ଭୁବନେଶ୍ୱର,୦୭/୦୧: କମ୍ପିବ  ପରିବେଶ । ରଙ୍ଗୀନ ହେବ ସନ୍ଧ୍ୟା । ବିଭିନ୍ନ  କୋଣରୁ ଶୁଭିବ ସଙ୍ଗୀତର ଝଙ୍କାର ।  ନୃତ୍ୟରେ ନାଚିବ ସହର। ବିଶ୍ୱ ଦେଖିବ  ଆମ ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ ।  

ଆଜିଠୁ ଆରମ୍ଭ ହେଉଛି ଉତ୍ସବର ମହାକୁମ୍ଭ । ସେଥିଲାଗି ପୂରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର । ସଜେଇ  ହୋଇଛି ମନ୍ଦିରମାଳିନୀ ସ୍ମାର୍ଟ ନଗରୀ  ଏକାମ୍ର କ୍ଷେତ୍ର । ଯୁଆଡ଼େ ଯିବେ, ଯୁଆଡ଼େ  ଦେଖିବେ ଚିତ୍ରକଳା ଆଉ ରଙ୍ଗବେରଙ୍ଗର  ଆଲୋକମାଳାରେ ଝଲସୁଛି । ସଞ୍ଜ ନଇଁଲେ ଅଧିକ ସୁନ୍ଦର ଦିଶୁଛି । ସବୁକିଛି  ପ୍ରବାସୀ ଭାରତ ଦିବସ ସମ୍ମିଳନୀ ପାଇଁ ।  ସେଥିଲାଗି ଧାର୍ଯ୍ୟ ତାରିଖର ବହୁ ପୂର୍ବରୁ  ସହରରେ ଆଦିବାସୀ ମେଳା, ଚିଲିକା  ବିହଙ୍ଗ ଉତ୍ସବ ସହ ନାଇଟ୍‌ ବଜାର,  ଏକାମ୍ର ଉତ୍ସବ, ପାର୍କ ଉତ୍ସବ ଆରମ୍ଭ  ହୋଇସାରିଛି । ମଙ୍ଗଳବାରଠୁ ଏହି ମହାକୁମ୍ଭର ମହାପର୍ବରେ ଯୋଡ଼ି ହେବାକୁ ଯାଉଛି ଆଉ କିଛି ଉତ୍ସବ ଓ ମହୋତ୍ସବ ।  

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି  ବିଭାଗର ଆନୁକୂଲ୍ୟରେ ଜାନୁୟାରୀ ୭  ରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର  ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ  ହେବ ରାଜାରାଣୀ ସଙ୍ଗୀତ ମହୋତ୍ସବ, ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ୱର  ଓଡ଼ିଶୀ ନୃତ୍ୟ ମହୋତ୍ସବ ଏବଂ ରବୀନ୍ଦ୍ର  ମଣ୍ଡପଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ  ମହୋତ୍ସବ । ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ  ହେବାକୁ ଥିବା ଏହି ମହୋତ୍ସବରେ  ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମେତ ଶାସ୍ତ୍ରୀୟ  ସଙ୍ଗୀତ ମଧ୍ୟ ପରିବେଷଣ କରାଯିବ ।  

ଚଳିତବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ  ମହୋତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ  ଓ ଗୁରୁ କୁମ୍‌କୁମ୍‌ ମହାନ୍ତି, ଇଲେଆନା  ଚିତାରିସ୍ତି, ଦୁର୍ଗାଚରଣ ରଣବୀର,  ଝେଲମ୍‌ ପରାଂଜପେ, ଶୋରେନ୍‌  ଲୋୱେନ୍‌ ଆଦି ଓଡ଼ିଶୀ ନୃତ୍ୟ ପରିବେଷଣ  କରିବା ସହିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ  ମହୋତ୍ସବର ଇତିହାସ ଏବଂ ବିଶେଷତ୍ୱକୁ  ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀର  ମଧ୍ୟ ଆୟୋଜନ କରାଯିବ । ଏଥିସହ  ମୁକ୍ତେଶ୍ୱର ଓଡ଼ିଶୀ ନୃତ୍ୟ ମହୋତ୍ସବରେ  ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା  ଏକକ, ଯୁଗଳ ଏବଂ ଦଳଗତ ଓଡ଼ିଶୀ  ନୃତ୍ୟ ପ୍ରଦର୍ଶନ ସହ ପ୍ରାରମ୍ଭରେ ସଙ୍ଗୀତ  ଶିଳ୍ପୀଙ୍କ ଦ୍ୱାରା ଶିବ ବନ୍ଦନା ପରିବେଷିତ  ହେବ । ସେହିପରି ରାଜାରାଣୀ ସଙ୍ଗୀତ  ମହୋତ୍ସବରେ ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଏବଂ ଓଡ଼ିଶୀ ସଙ୍ଗୀତ ପରିବେଷଣ  କରାଯିବ । ଏହା ମାଧ୍ୟମରେ ବିଶ୍ୱ ଆଗରେ  ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତାର ପ୍ରମାଣ  ପ୍ରତିପାଦିତ କରାଯିବ । ୩ଟି ଯାକ  କାର୍ଯ୍ୟକ୍ରମ ସନ୍ଧ୍ୟାରେ ଉଦ୍‌ଘାଟିତ ହେବ ।  

ଏହିସବୁ ଉତ୍ସବ, ମହୋତ୍ସବ  ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ କହିଛନ୍ତି, ଶାସ୍ତ୍ରୀୟ ନୃତ୍ୟ  ଏବଂ ସଙ୍ଗୀତ ହେଉଛି ଆମ ସଂସ୍କୃତି ଓ ଅସ୍ମିତାର ପରିଚୟ । ଏହାଦ୍ୱାରା  ଅତିଥିମାନେ ମଧ୍ୟ ଆମ ଶାସ୍ତ୍ରୀୟ  ନୃତ୍ୟ ଏବଂ ସଙ୍ଗୀତ ସହିତ ସଂସ୍କୃତି  ଓ ଗୌରବମୟ ପରମ୍ପରା ସମ୍ବନ୍ଧରେ  ଅବଗତ ହୋଇପାରିବେ । ଅନ୍ତର୍ଜାତୀୟ  ସ୍ତରରେ ଆମ କଳା ଓ ସଂସ୍କୃତିର ବହୁଳ  ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ।