ମୁମ୍ବାଇ ୨୧/୦୪: ଫିଲ୍ମ ‘କବୀର ସିଂ’ ଏବଂ ‘ଆନିମଲ୍‌’ର ସଫଳତା ପରେ ସନ୍ଦୀପ ରେଡ୍ଡି  ବଙ୍ଗା ପ୍ରଶଂସା ଏବଂ ନିନ୍ଦା ଉଭୟର ସାକ୍ଷୀ ରହିଛନ୍ତି । ପୁଣି ନିର୍ଦ୍ଦେଶକ  ଭାବେ ଅଧିକ ଦାୟିତ୍ୱସଂପନ୍ନ ହୋଇଛନ୍ତି ବୋଲି ସେ ନିଜେ ସ୍ୱୀକାର   କରିଛନ୍ତି । ଏଥର ସେ ଦକ୍ଷିଣୀ ସୁପରଷ୍ଟାର୍‌ ପ୍ରଭାସ୍‌ଙ୍କ ସହିତ  କାମ କରୁଛନ୍ତି । ସନ୍ଦୀପଙ୍କ ନିର୍ଦ୍ଦେଶନାରେ ପ୍ରଭାସ ଅଭିନୟ କରୁଛନ୍ତି ଫିଲ୍ମ ‘ସ୍ପିରିଟ୍‌’ରେ । ଏହା ପୁଲିସ୍‌ ବ୍ୟବସ୍ଥା ଉପରେ  ଆଧାରିତ ଆକସନ୍‌ଧର୍ମୀ ସିନେମା ବୋଲି ଜାଣିବାକୁ ମିଳିଛି । 

ସଦ୍ୟତମ ସୂଚନା ଅନୁସାରେ ଏହି ଫିଲ୍ମର ପଟ୍ଟକଥା ଲେଖା  ଚାଲିଛି । ଆସନ୍ତା ଅକ୍ଟୋବର୍‌ ମାସରୁ ଏହାର ସୁଟିଂ ଆରମ୍ଭ  ହୋଇଯିବ । ଏହି ସିନେମା ବିଷୟରେ ସନ୍ଦୀପ ପ୍ରଥମରୁ  ପ୍ରଭାସଙ୍କୁ ଅବଗତ କରିସାରିଛନ୍ତି । ସିନେମାର  କାହାଣୀ କିଭଳି ଗତିଶୀଳ ହେବ ତାହା ମଧ୍ୟ ପ୍ରଭାସଙ୍କୁ ବୁଝାଇ ଦେଇଛନ୍ତି ସନ୍ଦୀପ ।  ତେବେ ଏହି ଫିଲ୍ମର ଯେଉଁ ପ୍ରସଙ୍ଗକୁ  ନେଇ ଚର୍ଚ୍ଚା, ତାହା ହେଲା ପ୍ରଭାସ ଏହି  ସିନେମାରେ ନିଜେ ଷ୍ଟଣ୍ଟ  କରିବେ । ଆକସନ୍‌ ଦୃଶ୍ୟରେ ସେ କୌଣସି ପ୍ରକାର ବଡି ଡବଲ୍‌ ବ୍ୟବହାର  କରିବେ ନାହିଁ । 

ସାଧାରଣତଃ ସିନେମାରେ ଆକସନ୍‌ ଦୃଶ୍ୟରେ  ଅଭିନୟ ସମୟରେ ମୂଳ ଅଭିନେତାଙ୍କ ସ୍ଥାନରେ ବଡି  ଡବଲ୍‌ ବ୍ୟବହାର କରିଥାଆନ୍ତି ସିନେମାର ନିର୍ଦ୍ଦେଶକ ।  ତେବେ ବଲିଉଡ୍‌ ସମେତ ଦକ୍ଷିଣ ଭାରତରେ ବେଶ୍‌  କିଛି ଅଭିନେତା ବଡି ଡବଲ୍‌ ସପକ୍ଷରେ ନଥାନ୍ତି ।  ସେମାନେ ସ୍ୱେଚ୍ଛାରେ ଷ୍ଟଣ୍ଟ କରିଥାଆନ୍ତି । ‘ସ୍ପିରିଟ୍‌’ ପାଇଁ  ଅନ୍ୟାନ୍ୟ ଅଭିନେତା ଚୟନ ପ୍ରକ୍ରିୟା ଚାଲୁ ରହିଛି । ଏହି  ସିନେମାର ସୁଟିଂ ଆରମ୍ଭ ହେବା ପୂର୍ବରୁ ପ୍ରଭାସ ତାଙ୍କର  ଅନ୍ୟ ପ୍ରୋଜେକ୍ଟ ‘ରାଜା ସାବ୍‌’ ଏବଂ ‘ଫୌଜି’ର ଏକ ବଡ଼  ଅଂଶର ସୁଟିଂ ସାରି ଦେଇଥିବେ । ସନ୍ଦୀପ ରେଡ୍ଡି ବଙ୍ଗାଙ୍କ ସୂଚନା ମୁତାବକ ଫିଲ୍ମ ‘ସ୍ପିରିଟ୍‌’ରେ ଆମେରିକା ଏବଂ  କୋରିଆରୁ ମଧ୍ୟ କିଛି କଳାକାର ସାମିଲ ହେବେ ।  ଦୁଇରୁ ତିନି ମାସ ମଧ୍ୟରେ ପୂରା କାଷ୍ଟିଂ ବିଷୟରେ  ଜଣାପଡିବ । ୨୦୨୭ ମସିହା ସୁଦ୍ଧା ଏହି ସିନେମାଟି  ଫ୍ଲୋର୍‌କୁ ଆସିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସନ୍ଦୀପ ।