ଭୁବନେଶ୍ବର,୧୫।୧ : ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟକୁ ନେଇ ବସିଥିବା ବୈଠକ ଶେଷ ହୋଇଛି।  ଏଥିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ ସମାଧାନ ହୋଇଛି। ସ୍ବାଭାବିକଭାବେ ପ୍ରଭୃ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ଖୋର୍ଦ୍ଧା ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ   ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ନିଯୋଗର କର୍ମକର୍ତ୍ତା ସାମିଲ ହୋଇଥିଲେ । 

ବାରମ୍ବାର ନୀତି  ବିଭ୍ରାଟ ଭକ୍ତଙ୍କୁ  ଆଘାତ  ଦେଇଛି। ବର୍ତ୍ତମାନ ଠାରୁ ସ୍ୱାଭାବିକ   ଭାବେ  ପୁଣି ଆରମ୍ଭ ହେଲା ନୀତି  ବୋଲି  ଖୋର୍ଦ୍ଧା ଜ଼ିଲ୍ଲାପାଳ କହିଛନ୍ତି  । ଯେଉଁ ସେବାୟତମାନଙ୍କ ପାଇଁ ଏସବୁ   ବିଭ୍ରାଟ ହୋଇଛି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।   ୨୪ ଘଣ୍ଟା ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବେ। ତା’ ପରେ ରିପୋର୍ଟ ଆଧାରେ ସମ୍ପୃକ୍ତ ସେବାୟତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।  ଧାରା ୩୨ ଅନୁଯାୟୀ ସେହି  ସେବାୟତମାନଙ୍କୁ ସେବା କାର୍ଯ୍ୟରୁ ନିଲମ୍ବିତ  କରାଯିବ।  ଏହା  ବାଦ ଦରକାର ପଡିଲେ ଧାରା ୬୮ ଅନୁସାରେ ଲିଙ୍ଗରାଜଙ୍କ ଯେଉଁ ଜମିକୁ  ସେବାୟତ ଭୋଗ  କରୁଛନ୍ତି ତାକୁ  ମଧ୍ୟ ଫେରାଇ ନେବାକୁ ନିଷ୍ପତ୍ତି  ନିଆଯାଇଛି । ତେବେ ଆଗକୁ ଏଭଳି ସମସ୍ୟା ଯେପରି ଆଉ ନ ସୃଷ୍ଟି ହୁଏ ସେଥିପାଇଁ   ଲିଙ୍ଗରାଜଙ୍କ ନୀତିକାନ୍ତିକୁ  ସଠିକ ଭାବେ ତର୍ଜମା କରିବା ପାଇଁ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ମନ୍ଦିରର ଯାହା ରେକର୍ଡ ଅଫ ରାଇଟ  ଅଛି ସେହି ଆଧାରରେ ସମସ୍ତ ନୀତିକାନ୍ତି କରାଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରଣା କହିଛନ୍ତି। 

ସୂଚନାଯୋଗ୍ୟ ଯେ ସେବାୟତଙ୍କ ମଧ୍ୟରେ ହୋଇଥିବା ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ସେବାୟତମାନେ ବନ୍ଦ କରିଥଲେ । ମକର ମଣ୍ଡପରେ ସୋମବାର ରାତିରୁ  ପ୍ରଭୁ ଲିଙ୍ଗରାଜ ଉପାସ  ରହିଥିଲେ ।   ଠାକୁରଙ୍କ ମଙ୍ଗଳ ଆଳତି,  ଅବକାଶ ନୀତି ,ଭୋଗ ସମର୍ପଣ ବନ୍ଦ ରହିଥିଲା । ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ  ଘୃତ କମଳ ନୀତିରେ ହୋଇଥିବା ବିବାଦ ପାଇଁ ୩ ଦିନ ହେଲାଣି ସମସ୍ତ ନୀତି ବନ୍ଦ ରହିଥିଲା। କ୍ଷୀର ଆଉଟିବା ନୀତିକୁ ନେଇ ବିବାଦ ସୃଷ୍ଟି  ହୋଇଥିଲା।