତ କମ୍ ରହୁଛି । ପେଟ୍ରୋଲରେ ସଲ୍ଫର୍ ଅଧିକ ଥିଲେ ଏହା ଅଧିକ ପ୍ରଦୂଷଣ ସୃଷ୍ଟି କରିଥାଏ । କିନ୍ତୁ ପେଟ୍ରୋଲରେ ସଲଫର ପରିମାଣ କମିଯିବାରୁ ପ୍ରଦୂଷଣ ମାତ୍ରା ମଧ୍ୟ କମିଯାଉଛି । ତେଣୁ ଏଭଳି ସ୍ଥିତିରେ ଦୁଇ ଚକିଆ ଯାନକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ସାର୍ଟିଫିକେଟ୍ ମୁକ୍ତ କରିବା ଆବଶ୍ୟକ । ନଚେତ୍ ଏହି ସାର୍ଟିଫିକେଟ୍ ବାହାନାରେ କେବଳ ଲୋକଙ୍କଠାରୁ ଜରିମାନା ଆଦାୟ କରିବା ହିଁ ସାର ହେଉଛି ।

ଗତ ପାଞ୍ଚ୍ ଦିନରେ ପରିବହନ ବିଭାଗ ୱେବ୍ସାଇଟ୍ରେ କେବଳ କେତେ ଗାଡ଼ିକୁ ସାର୍ଟିଫିକେଟ୍ ଦିଆଯାଉଛି ତାହାର ସୂଚନା ରହିଥିଲାବେଳେ କେତେଜଣଙ୍କର ବାତିଲ୍ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏହି କଥା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଏ ସମ୍ପର୍କରେ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବାତିଲ୍ ସଂକ୍ରାନ୍ତରେ ସୂଚନା ସାର୍ବଜନିନ କରାଯାଇପାରିବ ନାହିଁ । ଏସବୁର ଅଡିଟ୍ କରାଯିବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି ।