କଟକ,୦୨/୦୩: କଟକ ରାଜନୀତିର ଚିତ୍ର ଅନେକ ସମୟରେ ଓଲଟପାଲଟ ଦିଶିଥାଏ ।  ଆଜି ଯିଏ କ୍ଷମତାରେ ଥାନ୍ତି ଓ ଦଳରେ ଲୋଡ଼ା  ପଡୁଥାନ୍ତି, କାଲି ଦଳରେ ଅଲୋଡ଼ା ହୋଇଯିବାକୁ  ବେଶି ସମୟ ଲାଗେନାହିଁ । ଏମିତି ସମୟ ଆସେ ଯେଉଁ ଦଳ ପାଇଁ ସେ କାମ କରିଥାନ୍ତି ସେଠି ହିଁ  ଅଲୋଡ଼ା ହୋଇଯାଆନ୍ତି । ପୂର୍ବରୁ ପ୍ରଭାତ କୁମାର  ତ୍ରିପାଠୀ, ଇଂ. ମହମ୍ମଦ ମୋକିମ୍‌ଙ୍କ ଉଦାହରଣ ଏକ୍ଷେତ୍ରରେ ରହିଥିବା ବେଳେ ଏବେ ଏ କ୍ଲବ୍‌ରେ  ଯୋଡ଼ି ହୋଇଛନ୍ତି ଚୌଦ୍ୱାର-କଟକର ପୂର୍ବତନ  ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ । ଯଦିଓ ଯେଉଁ  ଦଳରେ ଏମାନେ ଅଲୋଡ଼ା ହୋଇଛନ୍ତି ଏବେ ସେହି ଦଳରେ ସେମାନଙ୍କ ପିଲାମାନେ ରହି ଲୋଡ଼ା ପଡୁଛନ୍ତି, ରାଜନୀତି ବି କରୁଛନ୍ତି ।

କଟକ ରାଜନୀତି ଇତିହାସରେ ଅନେକ ବାପ-ପୁଅ ଯୋଡ଼ି ରହିଆସିଛନ୍ତି । ପିଢି ପରେ ପିଢି ପାରିବାରିକ ରାଜନୀତି ଚାଲି ଆସିଛି । କାଳିନ୍ଦୀ ବେହେରା-ଚନ୍ଦ୍ରସାରଥି ବେହେରା, ଧର୍ମାନନ୍ଦ ବେହେରା-ପ୍ରଶାନ୍ତ ବେହେରା, ପ୍ରଭାତ ତ୍ରିପାଠୀ, ଦେବୀରଞ୍ଜନ ତ୍ରିପାଠୀ, ମହମ୍ମଦ ମୋକିମ୍‌-ସୋଫିଆ ଫିରଦୋସ୍‌, ପ୍ରଭାତ ବିଶ୍ୱାଳ-ସୌଭିକ୍‌ ବିଶ୍ୱାଳ,  ପ୍ରତାପ ଜେନା-ଅଙ୍କିତ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ବାପା- ପୁଅ/ଝିଅ ଯୋଡ଼ି ରାଜନୀତିରେ ରହି ଆସିଛନ୍ତି । ରାଜନେତା ବାପାମାନେ ନିଜ ନିର୍ବାଚନ ମଣ୍ଡଳୀରେ ପିଲାଙ୍କୁ ଆଗକୁ ଛାଡ଼ି ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି । ଅନେକ ସ୍ଥାନରେ ପିଲାମାନେ ବାପାଙ୍କ ହାତ ଧରି ରାଜନୀତିରେ ସଫଳ ହୋଇଛନ୍ତି । କିଛି ସ୍ଥାନରେ ଫେଲ୍‌ ବି ମାରିଛନ୍ତି । ପ୍ରାୟ ସମସ୍ତ ନେତା ନିଜ ପିଲାଙ୍କୁ ଆଗକୁ ଛାଡ଼ିଥିଲେ ବି ମୂଳ ସଂଗଠନ  ଉପରେ ପକଡ଼ ରଖିଛନ୍ତି । ନିଜ ଅସ୍ତିତ୍ୱ ଜାହିର୍‌  କରିବାକୁ ରାଜନୀତିରେ ଗୋଟି ବି ଚାଳନା କରୁଛନ୍ତି ।  କାଳିନ୍ଦୀ, ପ୍ରତାପ, ମୋକିମ୍‌, ରଣେନ୍ଦ୍ରଙ୍କ ଭଳି  ନେତାମାନେ ରାଜ୍ୟ ରାଜନୀତିରେ ନିଜ ପାରଦର୍ଶିତା  ପ୍ରଦର୍ଶନ କରି ବେଶ ସଫଳ ହୋଇଛନ୍ତି ।   କିନ୍ତୁ ଗତ କିଛି ଦିନ ଭିତରେ କଟକ  ରାଜନୀତିରେ ବିପରୀତ ହଟଚମଟ ଦେଖିବାକୁ  ମିଳିଛି ।

କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ୍‌ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି । ଯଦିଓ ଝିଅ ସୋଫିଆ ଏବେ ବି କଂଗ୍ରେସ ଦଳରେ ରହିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମୋକିମ୍‌ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସୋଫିଆ ସେଠି ଉପସ୍ଥିତ ରହି ବାପାଙ୍କ ରାଜନୈତିକ ଆଦର୍ଶକୁ ଅନୁସରଣ  କରନ୍ତି ବୋଲି ବାର୍ତ୍ତା ଦେଇଥିଲେ । ସେହିପରି  ପ୍ରଭାତ ତ୍ରିପାଠୀ ଏବେ ବିଜେଡିରେ ନାହାନ୍ତି । ଦଳ  ତରଫରୁ ତାଙ୍କ ଉପରେ ଆକ୍ସନ୍‌ ନିଆଯାଇନାହିଁ କିମ୍ବା ତାଙ୍କୁ ଖୋଜା ବି ପଡୁନାହିଁ । ନିର୍ବାଚନରେ  ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ସହଯୋଗ କରି ସେ ପ୍ରଚାରକୁ ଓହ୍ଲାଇଥିଲେ । କିନ୍ତୁ ପରେ କୌଣସି ଦଳୀୟ ବୈଠକରେ ତାଙ୍କୁ ଦେଖିବାକୁ ମିଳିନାହିଁ ।  ଏମିତିକି ସେ ଦଳର ସଦସ୍ୟତା ପଞ୍ଜୀକରଣ ବି  କରିନାହାନ୍ତି । ଅନ୍ୟପକ୍ଷରେ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ଏବେ ବିଜେଡି ରାଜନୀତିରେ ସକ୍ରିୟ । 

ସେହିପରି ଦୁଇ ଦିନ ହେଲା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କୁ ନେଇ ଯେଉଁ ପାଲା ଚାଲିଛି ସେଥିରେ ପୁଅ ସୌଭିକ ବିଶ୍ୱାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ଅବଶ୍ୟ ପ୍ରଭାତଙ୍କ ବହିଷ୍କାର ପ୍ରସଂଗରେ ସୌଭିକ ନିରବ ରହିଛନ୍ତି । ନିକଟରେ କିନ୍ତୁ ସେ ଏକ ବୈଠକରେ ଦଳର ତୁଙ୍ଗ ନେତାଙ୍କୁ ଚାଲେଞ୍ଜ କରିଥିବା ଖବର ଆସିଥିଲା । ଆଗକୁ  ତାଙ୍କ ରାଜନୈତିକ ଭବିଷ୍ୟତ କେଉଁ ଦିଗରେ ଯିବ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଲାଗିରହିଛି ।